ଦେଶ ବିଦେଶ

ନିର୍ବାଚନ ଜାଲିଆତି ମାମଲାରେ ଗିରଫ ହୋଇ ମୁକ୍ତ ହେଲେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ – Utkal Mail


ଆଟ୍‌ଲାଣ୍ଟା: ଜର୍ଜିଆ ନିର୍ବାଚନ ଜାଲିଆତିରେ ଗୁରୁବାର ରାତିରେ ଗିରଫ ହୋଇଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ୨୦୦,୦୦୦ ଡଲାର୍‌ ‘ବଣ୍ଡ୍‌’ ବା ମୁଚାଲିକାରେ ମୁକ୍ତ କରାଯାଇଥିବା କଥା ‘ଆସୋସିଏଟେଡ୍‌ ପ୍ରେସ୍’ ରିପୋର୍ଟ କରିଛି।

ତାଙ୍କ ନାଁରେ ଅସାଧୁ ବ୍ୟାବସାୟିକ କାରବାର ଓ ଷଡ଼ଯନ୍ତ୍ର ଅଭିଯୋଗ ହୋଇଥିଲା।

ଗିରଫ ହୋଇ ମାତ୍ର ୨୦ ମିନିଟ୍‌ ପାଇଁ ଜେଲ୍‌ ଯାଇଥିବା ଟ୍ରମ୍ପ୍‌ଙ୍କ ମୁହଁର ଫଟୋ ମଧ୍ୟ ଉଠାଯାଇଥିଲା। ପୁଲିସ ରେକର୍ଡ ନିମନ୍ତେ ଆବଶ୍ୟକ ଏହି ‌ଫଟୋକୁ ପରେ ପରେ ସାର୍ବଜନୀନ କରାଯାଇଥିଲା। ତାଙ୍କର ଉଚ୍ଚତା ୬ ଫୁଟ୍‌ ୩ ଇଞ୍ଚ୍‌, ଓଜନ ୯୭ କିଲୋଗ୍ରାମ୍ ଓ କେଶ ରଙ୍ଗ ‘ବ୍ଲଣ୍ଡ୍‌’ ବା ‘ଷ୍ଟ୍ରବେରି’ ବୋଲି ଉକ୍ତ ଫଟୋରେ ଉଲ୍ଲେଖ କରାଯାଇଛି। ଆମେରିକୀୟ ରାଷ୍ଟ୍ରପତି ଇତିହାସରେ ଏ ଧରଣର ଘଟଣା ପ୍ରଥମ।

ଆଟ୍‌ଲାଣ୍ଟାସ୍ଥିତ ଫଲ୍‌ଟନ୍‌ କାଉଣ୍ଟି ଜେଲ୍‌ ରେକର୍ଡରୁ ପ୍ରାପ୍ତ ସୂଚନା ଅନୁସାରେ, ଟ୍ରମ୍ପ୍‌ ୧୩ଟି ପୃଥକ୍‌ ପୃଥକ୍‌ ମାମଲାର ସମ୍ମୁଖୀନ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜର୍ଜିଆ ନିର୍ବାଚନ ଜାଲିଆତି ମାମଲା ଥିବା ଅଭିଯୋଗ ହେଉଛି, ଆମେରିକାର ଦକ୍ଷିଣ ପ୍ରଦେଶ ଜର୍ଜିଆରୁ ପ୍ରାପ୍ତ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଟ୍ରମ୍ପ୍‌ ଏବଂ ତାଙ୍କର ୧୮ଜଣ ସହ-ଅଭିଯୁକ୍ତ ଜାଲିଆତି କରି ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ। ଏହି ମାମଲାରେ ଶୁକ୍ରବାର ଦିନ ଟ୍ରମ୍ପ୍‌ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଜେଲ୍‌ରୁ ମୁକ୍ତ ହେବା ପରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍‌ କହିଲେ, ମୁଁ କିଛି ଅନ୍ୟାୟ କରିନାହିଁ। ଓଲଟା ବିଚାର ଚାଲିଛି। ଯେଉଁ ନିର୍ବାଚନରେ ଅସାଧୁ ଉପାୟ ଅବଲମ୍ବନ କରାଯାଇ ‌ବୋଲି ଆମର ମନେହେବ ତାହାକୁ ଆମେ ଚାଲେଞ୍ଜ୍‌ କରିପାରିବୁ।

ଏହପରେ ଟ୍ରମ୍ପ୍‌ ତାଙ୍କ ‘ଏସ୍‌ୟୁଭି’ରେ ବସି ଝରକା ବାଟେ ‘ଥମସ୍‌-ଅପ୍‌’ (ହାତର ବୁଢ଼ାଆଙ୍ଗୁଠି ଉପରକୁ କରି) ଦେଖାଇ ନ୍ୟୁଜର୍ସି ବାସଭବନ ଅଭିମୁଖେ ଯିବା ପାଇଁ ବିମାନ ବନ୍ଦରକୁ ଯାଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button