‘ଓଡ଼ିଶାର ଅଧିକାଂଶ ନିବେଶକଙ୍କ ବୟସ ୧୮-୩୦ ବର୍ଷ’ – Utkal Mail
ଭୁବନେଶ୍ବର: ଦେଶର ଅର୍ଥନୈତିକ ପ୍ରଗତି ଲୋକମାନଙ୍କୁ ଷ୍ଟକ ବଜାର ଜରିଆରେ ନିଜ ଆୟ ବଢ଼ାଇବା ଓ ସମ୍ପତ୍ତି ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିଛି। ଲୋକଙ୍କ ପାଖରେ ଇଣ୍ଟରନେଟ୍ ସଂଯୋଗ ଥିବା ସ୍ମାର୍ଟଫୋନ୍ ପହଞ୍ଚିବା ପରେ ଷ୍ଟକ ବଜାର ନିବେଶ ପ୍ରତି ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି। ୟେସ୍ ସିକ୍ୟୁରିଟିଜ୍ ନାମକ ପ୍ରମୁଖ ବ୍ରୋକରେଜ୍ ସଂସ୍ଥାର ସୂଚନା ଅନୁସାରେ ଓଡ଼ିଶାରେ ଷ୍ଟକ ବଜାରରେ ନିବେଶ କରିବାରେ ଯୁବପିଢ଼ି ଆଗରେ ରହିଛନ୍ତି। କଂପାନିର ଓଡ଼ିଶାରେ ଥିବା ନିବେଶକମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ବୟସ ୧୮-୩୦ ବର୍ଷ ଭିତରେ ରହିଛି।
ଇକ୍ବିଟି ବଜାରରେ ନିବେଶ କରିବାକୁ ରାଜ୍ୟର ନିବେଶକମାନେ ବେଶ୍ ଆଗ୍ରହ ଦେଖାଉଛନ୍ତି। ଅଧିକରୁ ଅଧିକ ସଂଖ୍ୟାରେ ଲୋକମାନେ ଷ୍ଟକ ବଜାର ନିବେଶ ସହ ଯୋଡ଼ି ହେଉଛନ୍ତି। ସେଥିପାଇଁ ବର୍ଷକ ଭିତରେ ଡିମାଟ୍ ଖାତା ସଂଖାରେ ୬୦ ପ୍ରତିଶତ ଭଳି ବୃଦ୍ଧି ହୋଇଛି ବୋଲି କଂପାନିର ଜେଏମ୍ଡି ଓ ସିଇଓ ଅଂଶୁଲ ଅର୍ଜାରେ କହିଛନ୍ତି। ଓଡ଼ିଶାରୁ ଷ୍ଟକ ବଜାରରେ ନିବେଶ କରୁଥିବା ଯୁବପିଢ଼ିଙ୍କ ମଧ୍ୟରେ ୧୦ ପ୍ରତିଶତ ମହିଳା ରହିଛନ୍ତି। ଭୁବନେଶ୍ବର, ରାଉରକେଲା, କଟକ, ବଡ଼ବିଲ ଓ ସମ୍ବଲପୁର ଭଳି ଅଞ୍ଚଳର ଲୋକମାନେ ଷ୍ଟକ ବଜାର ଟ୍ରେଡିଂରେ ସକ୍ରିୟ ଥିବା ବେଳେ ଭୁବନେଶ୍ବର ସବୁଠୁ ବଡ଼ ବଜାର ଭାବେ ଉଭା ହୋଇଛି। ବ୍ରହ୍ମପୁର, ଦାମନଯୋଡ଼ି, କୋରାପୁଟ ଭଳି ସହରରୁ ମଧ୍ୟ ନୂଆ ନିବେଶକ ଟ୍ରେଡିଂ କରୁଥିବା ଜଣାପଡ଼ିଛି। ଯେହେତୁ ଭାରତ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ଆଗକୁ ବଢ଼ୁଛି ଏବଂ ଗାଡ଼ି, ଫୋନ୍ ବିକ୍ରି ଓ ଜିଏସ୍ଟି ସଂଗ୍ରହ ଉତ୍ସାହଜନକ ରହିଥିବାରୁ ଷ୍ଟକ ବଜାର ନିବେଶକମାନେ ଆଗାମୀ ଦିନରେ ମଧ୍ୟ ଉପକୃତ ହେବେ ବୋଲି ଆଶା କରାଯାଉଛି।