ଆନନ୍ଦବଜାର ଶୃଙ୍ଖଳା: କାର୍ଯ୍ୟରେ ଯୋଗଦେଲେ ୨୦ ଜଣ ପୂର୍ବତନ ସୈନିକ

ପୁରୀ: ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ନିୟୋଜିତ ହୋଇଛନ୍ତି ସ୍ବତନ୍ତ୍ର ଅବସରପ୍ରାପ୍ତ ସେନା କର୍ମଚାରୀ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉଟ୍ସୋର୍ସିଂ ଜରିଆରେ ୨୦ ଜଣ ସେବାନିବୃତ୍ତ ସେନାନୀଙ୍କୁ ନିୟୋଜନ କରାଯାଇଛି। ସେମାନେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କଠାରୁ ପ୍ରଶିକ୍ଷଣ ପ୍ରଶିକ୍ଷଣ ପରେ ପତିତପାବନଙ୍କୁ ପ୍ରଣାମ କରି ଆନନ୍ଦବଜାର ଶୃଙ୍ଖଳା ଦାୟିତ୍ବ ତୁଲାଇଛନ୍ତି।
ଆଉ ଆଜି ସକାଳୁ ୧୦ ଜଣ ସେନାନିବୃତ୍ତ କର୍ମୀଙ୍କୁ ଶ୍ରୀମନ୍ଦିରରେ ଆନନ୍ଦବଜାର ଓ ଭିତରବେଢା ସୁରକ୍ଷା ପାଇଁ ନିଯୋଜିତ କରାଯାଇଛି। ଅନ୍ୟ ୧୦ ଜଣଙ୍କୁ ଅପରାହ୍ଣରୁ ରାତି ପହୁଡ଼ ପର୍ଯ୍ୟନ୍ତ ମୁତୟନ କରାଯାଇଛି। ଆଗାମୀ ଦିନରେ ରାତିରେ ଦୁଇଜଣଙ୍କୁ ରଖିବାର ବ୍ୟବସ୍ଥା ହେବ ବୋଲି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଯତୀନ ପଣ୍ଡା କହିଛନ୍ତି।
ପିଏସ୍ଆଇପିଏଲ୍ ନାମକ ଏକ ଘରୋଇ ଆଉଟ୍ସୋର୍ସିଂ ସଂସ୍ଥା ଜରିଆରେ ଏହି ନିଯୁକ୍ତି ହୋଇଛି। ଆଜି ସିଭିଲ ଡ୍ରେସ୍ରେ ଏହି ସ୍ବତନ୍ତ୍ର ସୁରକ୍ଷା କର୍ମୀ ଆନନ୍ଦବଜାରରେ ମୁତୟନ ହୋଇଛନ୍ତି। ଏମାନଙ୍କ ପାଇଁ ଲାଗୁ ସ୍ବତନ୍ତ୍ର ଡ୍ରେସ୍କୋଡ୍ ଲାଗୁ ହେବ। ଆନନ୍ଦବଜାରରେ ବିଭିନ୍ନ ଶୃଙ୍ଖଳା ଉପରେ କଡ଼ା ନଜର ରଖିବେ। ଆନନ୍ଦ ବଜାରରେ ଶୃଙ୍ଖଳା ଓ ସଂସ୍କାର ଆଣିବା ପାଇଁ ସୁଆର ମହାସୁଆର ନିଯୋଗ ୨୨ଟି ପ୍ରସ୍ତାବ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବା ବେଳେ ଏହି ପ୍ରସ୍ତାବଟି କାର୍ଯ୍ୟକାରୀ ହୋଇଛି। ଏହାବ୍ୟତୀତ ଅଣସୁପକାରଙ୍କୁ ଆନନ୍ଦବଜାର ମଧ୍ୟରେ କଟକଣା, ଭକ୍ତଙ୍କୁ ଉପଯୁକ୍ତ ମୂଲ୍ୟରେ ମହାପ୍ରସାଦ ବିକ୍ରି, ସ୍ବଚ୍ଛତା ଓ ଶାଳୀନ ବ୍ୟବହାର, ମହାପ୍ରସାଦର ସ୍ବତନ୍ତ୍ର ଦର ତାଲିକା ନିର୍ଦ୍ଧାରଣ ନେଇ ବ୍ୟବସ୍ଥା କରାଯିବା ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି। ନିୟୋଜିତ କର୍ମଚାରୀମାନେ ଆନନ୍ଦବଜାରରେ ବାସି ଅବଢ଼ା ବିକ୍ରି ଉପରେ ନଜର ରଖିବେ। ଅଣସୂପକାରମାନେ ଯେପରି ମହାପ୍ରସାଦ ବିକ୍ରି ନକରିବେ ତା’ଉପରେ ମଧ୍ୟ ଦୃଷ୍ଟି ରଖିବେ। କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାରମାନେ ହିଁ ମହାପ୍ରସାଦ ବିକ୍ରି ପାଇଁ ଅଧିକୃତ ରହିବେ। ଭକ୍ତଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ ଠିକ ରହିବା ଦିଗରେ ଗୁରୁତ୍ବାରୋପ କରିବେ। ଆନନ୍ଦବଜାରରେ ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ମହାପ୍ରସାଦ ଓ ଅନ୍ୟ ଭୋଗ ବିକ୍ରି ବାରଣ ରହିବ। ଆନନ୍ଦବଜାରରେ କେବଳ ମହାପ୍ରଭୁଙ୍କ ଭୋଗ ହୋଇଥିବା ଦ୍ରବ୍ୟ ବ୍ୟତୀତ ଅନ୍ୟ ଖାଦ୍ୟ ପଦାର୍ଥ ବିକ୍ରି ହୋଇପାରିବ ନାହିଁ। ଏ ସମସ୍ତ ବିଷୟ ପ୍ରତି କର୍ମଚାରୀମାନେ ଧ୍ୟାନ ଦେବେ।