ଦେଶ ବିଦେଶ

୨୬/୧୧ ମୁମ୍ବାଇ ଆକ୍ରମଣର ଷଡ୍‌ଯନ୍ତ୍ରକାରୀ ଅବଦୁଲ ରେହମାନ ମକ୍କିର ହୃଦ୍‌ଘାତରେ ମୃତ୍ୟୁ

ମୁମ୍ବାଇ: ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଷଡ଼୍‌ଯନ୍ତ୍ରକାରୀ ତଥା ଲସ୍କର-ଏ-ତୋଏବାର ଉପମୁଖ୍ୟ ହାଫିଜ ଅବଦୁଲ ରେହମାନ ମକ୍କିର ଶୁକ୍ରବାର ପାକିସ୍ତାନରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ମକ୍କି ଗତ କିଛି ଦିନ ହେବ ଅସୁସ୍ଥ ଥିଲା ଓ ଲାହୋରର ଏକ ଘରୋଇ ଡାକ୍ତରଖାନାରେ ଡାଇବେଟିସ୍ ପାଇଁ ଚିକିତ୍ସିତ ହେଉଥିଲା। ମେ ୨୦୧୯ରେ ମକ୍କିକୁ ପାକିସ୍ତାନ ସରକାର ଗିରଫ କରି ଲାହୋରରେ ଗୃହବନ୍ଦୀ ରଖିଥିଲେ। ୨୦୨୦ରେ ପାକିସ୍ତାନର ଏକ ଅଦାଲତ ତାକୁ ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଜାନୁଆରି ୨୦୨୩ରେ ମକ୍କିକୁ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି) ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲା।

ମକ୍କି ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଅର୍ଥ ଯୋଗାଣରେ ସମ୍ପୃକ୍ତ ଥିଲା, ଯେଉଁଥିରେ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ। ଆତଙ୍କବାଦ ବିରୋଧୀ ଅଭିଯାନରେ ମୋଟ ୯ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ଅମୀର ଅଜମଲ କସାବ ଜୀବିତ ଧରାପଡ଼ିଥିଲା। ପରେ ତାକୁ ଫାଶୀ ହୋଇଥିଲା। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବ୍ୟତୀତ ମକ୍କି ୨୦୦୦ ମସିହା ଡିସେମ୍ବର ୨୨ ତାରିଖରେ ଲାଲକିଲ୍ଲା ଆକ୍ରମଣରେ ସମ୍ପୃକ୍ତି ପାଇଁ ଭାରତରେ ୱାଣ୍ଟେଡ୍ ଆତଙ୍କବାଦୀ ଥିଲା। ୨୦୧୮ରେ ମକ୍କିର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ବରିଷ୍ଠ ସାମ୍ବାଦିକ ତଥା ରାଇଜିଂ କଶ୍ମୀର ଖବରକାଗଜର ମୁଖ୍ୟ ସମ୍ପାଦକ ସୁଜାତ ବୁଖାରୀ ଓ ତାଙ୍କ ଦୁଇ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବାରେ ମଧ୍ୟ ସମ୍ପୃକ୍ତ ଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button