ଉତ୍ତମ ବର ପ୍ରାପ୍ତି ପାଇଁ କିଶୋରୀ କନ୍ୟା ପୋଖରୀ କୂଳରେ ବସି କରୁଛନ୍ତି ପୂଜାର୍ଚ୍ଚନା

ବଳିରେ ବଳି, ନକର ଅଳି, କାଲି ଆଣିଦେବି ସରୁ ଚକୁଳି । ଏ ଗୀତ ବୋଲୁଛନ୍ତି ଶ୍ରୀମନ୍ଦିର ସେବାୟତ ଘରର କୁଆଁରୀ କନ୍ୟା ମାନେ । ଶ୍ରୀମନ୍ଦିରର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ । ଯୁଗ ଆଧୁନିକ ଆଡ଼କୁ ଗତି କରୁଥିଲେ ମଧ୍ୟ ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡ଼ିକରେ ପରମ୍ପରା ମୁତାବକ ଚାଲି ଆସୁଛି ।
ଉତ୍ତମ ବର ପ୍ରାପ୍ତି ପାଇଁ ଏହି ସେବାୟତ କୂଳର କିଶୋରୀ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ପରିବାର ଲୋକେ ବେଶ୍ ସୁନ୍ଦର ଭାବେ ଆଭୂଷଣ କରିଥାନ୍ତି । ଏହାପରେ ମାର୍କଣ୍ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ। ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ଦିନ ଧରି ବଳି ପୂଜା କରିଥାନ୍ତି ଏହି କନ୍ୟାମାନେ । ଏହି ୨୧ଦିନର ଶେଷ ୪ ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲା ମାନେ । ପାରମ୍ପରିକ ବେଶରେ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଇ ପୁଷ୍କରିଣୀ କୂଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି । ଏହି ଅବସରରେ ସେମାନେ ବଳିଗୀତ ଗାନ କରିବାର ମଧ୍ୟ ପରମ୍ପରା ରହିଛି ।
ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ଓ ଅଷ୍ଟମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ । ସ୍ୱତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ନେତ ପିଲାମାନେ ବିଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରଥାନ୍ତି । କୁଆଁରୀ କନ୍ୟା ମାନେ ଏହି ବେଶଭୂଷାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ମଧ୍ୟ ବୁଲି ଯାଇଥାନ୍ତି । ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଗୁଡ଼ିକ ବେଶ୍ ଉତ୍ସବ ମୁଖର ହୋଇ ଉଠିଥାଏ । ତେବେ କାହିଁ କେଉଁ କାଳରୁ ଶ୍ରୀକ୍ଷେତ୍ରରେ ଏଭଳି ନିଆରା ପରମ୍ପରା ପାଳିତ ହୋଇ ଆସୁଛି ସେବାୟତଙ୍କ କୂଳରେ ।



