ଦେଶ ବିଦେଶ

ବୋମାବର୍ଷା ଭିତରେ ଶାନ୍ତି ସମ୍ମିଳନୀ: ଇଜିପ୍ଟରେ ଆଜି କଥାବାର୍ତ୍ତା – Utkal Mail


ଚର୍ଚ୍ଚ, ମସ୍‌ଜିଦ ଧ୍ବସ୍ତ; ଗାଜା ମୃତ୍ୟୁସଂଖ୍ୟା ୪,୧୩୭ ଛୁଇଁଲା

ଟେଲ୍‌ ଅଭିଭ୍‌ : ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବାରେ ଲାଗିଛି। ଗାଜା ସ୍ଥିତି ଅତି ଜଟିଳ ହୋଇପଡ଼ିଥିବା ବେଳେ କୌଣସି ସହାୟତା ପହଞ୍ଚି ପାରୁନଥିବାରୁ ଅକଥନୀୟ ଯନ୍ତ୍ରଣାରେ ଲୋକେ ଛଟପଟ ହେଉଛନ୍ତି। ୬ଟି ହସ୍ପିଟାଲରେ ଆଜିଠାରୁ ସେବା ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ଇସ୍ରାଏଲ ଖୁବ୍‌ଶୀଘ୍ର ଗାଜା ଷ୍ଟ୍ରିପ୍‌ରେ ସ୍ଥଳ ଅଭିଯାନ ଆରମ୍ଭ କରିବ ବୋଲି ଆଜି ଘୋଷଣା କରିଛି। ଗାଜା ସୀମାରେ ଇସ୍ରାଏଲର ଲକ୍ଷାଧିକ ସୈନିକ ପାଟ୍ରୋଲିଂ କରୁଛନ୍ତି ଏବଂ ବହୁ ସଂଖ୍ୟାରେ ଟ୍ୟାଙ୍କ୍‌ ମୁତୟନ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍‌ ଗାଲାଣ୍ଟ୍‌ ସୀମା ନିକଟରେ ସୈନିକଙ୍କୁ କହିଛନ୍ତି, ଯେ କୌଣସି ମୁହୂର୍ତ୍ତରେ ଗାଜାରେ ପ୍ରବେଶ କରିବାପାଇଁ ନିର୍ଦ୍ଦେଶ ଦିଆଯିବ। ଗାଲାଣ୍ଟ କହିଛନ୍ତି, ଆପଣମାନେ କିନ୍ତୁ ଖୁବ୍‌ଶୀଘ୍ର ଗାଜା ଭିତରର ଦୃଶ୍ୟ ଦେଖିବେ। ଅନ୍ୟପକ୍ଷରେ ଗାଜାରେ ଆକ୍ରମଣ ବନ୍ଦ ନହେଲେ ଇସ୍ରାଏଲ-ହମାସ ଯୁଦ୍ଧରେ ଇରାନ୍‌ ବି ସାମିଲ ହେବ ବୋଲି ଧମକ ଦେଇଛି। ଲେବାନନ, ସିରିୟା ଏବଂ ୟେମେନରୁ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଅହରହ ପ୍ରୟାସ ହେଉଛି। ପରିସ୍ଥିତି ଏକ ବିଶାଳ ଓ ଭୟାନକ ଯୁଦ୍ଧ ଆଡ଼କୁ ମୁହାଁଉଥିବାରୁ ଆସନ୍ତାକାଲି ଇଜିପ୍ଟରେ ଜରୁରୀ ଶାନ୍ତି ସମ୍ମିଳନୀ ଡକାଯାଇଥିବା ଇଜିପ୍ଟ ରାଷ୍ଟ୍ରପତି ଆବ୍‌ଦେଲ ଅଲ୍‌ ସିସି କହିଛନ୍ତି। ଏହି ସମ୍ମିଳନୀରେ ଜାତିସଂଘ ମୁଖ୍ୟ ଏଣ୍ଟୋନିଓ ଗୁଟ୍‌ରେସ ଯୋଗଦେବେ ବୋଲି ଜଣାପଡ଼ିଛି। ସମ୍ମିଳନୀରେ କତାର, ତୁର୍କୀ, ଗ୍ରୀସ୍‌, ଜୋର୍ଡାନ, ୟୁଏଇ, ବାହାରିନ୍‌, ସାଉଦି ଆରବ, ଇରାକ୍‌ ଏବଂ ସାଇପ୍ରସ୍‌ର ନେତାଙ୍କ ଉପସ୍ଥିତି ନିଶ୍ଚିତ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଇସ୍ରାଏଲକୁ ସମସ୍ତ ପ୍ରକାର ସାମରିକ ଓ ମାନବୀୟ ସହାୟତା ଜାରି ରହିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିବା ସହ ତତ୍କାଳ ୧୪ ବିଲିୟନ ଡଲାର ଇସ୍ରାଏଲ ପାଇଁ ମଂଜୁର କରିବାକୁ କଂଗ୍ରେସକୁ ଆବେଦନ କରିଛନ୍ତି। ଇରାନ୍‌ ଇସ୍ରାଏଲକୁ ବାରମ୍ବାର ଧମକ ଦେବା ସହ ଆବଶ୍ୟକ ହେଲେ ଯୁଦ୍ଧରେ ସାମିଲ ହେବାକୁ ଘୋଷଣା କରିଥିବାରୁ ଆମେରିକା ଏହାକୁ ଗମ୍ଭୀରତାର ସହ ନେଇଛି। ଆମେରିକାର ଯୁଦ୍ଧଜାହାଜଗୁଡ଼ିକ ଇସ୍ରାଏଲର ସୁରକ୍ଷା ପାଇଁ ସକ୍ରିୟ ହୋଇଉଠିଛି। ପୂର୍ବରୁ ଇସ୍ରାଏଲକୁ ବ୍ୟାପକ ଯୁଦ୍ଧାସ୍ତ୍ର ଯୋଗାଇ ଦେଇଥିବା ଆମେରିକାର ଯୁଦ୍ଧଜାହାଜଗୁଡ଼ିକ ଏବେ ଭୂମଧ୍ୟ ସାଗରରେ ହାଇଆଲର୍ଟରେ ରହିଛି।

ଗାଜା: ଇସ୍ରାଏଲ-ହମାସ୍‌ ଯୁଦ୍ଧର ୧୪ତମ ଦିବସରେ ଇସ୍ରାଏଲ ବାୟୁସେନା ଗାଜା ଉପରେ ଭୀଷଣ ବୋମାମାଡ଼ କରିଛି। ଇସ୍ରାଏଲର ସାମରିକ ଅଧିକାରୀମାନେ କହିଛନ୍ତି, ଦୀର୍ଘ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଚାଲିବ ଏବଂ ଲଢ଼େଇ ଅଧିକ ଜଟିଳ ଓ ତୀବ୍ର ହେବ। ତେବେ ହମାସ ବିରୋଧରେ ଇସ୍ରାଏଲର ବିଜୟ ହେବ ବୋଲି ଇସ୍ରାଏଲୀ ଅଧିକାରୀମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ସୀମା ନିକଟସ୍ଥ ଗୋଲାନି ନିକଟରେ ମୁତୟନ ହୋଇଥିବା କେତେକ ସୈନିକଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ମନୋବଳ ବଢ଼ାଇଛନ୍ତି। ଇସ୍ରାଏଲ ଏହାର ସମସ୍ତ କ୍ଷମତା ସହ ଜିତିବ ବୋଲି ନେତାନ୍ୟାହୁ କହିଛନ୍ତି। ନେତାନ୍ୟାହୁ କହିଛନ୍ତି, ସମଗ୍ର ଇସ୍ରାଏଲ ଆପଣମାନଙ୍କ ପଛରେ ରହିଛି ଏବଂ ଆମ ଶତ୍ରୁମାନଙ୍କୁ ଆମେ ଅତି ଭୀଷଣ ଭାବେ ଆକ୍ରମଣ କରିବୁ। ଇସ୍ରାଏଲ ଆକ୍ରମଣରେ ହମାସ୍‌ର ସ୍ବତନ୍ତ୍ର ନୌସେନା ବାହିନୀର ଜଣେ କମାଣ୍ଡର ମବଦୁହ ସଲାବୀ ନିହତ ହୋଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି।

ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ଏବଂ ନୌସେନା ବାହିନୀର ମିଳିତ ଅପରେସନ୍‌ରେ ଉକ୍ତ ହମାସ୍‌ କମାଣ୍ଡରକୁ ନିପାତ କରାଯାଇଛି। ଯୁଦ୍ଧ ‌ଯୋଗୁଁ ଗାଜାରେ ୪,୧୩୭ ଲୋକଙ୍କର ମୃତ୍ୟୁ ହେଲାଣି ବୋଲି ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଇସ୍ରା‌ଏଲର ଏକ ଯୁଦ୍ଧ ଜାହାଜ ଆଜି ଗାଜାରେ ଏକ ମସଜିଦ ଉପରେ ଟାର୍ଗେଟ୍‌ କରି ଆକ୍ରମଣ କରିଛି। ଏଥିରେ ଅନେକ ଲୋକ ମୃତାହତ ହୋଇଛନ୍ତି ବୋଲି ପାଲେଷ୍ଟାଇନ ପକ୍ଷରୁ ଦାବି ହୋଇଛି। ଅନ୍ୟପକ୍ଷେ ଗାଜାରେ ଏକ ଗ୍ରିକ୍‌ ଅର୍ଥୋଡକ୍ସ ଚର୍ଚ୍ଚ‌୍‌ ଉପରେ ମଧ୍ୟ ବୋମାମାଡ଼ ଯୋଗୁଁ ଏହା ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ଏଥିରେ ୧୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଗାଜାରେ ଚର୍ଚ୍ଚ‌୍ ପରିସରରେ ହମାସ ଆତଙ୍କବାଦୀ ଲୁଚି ରହିଥିବାରୁ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button