ସ୍କୁଟର ଚାଳକ ଶୁଆ ! ୧୭.୭୯ ସେକେଣ୍ଡ୍ରେ ୫ ମିଟର ଚଳାଇ କଲା ବିଶ୍ବ ରେକର୍ଡ – Utkal Mail
୭ ବର୍ଷର ଶୁଆଟିଏ ଏକ କ୍ଷୁଦ୍ର ସ୍କୁଟରକୁ ଦ୍ରୁତତମ ବେଗରେ ଚଳାଇ ଗିନିସ ବିଶ୍ବ ରେକର୍ଡ କରିଛି। ବୁଲଗେରିଆର କାଲୋୟାଁ ୟାଭାସେଭ ନାମକ ବ୍ୟକ୍ତି ପାଳିଥିବା ‘ଚିକୋ’ ନାମକ ଶୁଆଟି ଉକ୍ତ ସ୍କୁଟରକୁ ୧୭.୭୯ ସେକେଣ୍ଡ୍ରେ ୫ ମିଟର ବା ୧୬.୪ ଫୁଟ ଚଳାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛି। ତେବେ ବିଶ୍ବ ରେକର୍ଡ କରିବାର କିଛି ଦିନ ପରେ ଇଟାଲୀୟ ଟିଭି କାର୍ଯ୍ୟକ୍ରମ ‘ଲୋ ସୋ ଦେଇ ରେକର୍ଡ’ରେ ଚିକୋ ନିଜର ଏହି କାରନାମା ପ୍ରଦର୍ଶନ କଲା ବେଳେ ୧୪.୫୮ ସେକେଣ୍ଡ୍ରେ ୫ ମିଟର ବାଟ ଅତିକ୍ରମ କରିପାରିଥିଲା।
ଉଲ୍ଲେଖଯୋଗ୍ୟ, ୟାଭାସେଭ୍ ହେଉଛନ୍ତି ଜଣେ ପେସାଦାର ଶୁଆପାଳକ ଏବଂ ପ୍ରଶିକ୍ଷକ। ଚିକୋକୁ ମାତ୍ର ୩ ମାସ ହୋଇଥିବା ବେଳେ ସେ ତାହାକୁ ପାଖରେ ରଖିଥିଲେ। ନାନା ପ୍ରକାର ତାଲିମ ଦେବା ବେଳେ ପକ୍ଷୀଟି ଖୁବ୍ ଶୀଘ୍ର ସ୍କୁଟର ଚାଳନାରେ ନିଜର ଦକ୍ଷତା ଦେଖାଇଥିଲା। ଏହା ତାହାର ସ୍ବାଭାବିକ ପ୍ରତିଭା ଥିଲା ଏବଂ ତାହା ଜାଣିପାରି ୟାଭାସେଭ୍ ତା’କୁ ସ୍ବତନ୍ତ୍ର ଭାବରେ ସେ ଦିଗରେ ତାଲିମ ଦେବା ଆରମ୍ଭ କରିଥିଲେ। ସେ ସବୁକିଛି ଅତି ସହଜରେ ଓ ବିନା କୌଣସି ସମସ୍ୟାରେ ଗ୍ରହଣ କରୁଥିଲା। ତେଣୁ ତାହା ଦ୍ବାରା ଏହି ରେକର୍ଡ କରିବା ସମ୍ଭବ ହେଲା ବୋଲି ୟାଭାସେଭ୍ କହିଛନ୍ତି।