ଦେଶ ବିଦେଶ

୩ ହଜାର ଫୁଟ ଉଚ୍ଚରେ ଦଶମ ଶତାବ୍ଦୀର ଗଣେଶ ମୂର୍ତ୍ତି: ଭକ୍ତଙ୍କ ପ୍ରବଳ ଭିଡ଼

ମାଲକାନଗିରି: ଅଗ୍ରପୂଜ୍ୟ ଗଣପତିଙ୍କର ଏବେ ହର୍ଷଉଲ୍ଲାସରେ ଚାଲିଛି ପୂଜାର୍ଚ୍ଚନା। ଗାଁ ଠାରୁ ସହର ସବୁଠାରେ ଗଣେଶ ପୂଜା ଧୂମଧାମରେ ପାଳିତ ହେଉଛି। ଆମେ ଏଠାରେ ଏଭଳି ଏକ ଗଣେଶ ମୂର୍ତ୍ତି କଥା କହିବୁ, ଯାହା ଦଶମ ଶତାବ୍ଦୀରେ ପୂଜା ପାଇ ଆସିଛନ୍ତି। ଛତିଶଗଡ଼ର ଦନ୍ତେଵାଡା ଜିଲ୍ଲାର ବୈଲାଡିଲା ନିକଟସ୍ଥ ଢୋଲକାଲ ଠାରେ ଏହି ଗଣେଶ ମୂର୍ତ୍ତି ସମୁଦ୍ର ପତନ ଠାରୁ ୩ ହଜାର ଫୁଟ ଉଚ୍ଚରେ ରହିଛନ୍ତି।

ପ୍ରତ୍ନତତ୍ତ୍ୟଙ୍କ କହିବା ଅନୁଯାୟୀ ଦଶମ ଶତାବ୍ଦୀରେ ନାଗବଂଶୀ ଶାସନ କାଳରେ ଘଂଜ ଜଂଗଲର ଢୋଲକାଲ ଶିଖରରେ ଏହି ମୂର୍ତ୍ତିକୁ ନିର୍ମାଣ କରାଯାଇଥିଲା। ଗଣେଶ ଚତୁର୍ଥୀରେ ଭକ୍ତଙ୍କ ସମାଗମ ହୋଇଥାଏ। ପାହାଡ଼ ଉପରେ ଚାଲି ଚାଲି ଏହି ସ୍ଥାନରେ ପହଞ୍ଚିବାକୁ ପଡିଥାଏ। ଢୋଲ ପାହାଡ଼ ଉପରେ ଚାରିଭୁଜ ଧାରି ଗଣେଶ ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଗଣେଶଙ୍କ ଗୋଟିଏ ହାତରେ ନାଗ ରହିଥିବାରୁ ଏହାକୁ ନାଗବଂଶୀ ହିଁ ନିର୍ମାଣ କରିଥାଇପାରନ୍ତି ବୋଲି କୁହାଯାଇଛି। ପ୍ରତିବର୍ଷ ଗଣେଶ ଚତୁର୍ଥୀରେ ଛତିଶଗଡ଼ ସମେତ ଓଡ଼ିଶା,ଆନ୍ଧ୍ର,ତେଲେଙ୍ଗାନା ସହ ଅନ୍ୟ ରାଜ୍ୟର ଶହ ଶହ ଭକ୍ତଙ୍କ ସମାଗମ ହେଉଥିବାରୁ ପ୍ରଶାସନ ତରଫରୁ ଏଠାରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥାଏ।

ପାହାଡକୁ କାଟି ସମତଳ କରାଯାଇ ସେଠାରେ ପଥରରେ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। ଏହି ସ୍ଥାନକୁ ଯିବାକୁ ହେଲେ ମା‘ ଦନ୍ତେଶ୍ବରୀ ମନ୍ଦିର ଠାରୁ ୧୭ କିଲୋମିଟର ଦୁର କରସପାଲ ଗାଁରେ ପହଞ୍ଚିବାକୁ ପଡେ। ସେଠାରୁ କୋଟଵାରପାରା ଯିବାକୁ ପଡିଥାଏ।ସେଠାରୁ ଗାଇଡ କିମ୍ବା ଗ୍ରାମବାସୀଙ୍କ ସହଯୋଗରେ ପ୍ରାୟ ଦୁଇ ଘଣ୍ଟା ପାହାଡରେ ଚାଲିବାକୁ ପଡିଥାଏ।ପାହାଡି ରାସ୍ତା ହୋଇଥିବାରୁ ବର୍ଷା ଦିନେ ପାହାଡ଼ରେ ଚାଲିବା କଷ୍ଟକର ହୋଇଥାଏ। ଢୋଲକାଲ ପହଞ୍ଚିବା ପରେ ଚାରିପଟେ କେବଳ ସବୁଜ ହିଁ ସବୁଜ ଦେଖିବାକୁ ମିଳେ।ଦୁରରୁ ହିଁ କାହିଁ କେତେ ହଜାର ବର୍ଷରୁ ବସି ରହିଥିବା ଗଣେଶ ମୂର୍ତ୍ତି ସହଜରେ ଦେଖି ହୁଏ। ଦୁଇ ଘଣ୍ଟା ଚାଲିବାର କଷ୍ଟ ଗଣେଶ ମୂର୍ତ୍ତିଙ୍କ ଦର୍ଶନରେ ସବୁ ଦୁର ହୋଇଯାଇଥାଏ ବୋଲି କୁହାଯାଏ। ଭାରତର ସବୁଠାରୁ ଉଚ୍ଚ ସ୍ଥାନରେ ରହିଥିବା ମୂର୍ତ୍ତି ମଧ୍ୟରୁ ଦନ୍ତେଵାଡାରେ ଏହି ଗଣେଶ ମୂର୍ତ୍ତି ସର୍ବ ପ୍ରଥମ ବୋଲି କୁହାଯାଇଛି। ଯଦି ଦନ୍ତେଵାଡାରୁ ସିଧା ଢୋଲକାଲ ଆସିବାକୁ ପଡେ ତେବେ ମାତ୍ର ୧୩ କିଲୋମିଟର ହୋଇଥାଏ।

ଆଜି ବି ଏହି ମୂର୍ତ୍ତି ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟ ହୋଇ ରହିଛି। ଦୁନିଆରେ ଯେତେ ଗଣେଶ ମୂର୍ତ୍ତି ରହିଛି,ଦନ୍ତେଵାଡାର ଏହି ଗଣେଶ ମୂର୍ତ୍ତି ଅତି ଦୁର୍ଲଭ ବୋଲି କୁହାଯାଏ। ଏହାଙ୍କୁ ଦନ୍ତେଵାଡାର ରକ୍ଷକ ବୋଲି ମଧ୍ୟ କୁହାଯାଇଥାଏ। ଏଠାରେ କୈଳାଶ ଗୁମ୍ଫା ମଧ୍ୟ ରହିଛି। କିମ୍ବଦନ୍ତୀ ଅନୁଯାୟୀ ଗଣେଶ ଏବଂ ପର୍ଶୁରାମଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଏଠାରେ ହୋଇଥିଲା। ସେହି ଯୁଦ୍ଧରେ ଗଣେଶଙ୍କ ଗୋଟିଏ ଦାନ୍ତ ଭାଙ୍ଗି ଏଠାରେ ପଡିଥିଲା ବୋଲି ମାନ୍ୟତା ରହିଛି। ବର୍ଷା ସତ୍ବେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button