ଓଡିଶା

ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଏନ୍‌ଇପି: ବଦଳିବ ପାଠ୍ୟକ୍ରମ, ବହି ଓ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦। ଏହାକୁ ଦୃଷ୍ଟିରେ ରଖି ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ଷ୍ଟିୟରିଂ କମିଟି ଗଠନ ହୋଇଛି। ୧୬ ଜଣ ସଦସ୍ୟଙ୍କୁ ନେଇ ଗଠିତ କମିଟିର ଅଧ୍ୟକ୍ଷ ରହିବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ। ଏନ୍‌ସିଇଆର୍‌ଟି ପୂର୍ବତନ ନିର୍ଦେଶକ ହୃଷିକେଶ ସେନାପତି, ଅବସରପ୍ରାପ୍ତ ଆସୋସିଏଟ ପ୍ରଫେସର ଗୋପାଳ ପ୍ରସାଦ ମହାପାତ୍ର, ଅବସରପ୍ରାପ୍ତ ପ୍ରଫେସର ଉଦୟନାଥ ଦାସ, ଶିକ୍ଷାବିତ୍‌ କିଶୋର ଚନ୍ଦ୍ର ମହାନ୍ତି, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ରଞ୍ଜନ ଆରୋରା, ପ୍ରଫେସର ସୁନିତ ସନୱାଲ, ଭୁବନେଶ୍ୱର ଆର୍‌ଆଇଇ ନିର୍ଦେଶକ ପ୍ରଫେସର ପି ସି ଅଗ୍ରୱାଲ, ଏନ୍‌ସିଇଆର୍‌ଟିର ବିନୟ ପଟ୍ଟନାୟକ, ମହେନ୍ଦ୍ର କୁମାର ମିଶ୍ର, ଗାୟତ୍ରୀ ମହାନ୍ତି, ସରୋଜ କୁମାର ପଟ୍ଟନାୟକ, ଶ୍ରୁତି ମହାପାତ୍ର, ମୋନାଲ ଜୟରାମ, ଗାୟତ୍ରୀ ବାହିନୀପତି କମିଟିର ସଦସ୍ୟ ରହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ କମିଟିର ଆବାହକ ଅଛନ୍ତି। ଏହି କମିଟି ଛାତ୍ରଛାତ୍ରୀଙ୍କ ପାଠ୍ୟ ଖସଡା ପ୍ରସ୍ତୁତ କରିବେ।

୧୬ ଜଣିଆ ଷ୍ଟିୟରିଂ କମିଟି ଗଠିତ
୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଶିକ୍ଷକ କର୍ମଶାଳା

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ୨୦୨୫-୨୬ ଶିକ୍ଷାବର୍ଷରୁ ବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବ। ଆସନ୍ତା ଶିକ୍ଷାବର୍ଷରେ ଏନ୍ଇପି ଆଧାରରେ ନାମଲେଖା ହେବ। ବାଳବାଟିକାକୁ ଗୁରୁତ୍ବ ଦେବା ସହ ପ୍ରାଥମିକ ଶିକ୍ଷା ତଥା ମୂଳଦୁଆକୁ ଅଧିକ ମଜବୁତ୍ କରିବା ପାଇଁ ପ୍ରୟାସ କରାଯିବ। ଏନେଇ ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଶିକ୍ଷକ କର୍ମଶାଳା ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଶିକ୍ଷାବିତ୍‌ମାନେ ଏହି କର୍ମଶାଳାରେ ଯୋଗଦେବେ। ଡିଜିଟାଲ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ସ୍କୁଲ୍ ସ୍ତରରେ ଛାତ୍ରଛାତ୍ରୀ କିଭଳି ପାଇବେ ତା ଉପରେ ଗୁରୁତ୍ବ ଦିଆଯିବ। ଏଥିସହ ଓଡ଼ିଶାର ଆଞ୍ଚଳିକ ଭାଷା, ମାତୃଭାଷା, କଳା, ସଂସ୍କୃତି ଉପରେ ଫୋକସ୍ ରହିବ। ପିଲାଙ୍କୁ ଚାପମୁକ୍ତ କରିବା, ଶିକ୍ଷା ପ୍ରଣାଳୀର ସରଳୀକରଣ, ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆଯିବ।

ଷ୍ଟିଆରିଂ କମିଟି ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ପ୍ରସ୍ତୁତ ଦୁଇ ଜାତୀୟ ପାଠ୍ୟଖସଡ଼ାକୁ ଆଧାର କରି ଓଡ଼ିଶାର ଜ୍ଞାନ, ପରମ୍ପରା, କଳା, ସଂସ୍କୃତି ଆଧାରରେ ରାଜ୍ୟ ପାଇଁ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ହେବ। ଓଡ଼ିଶାରେ ୬୨ ପ୍ରକାର ଆଦିବାସୀ ରହିଛନ୍ତି। ତେଣୁ ତାଙ୍କ କଳା ସଂସ୍କୃତିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ। ପ୍ରତ୍ୟେକ ବର୍ଗର ଲୋକଙ୍କ ମତାମତ ଲୋଡାଯିବ। ବାଳବାଟିକା ଓ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ। ଘୋଷା ପାଠକୁ ଅଗ୍ରାଧିକାର ନଦେଇ ସୃଜନାତ୍ମକ ପ୍ରଶ୍ନ, ଚିନ୍ତାମୂଳକ ପ୍ରଶ୍ନ ଉପରେ ଗୁରୁତ୍ବ ଦିଆଯିବ। ଏସବୁ ଶେଷ ପରେ ନୂଆ ବହି ଛପା ଯିବ। ଏଥିପାଇଁ ପାଠ୍ୟ ପୁସ୍ତକ କମିଟି ଗଠନ କରାଯିବ। ନୂଆ ସିଲାବସ ସହ ପରୀକ୍ଷା ଢାଞ୍ଚା ବି ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି। ସେପଟେ ପିଏମଶ୍ରୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏଥିରେ ଓଡ଼ିଶାର ପ୍ରାୟ ୩୫୦ ସ୍କୁଲ ସାମିଲ ରହିଛି। ଅଧିକ ସ୍କୁଲ ସାମିଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ଗଣଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button