ଖାଦ୍ୟ ଡେଲିଭରି ବଏଙ୍କ ମାସିକ ଆୟ କମିଲା: ପେଟ୍ରୋଲ୍ ଖର୍ଚ୍ଚ ବାଧୁଛି – Utkal Mail
ନୂଆଦିଲ୍ଲୀ: ଅନ୍ଲାଇନ୍ରେ ବରାଦ ଦେଇଥିବା ଗ୍ରାହକମାନଙ୍କ ଘରେ ଖାଦ୍ୟ ପହଞ୍ଚାଉଥିବା ଡେଲିଭରି ବଏମାନଙ୍କ ମାସିକ ଆୟ ପ୍ରଭାବିତ ହୋଇଛି। ଗାଡ଼ିରେ ପେଟ୍ରୋଲ୍ ପକାଇବା ଖର୍ଚ୍ଚ ବଢ଼ିଥିବାରୁ ସେମାନଙ୍କ ଆୟରେ ପ୍ରାୟ ୧୧% ହ୍ରାସ ଘଟିଛି। ଉଭୟ ୧୧ ଘଣ୍ଟିଆ ଲମ୍ବା ସିଫ୍ଟ ଓ ୫ ଘଣ୍ଟିଆ ସ୍ବଳ୍ପ ସିଫ୍ଟରେ କାମ କରୁଥିବା ଡେଲିଭରି ବଏଙ୍କ ଆୟ ହ୍ରାସ ପାଇଛି ବୋଲି ନ୍ୟାସନାଲ୍ କାଉନ୍ସିଲ୍ ଫର୍ ଆପ୍ଲାଏଡ୍ ଇକୋନିମକ୍ ଆଣ୍ଡ୍ ରିସର୍ଚ୍ଚ (ଏନ୍ସିଏଇଆର୍) ରିପୋର୍ଟରୁ ଜଣାପଡ଼ିଛି। ଏହି ରିପୋର୍ଟ ସେମାନଙ୍କ ଆର୍ଥିକ ସ୍ଥିତିର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଛି। ଆୟ ପ୍ରଭାବିତ ହୋଇଥିବାରୁ ଡେଲିଭରି ବଏମାନଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇପଡ଼ିଛି।
ରିପୋର୍ଟ ଅନୁସାରେ ୨୦୧୯ରେ ୧୧ ଘଣ୍ଟିଆ ସିଫ୍ଟରେ କାମ କରୁଥିବା ଡେଲିଭରି ବଏଙ୍କ ମାସିକ ଆୟ ୧୩,୪୭୦ ଟଙ୍କା ଥିଲା। ୨୦୨୨ରେ ତାହା ୧୧,୯୬୩ ଟଙ୍କାକୁ ହ୍ରାସ ପାଇଛି। ସେହି ସମୟରେ ୫ ଘଣ୍ଟିଆ ସିଫ୍ଟରେ କାମ କରୁଥିବା କର୍ମଚାରୀମାନଙ୍କ ଆୟ ୭,୯୯୯ ଟଙ୍କାରୁ ୭୧୫୭ ଟଙ୍କାକୁ ହ୍ରାସ ପାଇଛି। ଲମ୍ବା ସିଫ୍ଟରେ କାମ କରୁଥିବା କର୍ମଚାରୀମାନେ ପୂର୍ବରୁ ୯ ଘଣ୍ଟା ୩୦ ମିନିଟ୍ କାମ କରୁଥିଲେ। ଏବେ ସେମାନଙ୍କୁ ୧୧ ଘଣ୍ଟା ଖଟିବାକୁ ପଡ଼ୁଛି। ଦେଶର ୨୮ଟି ସହରରେ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିବା ୯୨୪ ଜଣ ଲୋକଙ୍କୁ ନେଇ କରାଯାଇଥିବା ସର୍ବେକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଧିକାଂଶ ଡେଲିଭରି ବଏ ନିଜ ସହରରେ କାମ କରୁଛନ୍ତି। ପ୍ରାୟ ୮୪ ପ୍ରତିଶତ ଲୋକଙ୍କ ବୟସ ୩୫ ବର୍ଷରୁ କମ୍।