ଧନଖଡ଼ଙ୍କ ବିରୋଧରେ ଖଡ଼ଗେଙ୍କ ଅଭିଯୋଗ: ହେଡ୍ମାଷ୍ଟରଙ୍କ ଭଳି ଧମକାଉଛନ୍ତି

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଧନଖଡ଼ ସବୁଠାରୁ ବଡ଼ ସରକାରୀ ମୁଖପାତ୍ର ସାଜିଛନ୍ତି ଏବଂ ଗୃହରେ ହେଡ୍ମାଷ୍ଟରଙ୍କ ଭଳି ଧମକାଉଛନ୍ତି ବୋଲି ଖଡ଼ଗେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରାଜ୍ୟସଭାରେ ବିଶୃଙ୍ଖଳା ଏବଂ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ମୁଖ୍ୟ କାରଣ ନିଜେ ଧନଖଡ଼ ବୋଲି ସେ କହିଛନ୍ତି। ଇଣ୍ଡି ମେଣ୍ଟ ନେତାମାନେ ଉପରାଷ୍ଟ୍ରପତି ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଆଣିବା ସଂକ୍ରାନ୍ତରେ ଟିପ୍ପଣୀ ରଖି ଖଡ଼ଗେ କହିଛନ୍ତି, ୧୯୫୨ ମସିହାରୁ କୌଣସି ଉପରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିନି। କାରଣ ଯେଉଁମାନେ ଏହି ପଦବୀରେ ଥିଲେ ସେମାନେ ସମସ୍ତେ ପକ୍ଷପାତ କରୁନଥିଲେ ଏବଂ ରାଜନୀତିରୁ ଊର୍ଦ୍ଧ୍ବରେ ରହି ନିୟମ ଅନୁଯାୟୀ ଗୃହ ପରିଚାଳନା କରୁଥିଲେ। କିନ୍ତୁ ଆଜି ଗୃହରେ ନିୟମ ଅପେକ୍ଷା ଅଧିକ ରାଜନୀତି ଚାଲିଛି ବୋଲି ଖଡ଼ଗେ କହିଛନ୍ତି।
କଂଗ୍ରେସ ମୁଖ୍ୟ ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିରୋଧୀ ନେତାମାନେ ଯେଉଁ ପ୍ରସଙ୍ଗରେ ଆଲୋଚନା ପାଇଁ ଚାହୁଥିବେ ରାଜ୍ୟସଭା ଅଧ୍ୟକ୍ଷ ଜାଣିଶୁଣି ତାହା କରାଇ ଦିଅନ୍ତି ନାହିଁ। ଯୋଜନାବଦ୍ଧ ଭାବେ ଅଧ୍ୟକ୍ଷ ଗୃହରେ ଆଲୋଚନା ପାଇଁ ଅନୁମତି ଦେଉନାହାନ୍ତି ବୋଲି ଖଡ଼ଗେ କହିଛନ୍ତି। ଅଧ୍ୟକ୍ଷ ତାଙ୍କର ପରବର୍ତ୍ତୀ ପଦୋନ୍ନତି ପାଇଁ ସରକାରଙ୍କ ମୁଖପାତ୍ର ଭାବେ କାମ କରୁଛନ୍ତି। ରାଜ୍ୟସଭା କାର୍ଯ୍ୟରେ ବାଧା ସୃଷ୍ଟି କରିବାରେ ସେ ସବୁଠାରୁ ବେଶୀ ଦାୟୀ ବୋଲି ଖଡ଼ଗେ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ କାର୍ଯ୍ୟ ଦେଶର ସମ୍ମାନହାନି କରିଛି ବୋଲି ଖଡ଼ଗେ ଦାବି କରିଛନ୍ତି। ସେ କହିଛନ୍ତି, ଧନଖଡ଼ଙ୍କ ସହ ଆମର କୌଣସି ରାଜନୈତିକ ଶତ୍ରୁତା କିମ୍ବା ରାଜନୈତିକ ଲଢ଼େଇ କରିବାର ନାହିଁ।