ବ୍ୟବସାୟ

ମହଙ୍ଗା ହେବ ସାର: ରିହାତି ବନ୍ଦକଲେ ରୁଷ୍ କମ୍ପାନି – Utkal Mail


ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତରେ ସାର ମହଙ୍ଗା ହେବାର ଆଶଙ୍କା ଦେଖାଦେଇଛି। ରୁଷ୍ କମ୍ପାନିଗୁଡ଼ିକ ପୂର୍ବରୁ ଭାରତକୁ ସାର ବିକ୍ରିରେ ଯେଉଁ ରିହାତି ପ୍ରଦାନ କରୁଥିଲେ ତାହାକୁ ଏବେ ବନ୍ଦ କରିଦେଇଛନ୍ତି। ବଜାର ଦରରେ ଭାରତକୁ ସାର ବିକ୍ରି କରୁଛନ୍ତି। ଅଗଷ୍ଟ ମାସରେ ରୁଷ୍ କମ୍ପାନିଗୁଡ଼ିକ ଭାରତକୁ ବଜାର ଦରରେ ସାର ବିକ୍ରି କରିଛନ୍ତି। ଏଥିଯୋଗୁ ଭାରତର ସାର ଆମଦାନି ମୂଲ୍ୟ ଏବଂ ସରକାରଙ୍କ ସବସିଡି ବାବଦ ବୋଝ ବଢ଼ିଯିବ। ଅନ୍ତର୍ଜାତୀୟ ବଜାରରେ ସାର ଦାମ ବଢ଼ୁଥିବାବେଳେ ରୁଷ୍ର ଏଭଳି ପଦକ୍ଷେପ ଭାରତ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ବିଦେଶୀ ବିକ୍ରେତାଙ୍କ ସହିତ ମୂଲଚାଲ କରୁଥିବା ନୂଆଦିଲ୍ଲୀର ଜଣେ ଅଧିକାରୀ କହିଛନ୍ତି ବର୍ତ୍ତମାନ ରୁଷ୍ କମ୍ପାନି ସାରରେ କୌଣସି ରିହାତି ଭାରତକୁ ପ୍ରଦାନ କରୁନାହାନ୍ତି। ସେମାନେ ବଜାର ଦରରେ ଆମକୁ ସାର ବିକ୍ରି କରୁଛନ୍ତି। ପୂର୍ବରୁ ରିହାତି ପ୍ରଦାନ କରୁଥିବାରୁ ରୁଷ୍ରୁ ଭାରତର ସାର ଆମଦାନି ୨୦୨୨-୨୩ ଆର୍ଥିକ ବର୍ଷରେ ୨୪୬ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୪.୩୫ ନିୟୁତ ଟନରେ ପହଞ୍ଚିଥିଲା। ଗତବର୍ଷ ରୁଷ୍ କମ୍ ମୂଲ୍ୟରେ ସାର ଯୋଗାଇ ଦେବା କାରଣରୁ ଭାରତ ଏହି ଦେଶଠାରୁ ଅଧିକ ସାର କିଣିଥିଲା। ଫଳରେ ଚୀନ, ଇଜିପ୍ଟ, ଜୋର୍ଡାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶ ଯେଉଁଠୁ ଭାରତ ସାଧାରଣତଃ ପୂର୍ବରୁ ସାର କିଣିଆସୁଛି ସେମାନଙ୍କ ଠାରୁ ଅପେକ୍ଷାକୃତ ଭାବେ କମ୍ ସାର କିଣିଥିଲା। ରୁଷ୍ କମ୍ପାନିଗୁଡ଼ିକ ସାଧାରଣତଃ ଟନ୍ ପିଛା ଡିଏପି ସାର ଉପରେ ୮୦ ଡଲାର ରିହାତି ପ୍ରଦାନ କରୁଥିଲେ। ବର୍ତ୍ତମାନ ସେମାନେ ୫ ଡଲାରର ରିହାତି ମଧ୍ୟ ଦେଉନାହାନ୍ତି ବୋଲି ଭାରତୀୟ ସାର ଶିଳ୍ପ ସହ ଜଡ଼ିତ ଅନ୍ୟ ଜଣେ ଅଧିକାରୀ କହିଛନ୍ତି।ବର୍ତ୍ତମାନ ରୁଷ୍ର ଡିଏପି ସାର ମୂଲ୍ୟ ଟନ୍ ପିଛା ୫୭୦ ଡଲାର ରହିଛି। ଏସିଆର ଅନ୍ୟ ଦେଶଗୁଡ଼ିକୁ ରୁଷ୍ କମ୍ପାନି ଯେଉଁ ଦରରେ ସାର ଯୋଗାଇ ଦେଉଛନ୍ତି ଭାରତ ମଧ୍ୟ ସେହି ଦାମରେ କିଣୁଛି।

ଅନ୍ତର୍ଜାତୀୟ ବଜାରରେ ସାର ମୂଲ୍ୟ ଗତ ଦୁଇମାସ ହେଲା ବୃଦ୍ଧି ପାଉଛି। ଫଳରେ ଭାରତୀୟ କମ୍ପାନିଙ୍କୁ ଆଗାମୀ ଦିନର ଆବଶ୍ୟକତା ପୂରଣ ପାଇଁ ସାର ମହଜୁଦ ରଖିବା କଷ୍ଟକର ହୋଇପଡ଼ିଛି। ଆସନ୍ତା ଶୀତଦିନେ ଗହମ ଚାଷ ପାଇଁ ଭାରତରେ ଡିଏପି ସାର ଚାହିଦା ବଢ଼ିଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଜୁଲାଇ ମାସରେ ଅନ୍ତର୍ଜାତୀୟ ସ୍ତରରେ କମ୍ପାନିଗୁଡ଼ିକ ଟନ୍ ପିଛା ପାଖାପାଖି ୩୦୦ ଡଲାରରେ ୟୁରିଆ ଯୋଗାଇ ଦେଉଥିଲେ। କିନ୍ତୁ ଏବେ ସେମାନେ ଟନ ପିଛା ୪୦୦ ଡଲାର ମାଗୁଛନ୍ତି। ସେହିଭଳି ଜୁଲାଇରେ ଡିଏପି ସାର ମୂଲ୍ୟ ଟନ ପିଛା ୪୪୦ ଡଲାର ଥିଲା। ଆଗାମୀ ଦିନରେ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ସାଧାରଣ ନିର୍ବାଚନ ପୂର୍ବରୁ ଏସବୁ ରାଜ୍ୟର ବିଧାନସଭା ନିର୍ବାଚନ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତେଣୁ ସରକାର ଚାଷୀଙ୍କୁ ସାରରେ ଅଧିକ ସବ୍ସିଡି ଦେବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ ବୋଲି ଏକ ସାର କମ୍ପାନିର ଜଣେ ଅଧିକାରୀ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button