କ୍ରୀଡା

ମହିଳା ପ୍ରିମିୟର ଲିଗ୍‌: ମନ୍ଧାନା ମୂଲ୍ୟବାନ, ଓଡ଼ିଆ ଖେଳାଳି ଅଲୋଡା

ମୁମ୍ବାଇ : ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌)ର ଉଦ୍‌ଘାଟନୀ ସଂସ୍କରଣର ଖେଳାଳି ନିଲାମରେ ଭଲ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ଏମାନଙ୍କ ଭିତରୁ ଭାରତୀୟ ବ୍ୟାଟର୍‌ ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ମୁମ୍ବାଇରେ ହୋଇଥିବା ଏହି ନିଲାମରେ ମନ୍ଧାନାଙ୍କୁ କିଣିବା ପାଇଁ ଆର୍‌ସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ଆର୍‌ସିବି ମନ୍ଧାନାଙ୍କୁ ସବୁଠୁ ଅଧିକ ଦରରେ କିଣିବାରେ ସଫଳ ହୋଇଥିଲା। ଭାରତୀୟ ଦଳର ଅଧିନାୟିକା ହର୍ମନପ୍ରୀତ୍‌ କୌରଙ୍କୁ ମୁମ୍ବାଇ ଅପେକ୍ଷାକୃତ ଶସ୍ତାରେ କିଣିପାରିଛି। ଏପରିକି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ହର୍ମନପ୍ରୀତ୍‌ ଦାମୀ ଖେଳାଳି ହୋଇପାରିନାହାନ୍ତି। ଏହି ଫ୍ରାଞ୍ଚାଇଜ୍‌ ଇଂଲଣ୍ଡର ନାତାଲି ସ୍କିଭରଙ୍କୁ ୩.୨ କୋଟି ଟଙ୍କାରେ କିଣିଛି। କେବଳ ଏତିକି ନୁହେଁ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଅଧିକ ଦରରେ କିଣା ହୋଇଥିବା ଶୀର୍ଷ ୫ ଖେଳାଳିଙ୍କ ଭିତରେ ବି ହର୍ମନପ୍ରୀତ୍‌ ସ୍ଥାନ ପାଇନାହାନ୍ତି।

ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ୟୁପି ୱାରିଅର୍ସ ୨.୬ କୋଟି ଟଙ୍କାରେ, ଜେମିମା ରଦ୍ରିଗୁଏଜ୍‌ ଓ ପ୍ରାରମ୍ଭିକ ବ୍ୟାଟର୍‌ ତଥା ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ବିଜେତା ଦଳର ଅଧିନାୟିକା ଶେଫାଳି ବର୍ମାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଯଥାକ୍ରମେ ୨.୨ କୋଟି ଓ ୨ କୋଟି ଟଙ୍କାରେ କିଣିଛି। ଭାରତୀୟ ଖେଳାଳିଙ୍କ ମଧ୍ୟରୁ ମୋଟ ୧୦ ଜଣଙ୍କୁ ୧କୋଟି କିମ୍ବା ଏହାଠୁ ଅଧିକ ଟଙ୍କାରେ କିଣାଯାଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଆସ୍‌ଲେ ଗାର୍ଡନର (ଗୁଜରାଟ ଟାଇଟନ୍ସ) ଓ ଇଂଲଣ୍ଡର ନାତାଲି ସ୍କିଭର (ମୁମ୍ବାଇ ଇଣ୍ଡିଆନ୍ସ) ୩.୨ କୋଟି ଟଙ୍କା ଲେଖାଏଁରେ କିଣା ହୋଇ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଦାମୀ ଖେଳାଳି ହୋଇପାରିଛନ୍ତି। ମୋଟ୍‌ ୮୭ ଜଣ ଖେଳାଳିଙ୍କୁ ବିଭିନ୍ନ ଦଳ କିଣିଥିଲା ବେଳେ ସେମାନଙ୍କ ମଧ୍ୟରେ ୩୦ ବିଦେଶୀ ଖେଳାଳି ଅନ୍ତର୍ଭୁକ୍ତ। ଖେଳାଳିମାନଙ୍କୁ କିଣିବା ପାଇଁ ବିଭିନ୍ନ ଫ୍ରାଞ୍ଚାଇଜି ୫୯.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସୂଚନାଯୋଗ୍ୟ ନିଲାମ ପାଇଁ ୪୪୮ ଜଣ ଖେଳାଳିଙ୍କ ନାମକୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button