କମେଡ଼ି କିଙ୍ଗ୍ଙ୍କ ହାତରେ ଝିଅକୁ ଦେବା ପୂର୍ବରୁ ଆୟ ସଂପର୍କରେ ଏପରି ପଚାରିଥିଲେ ଗିନ୍ନିଙ୍କ ବାପା – Utkal Mail
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ଗିନ୍ନି କଲେଜରେ ପରସ୍ପରଙ୍କୁ ଭଲପାଉଥିଲେ ଓ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା କଥା ଆମେ ସମସ୍ତେ ଜାଣନ୍ତି। କଲେଜରେ କପିଲ ଗିନ୍ନିଙ୍କୁ ଥିଏଟର ଶିଖାଉଥିଲେ। ଗିନ୍ନି ତାଙ୍କ ଛାତ୍ରୀ ଥିଲେ।
ଦୁହେଁ ପରେ ପ୍ରେମରେ ପଡ଼ିଗଲେ ଏବଂ ପରସ୍ପରଙ୍କ ହାତ ସବୁଦିନ ପାଇଁ ଧରି ରଖିବାକୁ ସ୍ଥିର କଲେ। କିନ୍ତୁ ଯେତେବେଳେ ବିବାହ କଥା ଉଠିଲା ତ କପିଲ ଶର୍ମାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା। କାରଣ ଗିନ୍ନିଙ୍କ ବାପା ବିଶ୍ବାସ କରୁ ନଥିଲେ ଯେ କପିଲ ତାଙ୍କ ଝିଅର ଉପଯୁକ୍ତ ଯତ୍ନ ନେଇପାରିବେ ବୋଲି।
ଟିଭି ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିବା ହାସ୍ୟ ଅଭିନେତା ତାଙ୍କ ଝିଅର ଆବଶ୍ୟକତା ପୂରା କରିପାରିବେ କି ନାହିଁ ସେ ନେଇ ସନ୍ଦେହରେ ଥିଲେ ଗିନ୍ନିଙ୍କ ବାପା। ସେଥିପାଇଁ ଗିନ୍ନିଙ୍କ ବାପା ବିବାହ ପୂର୍ବରୁ କପିଲଙ୍କର ଏକ ସାକ୍ଷାତକାର ନେଇଥିଲେ।
ନିକଟରେ କପିଲ ଶର୍ମା ଏକ ସୋ’ରେ ଏହା କହିଛନ୍ତି। କପିଲ କହିଛନ୍ତି ଯେ ଯେତେବେଳେ ସେ କଲେଜରେ ଥିଲେ, କଳାକାରମାନଙ୍କୁ ସେପରି ସମ୍ମାନ ଦିଆଯାଉ ନଥିଲା। ତାଙ୍କର କୌଣସି ଗୁରୁତ୍ୱ ନଥିଲା। ଗିନ୍ନିଙ୍କ ବାପାଙ୍କ ସ୍ଥାନରେ ଅନ୍ୟ କେହି ଥିଲେ କେବେ ବି ସେ ନିଜକୁ ପ୍ରମାଣ କରିପାରିନଥାନ୍ତେ ବୋଲି କପିଲ କହିଛନ୍ତି।
କପିଲ ଶର୍ମା ଆହୁରି କହିଛନ୍ତି ଯେ ଗିନ୍ନିଙ୍କ ବାପା ଜାଣିବାକୁ ଚାହିଁଥିଲେ ଯେ କପିଲ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ରୋଜଗାର କରନ୍ତି କି ନାହିଁ। କପିଲ ସେ ସମୟରେ ଟିଭିରୁ ଭଲ ଟଙ୍କା ରୋଜଗାର କରୁଥିଲେ। ହେଲେ ସେ ଏଥିରେ ବିଶ୍ୱାସ କରିନଥିଲେ। ଏପରିକି ଗିନ୍ନିଙ୍କ ବାପା ପଚାରିଥିଲେ, ‘‘ଗୋଟାଏ ଦିନରେ ୫-୧୦ ହଜାର ରୋଜଗାର ହୋଇଯାଉଛି?’’