ନୀତି

ଶ୍ରେଷ୍ଠ ଅଳସୁଆ ପ୍ରତିଯୋଗିତା : ୨୦ ଦିନ ଯାଏ ଶୋଇ ରହିବାକୁ ହୋଇଥାଏ – Utkal Mail


ଦକ୍ଷିଣପୂର୍ବ ୟୁରୋପର ମଣ୍ଟେନେଗ୍ରୋର ବ୍ରେଜନା ନାମକ ଏକ ମନୋରମ ଗାଁରେ ପ୍ରତି ବର୍ଷ ‘ଶ୍ରେଷ୍ଠ ଅଳସୁଆ’ ପ୍ରତିଯୋଗିତା ଅନୁଷ୍ଠିତ ହୁଏ। ଏହି ଅଦ୍ଭୁତ ବାର୍ଷିକ ପ୍ରତିଯୋଗିତାରେ ‘ଶ୍ରେଷ୍ଠ ଅଳସୁଆ ନାଗରିକ’ ଉପାଧି ହାସଲ କରିବା ପାଇଁ ସାତ ଜଣ ପ୍ରତିଦ୍ବନ୍ଦ୍ବୀ ଭାଗ ନେଇଥା’ନ୍ତି। ଏକ ହଜାର ୟୁରୋ (ପ୍ରାୟ ୮୮,୮୨୫ ଟଙ୍କା)ର ପୁରସ୍କାର ହାତେଇବା ସହ ପୂର୍ବ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ପ୍ରତିଯୋଗୀମାନେ ମଶିଣା ଉପରେ ଲଗାତାର ୨୦ ଦିନ ଯାଏ ଶୋଇ ରହିଥା’ନ୍ତି। ଏ ପ୍ରତିଯୋଗିତାର ନିୟମ ସରଳ କିନ୍ତୁ ଖୁବ୍ କଡ଼ା। ଶୋଇବା ଭିତରେ ଟିକିଏ ଉଠି ବସି ପଡ଼ିଲେ କି ଛିଡ଼ାହେଲେ ପ୍ରତିଯୋଗୀ ଅଯୋଗ୍ୟ ଘୋଷିତ ହୁଅନ୍ତି। ସେହିପରି ପ୍ରତିଯୋଗୀମାନଙ୍କୁ ଅନବରତ ସମାନ୍ତରାଳ ଅବସ୍ଥାରେ ରହିବାକୁ ପଡ଼ିଥାଏ।

ପ୍ରତି ୮ ଘଣ୍ଟାରେ ଥରେ ମାତ୍ର ୧୦ ମିନିଟ୍‌ର ଶୌଚାଳୟ ବିରତି ମିଳେ। ଅକର୍ମା ଜୀବନଶୈଳୀ ସତ୍ତ୍ବେ ପ୍ରତିଯୋଗୀମାନଙ୍କୁ ଖାଇବା, ପିଇବା, ପଢ଼ିବା ଏବଂ ସେଲ୍‌ଫୋନ୍‌ ଓ ଲାପ୍‌ଟପ୍‌ ବ୍ୟବହାର କରିବାକୁ ଅନୁମତି ମିଳିଥାଏ, ମାତ୍ର ସର୍ତ୍ତଟି ହେଲା ଶୋଇ ରହି ସେମାନେ ଏସବୁ କରିପାରିବେ। ଏଭଳି ବିଚିତ୍ର ପ୍ରତିଯୋଗିତା ୧୨ ବର୍ଷ ତଳୁ ଆରମ୍ଭ ହୋଇଥିବା ବେଳେ ଏହା ପଛରେ ରହିଥିବା କାରଣଟି ହେଲା, ମଣ୍ଟେନେଗ୍ରୀୟମାନେ ସହଜାତ ଭାବେ ଅଳସୁଆ ବୋଲି ରହିଥିବା ଏକ ଧାରଣାକୁ ତାଚ୍ଛଲ୍ୟ କରିବା। ପ୍ରଥମେ ପ୍ରଥମେ ଏଥିରେ ୨୧ ଜଣ ପ୍ରତିଯୋଗୀ ଭାଗ ନେଉଥିବା ବେଳେ ଏବେ ମାତ୍ର ୭ ଜଣ ଏଥିରେ ଭାଗ ନେଉଛନ୍ତି।

ଗତବର୍ଷର ୧୧୭ ଘଣ୍ଟାର ଶୋଇବା ରେକର୍ଡଟିକୁ ଚଳିତବର୍ଷ ଆଉ ଜଣେ ପ୍ରତିଯୋଗୀ ଭାଙ୍ଗିଛନ୍ତି। ପାରମ୍ପରିକ ଭାବେ ଏହି ପ୍ରତିଯୋଗିତା ଏକ ମ୍ୟାପଲ୍‌ ଗଛ ମୂଳେ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତିକୂଳ ପାଗ ଲାଗି ଏବେ ତାହା ଏକ କାଠ ଘରକୁ ସ୍ଥାନାନ୍ତର ହୋଇଛି। ପ୍ରତିଯୋଗିତା ପାଇଁ ଗ୍ରାମବାସୀ ବେଶ ଉତ୍ସାହିତ ଥିବା ବେଳେ ସେହି ସମୟତକ ସମଗ୍ର ଗାଆଁ ଉତ୍ସବମୁଖର ହୋଇଯାଉଛି।




Related Articles

Leave a Reply

Your email address will not be published. Required fields are marked *

Back to top button