ଆଦିତ୍ୟ-ଏଲ୍୧ ମିସନ: ଇସ୍ରୋର ଲଞ୍ଚ୍ ରିହର୍ସାଲ ସରିଲା – Utkal Mail
ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବୁଧବାର ଏହାର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧ର ଲଞ୍ଚ୍ ରିହର୍ସାଲ ସମ୍ପନ୍ନ କରିଛି। ଇସ୍ରୋ ପକ୍ଷରୁ ଏକ୍ସ (ଟ୍ବିଟର)ରେ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଆଦିତ୍ୟ-ଏଲ୍୧ର ଉତ୍କ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାର ଲଞ୍ଚ୍ ରିହର୍ସାଲ ଓ ଆଭ୍ୟନ୍ତରୀଣ ଯାଞ୍ଚ ସମ୍ପନ୍ନ ହୋଇଛି। ଏ ନେଇ ଇସ୍ରୋ କେତେକ ଛବି ମଧ୍ୟ ଏକ୍ସରେ ପୋଷ୍ଟ କରିଛି। ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ-ଏଲ୍୧ ଉତ୍କ୍ଷେପଣ କରାଯିବ ବୋଲି ଇସ୍ରୋ ପ୍ରକାଶ କରିଛି। ଆଦିତ୍ୟ-ଏଲ୍୧ ହେଉଛି ସୂର୍ଯ୍ୟଙ୍କ ଉପରେ ଅଧିକ ବୈଜ୍ଞାନିକ ତଥ୍ୟ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଇସ୍ରୋର ପ୍ରଥମ ପର୍ଯ୍ୟବେକ୍ଷଣାଗାର-ଶ୍ରେଣୀୟ ଭାରତୀୟ ସୌର ମିସନ।
ଏହାକୁ ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରାଞ୍ଜିଆନ ପଏଣ୍ଟ ୧ (ଏଲ୍୧) ଚାରିପାଖରେ ପ୍ରଭାମଣ୍ଡଳ କକ୍ଷପଥ (ହାଲୋ ଅର୍ବିଟ୍)ରେ ସ୍ଥାପନ କରାଯିବ, ଯାହା ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ଅବସ୍ଥିତ। ଏଲ୍୧ ପଏଣ୍ଟରେ ସ୍ଥାପିତ ଏକ ଉପଗ୍ରହର ସବୁଠାରୁ ବଡ଼ ସୁବିଧା ହେଉଛି ଏହା କୌଣସି ପ୍ରକାର ମହାଜାଗତିକ ଘଟଣା ବା ଗ୍ରହଣଜନିତ ବାଧା ବ୍ୟତିରେକେ ସୂର୍ଯ୍ୟଙ୍କୁ ନିରବଚ୍ଛିନ୍ନ ଭାବେ ନିରୀକ୍ଷଣ କରିପାରିବ। ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ବାହ୍ୟ ସ୍ତର (କରୋନା) ଉପରେ ପର୍ଯ୍ୟବେକ୍ଷଣ କରିବା ପାଇଁ ଏଥିରେ ୭ଟି ପେଲୋଡ୍ ରହିଛି। ମହାକାଶ ପାଣିପାଗ ଓ ପୃଥିବୀ ଉପରେ ଏହାର ପ୍ରଭାବ ଆଦି ଉପରେ ଏଗୁଡ଼ିକ ତଥ୍ୟ ସଂଗ୍ରହ କରିବେ।



