ବଢିଲା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସୁରକ୍ଷା, ‘ଜେଡ୍’ ସୁରକ୍ଷା ପ୍ରଦାନ ପାଇଁ ନିଷ୍ପତ୍ତି – Utkal Mail
ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ପୂର୍ବରୁ ତାଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ମିଳୁଥିବାବେଳେ ଏବେ ତାଙ୍କୁ ‘ଜେଡ୍’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)କୁ ତାଙ୍କ ସୁରକ୍ଷା ଦାୟିତ୍ୱ ନେବାକୁ କହିଛି। ଏପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ଏହି ଦାୟିତ୍ୱ ତୁଲାଉଥିଲା। ୬୮ ବର୍ଷୀୟ ଜୟଶଙ୍କରଙ୍କୁ ଦିଲ୍ଲୀ ପୁଲିସର ଏକ ସଶସ୍ତ୍ର ଟିମ୍ ‘ୱାଇ’ ବର୍ଗର ସୁରକ୍ଷା ବଳୟ ରେ ସୁରକ୍ଷା ଦେଉଥିଲା । କିନ୍ତୁ ତାଙ୍କ ସୁରକ୍ଷା ଦାୟିତ୍ବ ସିଆରପିଏଫ୍ ହାତକୁ ଯିବା ପରେ ଏଣିକି ୨୪ ଘଣ୍ଟା ଧରି ତାଙ୍କ ସହ ସିଆରପିଏଫର ଏକ ୧୫ ଜଣିଆ କମାଣ୍ଡୋ ଟିମ୍ ରହିବ ।
ଜୟଶଙ୍କରଙ୍କ ପ୍ରତି ବିପଦ ଆଶଙ୍କା ବଢିଥିବା ଗୁଇନ୍ଦା ବ୍ୟୁରୋ ରିପୋର୍ଟ ଦେବା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ତାଙ୍କ ସୁରକ୍ଷା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ ସିଆରପିଏଫ୍ ପକ୍ଷରୁ ଏବେ ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଇତ୍ୟାଦିଙ୍କୁ ସୁରକ୍ଷା ଦିଆଯାଉଛି । ସିଆରପିଏଫ ଏବେ ମୋଟ ୧୭୬ ଜଣଙ୍କୁ ସୁରକ୍ଷା ପ୍ରଦାନ କରୁଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏସପିଜି କରିଥାଏ ।