ସରଣ୍ଡାରେ ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ, ଜଣେ ଗ୍ରାମବାସୀ ମୃତ

ସୁନ୍ଦରଗଡ଼ : ସରଣ୍ଡାରେ ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ । ଜଣେ ଗ୍ରାମବାସୀ ମୃତ । ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସୀମାନ୍ତରୁ୨୫ କିଲୋମିଟର ଦୂର ସରଣ୍ଡା ଜଙ୍ଗଲ ସଂଲଗ୍ନ ଗାଁ ବଲିବାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି । ମୃତକ ହେଲେ ସାଉ ବାରଜୋ । ପତ୍ର ଓ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇ ଫେରୁଥିବା ବେଳେ ନକ୍ସଲଙ୍କ ଦ୍ବାରା ରାସ୍ତାରେ ବିଛାଯାଇଥିବା ଲ୍ୟାଣ୍ଡମାଇନ ଉପରେ ସାଉ ବାରଜୋଙ୍କ ଗୋଡ଼ ପଡ଼ି ବିସ୍ଫୋରଣ ହୋଇଥିଲା ।
ସିଆରପିଏଫ ଯବାନ ସାଉଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମନୋହରପୁର ସ୍ଥିତ ସରକାରୀ ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଚାଇଁବାସା ଏସ. ପି ରାକେଶ ରଞ୍ଜନ ନକ୍ସଲଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣକୁ ସୁନିଶ୍ଚିତ କରିଛନ୍ତି । ଅପରପକ୍ଷରେ କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର କ୍ବାରୀରୁ ମାଓବାଦୀମାନେ ପାଞ୍ଚ ଟନ ବିସ୍ଫୋରକ ଲୁଟିବା ଘଟଣାକୁ ଛଅ ଦିନ ପୂରିଲାଣି । ଏଯାଏ ବିସ୍ଫୋରକ ସବୁ ଉଦ୍ଧାର ହୋଇପାରିନାହିଁ । ତାକୁ ନେଇ ଏବେ ଉଭୟ ଓଡିଶା ଓ ଝାଡ଼ଖଣ୍ଡ ସୁରକ୍ଷାବାହିନୀ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି । ଝାଡ଼ଖଣ୍ଡ ସରଣ୍ଡା ସଂଲଗ୍ନ ଥଲକୋବାଦ ଓ ବିଟକେଲସୋୟା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଚାଲିଛି ।