ମନୋରଞ୍ଜନ

ଗିରଫ ହେଲେ ରଜନୀକାନ୍ତଙ୍କ ଅଭିନୀତ ‘ଜେଲର୍‌’ ସିନେମାରେ ଖଳନାୟକ ସାଜିଥିବା ଅଭିନେତା ବିନାୟକନ – Utkal Mail


ତିରୁଅନନ୍ତପୁରମ: ଥାନାରେ ଗଣ୍ଡଗୋଳ କରିବା ଅଭିଯୋଗରେ ରଜନୀକାନ୍ତଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜେଲର୍‌’ରେ ଖଳନାୟକ ଭୂମିକାରେ ଅଭିନୟକ କରିଥିବା ଅଭିନେତା ବିନାୟକନ୍‌ଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ଉତ୍ତର ଏର୍ଣ୍ଣାକୁଲମ୍‌ ପୁଲିସ କହିଛି।

ପୁଲିସ ସୂତ୍ରରୁ ପ୍ରକାଶ, ତାଙ୍କୁ ଏର୍ଣ୍ଣାକୁଲମ୍‌ ଜେନେରାଲ୍‌ ହସ୍ପିଟାଲ୍‌କୁ ନିଆଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଡାକ୍ତରୀ ପରୀକ୍ଷା କରାଯାଇଛି।

ନିଶାସକ୍ତ ଅବସ୍ଥାରେ ସର୍ବସାଧାରଣ ସ୍ଥାନରେ ଉତ୍ସୃଙ୍ଖଳ ଆଚରଣ କରିବା ଓ ଥାନା କାର୍ଯ୍ୟକଳାପରେ ବାଧା ଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

Image Courtesy of Republic TV

ବିଶେଷସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ସେ ବାସକରୁଥିବା ଆପାର୍ଟମେଣ୍ଟ୍‌ରେ ବିଶୃଙ୍ଖଳା କରୁଥିବା ଅଭିଯୋଗ ପାଇବା ପରେ ପଚରା ଉଚରା ନିମନ୍ତେ ତାଙ୍କୁ ଥାନାକୁ ଡକାଯାଇଥିଲା। ଥାନାରେ ମଧ୍ୟ ସେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କଲେ। ସେହି କାରଣରୁ ହିଁ ତାଙ୍କୁ ଗିରଫ କରାଯାଇଛି।

ଗଣମାଧ୍ୟମକୁ ଉତ୍ତର ଏର୍ଣ୍ଣାକୁଲମ୍‌ ପୁଲିସ ‘ଷ୍ଟେସନ୍‌ ହାଉସ୍‌ ଅଫିସର୍‌’ କହିଛନ୍ତି, ଅଭଦ୍ରୋଚିତ ଆଚରଣ କରିବା କାରଣରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିଛି ସମୟ ପରେ ତାଙ୍କୁ ଥାନାରୁ ଜାମିନ ମିଳିବ ଓ ସେ ମୁକ୍ତ ହେବେ। ସେ ନିଶାସକ୍ତ ଥିବା କଥା ଆମେ ଜାଣିପାରିଛୁ।

ଉଲ୍ଲେଖଯୋଗ୍ୟ, ବିନାୟକନ୍‌ ହେଉଛନ୍ତି ତାମିଲ ବଂଶୋଦ୍ଭବ ଭାରତୀୟ ଅଭିନେତା। ସେ ମୁଖ୍ୟତଃ ତାମିଲ୍‌ ଓ ମଲାୟାଲମ୍‌ ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ଅନ୍ୟାନ୍ୟ ସମ୍ମାନ ଓ ପୁରସ୍କାର ସମେତ ବିନାୟକନ ‘କେରଳ ଫିଲ୍ମ୍‌ ଷ୍ଟେଟ୍‌ ଆୱାର୍ଡ’ ପାଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button