ମଦୁରାଇ ଷ୍ଟେସନ୍ ନିକଟରେ ଟ୍ରେନ୍ରେ ଅଗ୍ନିକାଣ୍ଡ; ୯ ଜୀବନ୍ତ ଦଗ୍ଧ – Utkal Mail
ମଦୁରାଇ: ଲକ୍ଷ୍ନୌରୁ ରାମେଶ୍ବରମ୍ ଅଭିମୁଖେ ଯାଉଥିବା ଏକ ଟ୍ରେନ୍ର ‘ଟୁରିଷ୍ଟ୍ କୋଚ୍’ରେ ଆଜି ପ୍ରତ୍ୟୁଷରେ ନିଆଁ ଲାଗିଯିବାରୁ ଅନ୍ୟୂନ ୯ଜଣ ଯାତ୍ରୀ ପ୍ରାଣ ହରାଇଥିବା କଥା ‘ଜି ନିଉଜ୍’ ରିପୋର୍ଟ କରିଛି।
ନିଆଁ ଲାଗିବା ବେଳେ ଲକ୍ଷ୍ନୌ-ରାମେଶ୍ବରମ୍ ଏକ୍ସ୍ପ୍ରେସ୍ ଟ୍ରେନ୍ ଠିଆ ହୋଇଥିଲା। ‘ସଦର୍ଣ୍ଣ ରେଲ୍ୱେ’ କହିଛି ଯେ, ସେଥିରେ ବେଆଇନ ଭାବେ ନିଆଯାଉଥିବା ‘ଗ୍ୟାସ୍ ସିଲିଣ୍ଡର୍’ ଯୋଗୁଁ ନିଆଁ ଲାଗିଛି।
ଏହି ‘ପ୍ରାଇଭେଟ୍ ପାର୍ଟି କୋଚ୍’ର ଯାତ୍ରୀମାନେ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଆସିଥିଲେ। ଘଟଣାସ୍ଥଳକୁ ଯାଇଥିବା ମଦୁରାଇ ଜିଲ୍ଲାପାଳ ଏମ୍. ଏସ୍. ସଙ୍ଗୀତା କହିଛନ୍ତି, ଟ୍ରେନ୍ରେ ନିଆଁ ଲାଗିଯିବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଆଉ ୨୦ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ, ଅଗ୍ନିଶମ ବାହିନୀ, ଉଦ୍ଧାରକାରୀ ଟିମ୍ ଓ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ ନିଆଁ ଲିଭାଇବା ସହିତ ପୋଡ଼ିଯାଇଥିବା ଯାତ୍ରୀଙ୍କ ଶବ ବାହାରକୁ କମ୍ପାର୍ଟମେଣ୍ଟ୍ରୁ ବାହାରକୁ ଆଣୁଛନ୍ତି।

ମଦୁରାଇ ଜିଲ୍ଲାପାଳଙ୍କ ବିବୃତିରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ କରିଛି, ମଦୁରାଇ ଷ୍ଟେସନ୍ ନିକଟରେ ଅଟକି ଥିବା ଏକ କୋଚ୍ରେ ଆଜି ସକାଳ ୫.୩୦ରେ ନିଆଁ ଲାଗିଥିଲା। ଏଥିରେ ଉତ୍ତର ପ୍ରଦେଶରୁ ତୀର୍ଥଯାତ୍ରୀମାନେ ଆସିଥିଲେ। କଫି ତିଆରି କରିବା ଲାଗି ସେମାନେ ଗ୍ୟାସ୍ ଷ୍ଟୋଭ୍ ଲଗାଇବା ବେଳେ ଗ୍ୟାସ୍ ସିଲିଣ୍ଡର୍ ଫାଟି ନିଆଁ ଲାଗିଯାଇଥିଲା। ଏବେ ସୁଦ୍ଧା ଘଟଣାସ୍ଥଳରୁ ୯ଜଣଙ୍କ ଶବ ଉଦ୍ଧାର କରାଯାଇଛି।
ନିଆଁ ଲାଗିଥିବା କମ୍ପାର୍ଟମେଣ୍ଟ୍ରେ ୫୫ଜଣ ଯାତ୍ରୀ ଥିଲେ। ମୃତ ଯାତ୍ରୀଙ୍କ ମଧ୍ୟରୁ ୬ଜଣ ହେଉଛନ୍ତି ଉତ୍ତର ପ୍ରଦେଶବାସୀ। ମଦୁରାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିବା କଥା ‘ସଦର୍ଣ୍ଣ ରେଲ୍ୱେ’ କହିଛି।