ଆସନ୍ତାବର୍ଷ ପୁଣି ଲାଲକିଲ୍ଲାରେ ଦେଖାହେବା: ସ୍ବାଧୀନତା ଦିବସ ଭାଷଣ ଶେଷରେ କହିଲେ ମୋଦୀ – Utkal Mail
ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଆଶାବାଦୀ। ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଦେବା ସହ ମୋଦୀ ଶେଷରେ କହିଛନ୍ତି, ‘ଆସନ୍ତାବର୍ଷ ଅଗଷ୍ଟ ୧୫ ତାରିଖରେ ପୁଣି ଥରେ ଏଠାରେ ଦେଖା ହେବା।’ ମୋଦୀଙ୍କ ଏହି ଅଭିଭାଷଣ ଶୁଣି ସେ ପୁଣି ଥରେ ନିର୍ବାଚନ ଜିତିବାକୁ ଆଶାବାଦୀ ଅଛନ୍ତି ବୋଲି ଅନୁମାନ କରାଯାଉଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “୨୦୧୪ ମସିହାରେ ମୁଁ ପରିବର୍ତ୍ତନ ଆଣିବାକୁ ପ୍ରତିଜ୍ଞା କରିଥିଲି। ଦେଶବାସୀ ମୋତେ ବିଶ୍ବାସ କରିଥିଲେ। ମୁଁ ସେ ପ୍ରତିଜ୍ଞାକୁ ବିଶ୍ବାସରେ ବଦଳାଇଛି। ୨୦୧୯ ରେ ମୋତେ ମୋର ପ୍ରଦର୍ଶନ ଆଧାରରେ ଆପଣମାନେ ଆଶୀର୍ବାଦ ଦେଇଥିଲେ। ମୋତେ ପୁନର୍ବାର ସୁଯୋଗ ମିଳିଲା। ମୁଁ ଆଗାମୀ ଅଗଷ୍ଟ ୧୫ରେ ପୁଣି ଏଠାକୁ ଆସିବି। ଆପଣଙ୍କ ସବୁ ସ୍ବପ୍ନ ପୂରା କରିବି। ମୁଁ ଆପଣମାନଙ୍କ ପାଇଁ ବଞ୍ଚିଛି। କାରଣ ଆପଣମାନେ ମୋର ପରିବାର। ଆପଣମାନଙ୍କୁ ମୁଁ ଯନ୍ତ୍ରଣାରେ ଦେଖି ପାରିବିନି।’’
ସେ ଆହୁରି ବି କହିଛନ୍ତି ଯେ ‘‘ଆମେ ୨୦୧୪ ମସିହାରେ ବିଶ୍ବ ଅର୍ଥନୀତିରେ ୧୦ ନମ୍ବରରେ ଥିଲୁ। ଆଜି ୧୪୦ କୋଟି ଦେଶବାସୀଙ୍କ ଉଦ୍ୟମ ଫଳପ୍ରଦ ହୋଇଛି ଏବଂ ଆମେ ବିଶ୍ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ଅଛୁ। ଏହା ଖାଲିରେ ହୋଇ ଯାଇନାହିଁ। ଆମେ ମଜବୁତ୍ ଅର୍ଥ ବ୍ୟବସ୍ଥା ତିଆରି କଲେ। ଗରିବଙ୍କ ପାଇଁ ଅଧିକରୁ ଅଧିକ ଧନ ଖର୍ଚ କରିବାକୁ ଚେଷ୍ଟା କଲେ। ତାପରେ ଯାଇ ଏହା ସମ୍ଭବ ହେଲା।’



