ଓଡିଶା

Paul Kurian Retirement: ୩୦ ବର୍ଷର ସାଥୀକୁ ଶେଷ ବିଦାୟ, ବସ୍‌କୁ ଧରି କାନ୍ଦିଲେ ଡ୍ରାଇଭର

ବସକୁ ଆଉଁସିଲେ, ଷ୍ଟିୟରିଂକୁ କିସ୍ କଲେ । ଇଂଜିନକୁ ଧରି ଭୋ ଭୋ କାନ୍ଦିଲେ । ଟାୟରକୁ ମୁଣ୍ଡିଆ ମାରି ନେଲେ ଶେଷ ବିଦାୟ । କନ୍ଦାଇଲା ଡ୍ରାଇଭରଙ୍କ ଅବସର ଭିଡିଓ । ସେ ବସ୍ କେବଳ ଗୋଟିଏ ଗାଡ଼ି ନୁହେଁ। ଏହା ଥିଲା ତାଙ୍କ ୩୦ ବର୍ଷର ସମ୍ପର୍କ ଆଉ ୮ ବର୍ଷର ଚାକିରିର ସାଥୀ। ତାଙ୍କ ଜୀବନର ବଡ଼ ଅଧ୍ୟାୟ। ଆଉ ପରିବାର ଚଳାଇବାର ଏକ ପ୍ରମୁଖ ମାଧ୍ୟମ। ବର୍ଷ ବର୍ଷ ଧରି ଏହି ଷ୍ଟିୟରିଂ ଧରି ସେ ଚାଲିଛନ୍ତି ହଜାର ହଜାର କିଲୋମିଟର। ଅସଂଖ୍ୟ ଯାତ୍ରୀଙ୍କୁ ପହଞ୍ଚାଇଛନ୍ତି ସେମାନଙ୍କ ଗନ୍ତବ୍ୟରେ। କିନ୍ତୁ ଚାକିରିର ଶେଷ ଦିନ, ଏହି ବସ୍‌ରୁ ଶେଷଥର ପାଇଁ ଓହ୍ଲାଇବା ବେଳେ ବଦଳିଗଲା ପରିବେଶ। ସମ୍ଭାଳି ହେଲାନି କୋହ କି ରହିଲାନି ଲୁହ। ବସକୁ ଧରି ଭୋ ଭୋ କାନ୍ଦିଲେ ଡ୍ରାଇଭର।

ସେପ୍ଟେମ୍ବର ୨। କେରଳ ଇଡୁକ୍କି ଜିଲ୍ଲାର କୁମିଲି ଡିପୋ। ଚାକିରିର ଶେଷ ଦିନର ଶେଷ ଶିଫ୍ଟ ସାରିଲା। KRCTC ବସ୍‌ଟିକୁ ପାର୍କ କଲେ ଡ୍ରାଇଭର ପଲ୍ କୁରିଅନ୍। କିନ୍ତୁ ପଲ୍‌ଙ୍କ ପାଇଁ ଏହା କେବଳ ଗୋଟିଏ ବସ୍ ପାର୍କ କରିବାର ମୁହୂର୍ତ୍ତ ନଥିଲା। ଏହା ଥିଲା ବର୍ଷ ବର୍ଷର ଏକ ସାଥୀଠାରୁ ବିଦାୟ ନେବାର ମୁହୂର୍ତ୍ତ। ଆଉ ତା’ପରେ, ଯାହା ଘଟିଲା, ତାହା କ୍ୟାମେରାରେ କଏଦ ହୋଇଗଲା। ବସ୍‌ରୁ ଓହ୍ଲାଇଲେ ପଲ୍। ଆଗକୁ ଗଲେ। ବସ୍‌କୁ ଆଉଁସିଲେ। ତା’ପରେ ଷ୍ଟିୟରିଂକୁ ଚୁମ୍ବନ କଲେ। ଗୋଟିଏ ପରେ ଗୋଟିଏ କରି ଟାୟାରକୁ ଛୁଇଁଲେ। ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଲେ। ବସ୍‌ର ଆଗପଟକୁ ସ୍ନେହରେ କୁଣ୍ଢାଇ ପକାଇଲେ। ଯେମିତି କହୁଥିଲେ, “ଏତେ ବର୍ଷ ସାଥ୍ ଦେଇଛୁ… ଆଜି ତୋତେ ଛାଡ଼ି ଯାଉଛି।”

ଏହି ଷ୍ଟିୟରିଂ ଧରି ପଲ୍ କେତେ ରାସ୍ତା ଚାଲିଛନ୍ତି। କେତେ ଯାତ୍ରୀଙ୍କୁ ଗନ୍ତବ୍ୟରେ ପହଞ୍ଚାଇଛନ୍ତି। କେତେ ସକାଳ ଦେଖିଛନ୍ତି। କେତେ ରାତି ପାର କରିଛନ୍ତି। ଏହି ବସ୍ ତାଙ୍କୁ କେବଳ ଚାକିରି ଦେଇନଥିଲା, ପରିବାର ପାଇଁ ଜୀବିକାର ରାସ୍ତା ମଧ୍ୟ ଖୋଲିଥିଲା। ଶେଷରେ ବସ୍‌ ସାମ୍ନାରେ ଠିଆ ହେଲେ ପଲ୍। ଆଖିରେ ଥିଲା ଅସଂଖ୍ୟ ସ୍ମୃତି, ମୁହଁରେ ଥିଲା ଭାବନା। ଆଉ ହଠାତ୍ ଛଳଛଳ ହୋଇଗଲା ତାଙ୍କ ଆଖି। ଲୁହ ପୋଛିଲେ, ଆଉ ଧୀରେ ଧୀରେ ସେଠାରୁ ଚାଲିଗଲେ। ଗୋଟିଏ ଚାକିରିର ଅବସାନ ହୋଇଥିଲା, କିନ୍ତୁ ଗୋଟିଏ ଗଭୀର ସମ୍ପର୍କକୁ ବିଦାୟ ଦେବା ସେତେ ସହଜ ନଥିଲା।
ପଲ୍ କୁରିଅନ୍‌ଙ୍କ ଏହି ଭାବବିହ୍ୱଳ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ। କିଏ କହୁଛି, ଏହା ହେଉଛି ନିଜ କାମ ପ୍ରତି ସମ୍ମାନ। ଆଉ କିଏ କହୁଛି, ଯେଉଁ ବସ୍ ଏତେ ବର୍ଷ ଧରି ତାଙ୍କ ପରିବାରର ଜୀବିକାର ମାଧ୍ୟମ ହୋଇଥିଲା, ସେହି ବସ୍ ପ୍ରତି ଏମିତି ଭାବନା ରହିବା ସ୍ୱାଭାବିକ। କାରଣ, କାମ କେବଳ ଜୀବିକା ଦିଏନି, କେବେ କେବେ ସେହି କାମ ସହ ଯୋଡ଼ି ହୋଇଯାଏ ଜୀବନର ଅନେକ ସ୍ମୃତି। ପଲ୍ କୁରିଅନ୍‌ଙ୍କ ଏହି ବିଦାୟ ଦୃଶ୍ୟ ଆଜି ଗୋଟିଏ କଥା କହୁଛି, “କିଛି ଯାତ୍ରା ଶେଷ ହୁଏ, କିନ୍ତୁ ସେହି ଯାତ୍ରାର ସ୍ମୃତି କେବେ ଶେଷ ହୁଏନି।” ଏହା ଥିଲା କେବଳ ଜଣେ ଡ୍ରାଇଭରଙ୍କ ରିଟାୟରମେଣ୍ଟ ନୁହେଁ, ଏହା ଥିଲା ତାଙ୍କ ଜୀବନର ଏକ ଅବିସ୍ମରଣୀୟ ସାଥୀକୁ ଶେଷ ବିଦାୟ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button