ନୀତି

ଟୁଥ୍‌ପେଷ୍ଟ ସଂଗ୍ରହରେ ରେକର୍ଡ – Utkal Mail


ଜର୍ଜିଆର ଜଣେ ଦନ୍ତ ବିଶେଷଜ୍ଞ ୨,୦୩୭ ପ୍ରକାରର ଦନ୍ତମଞ୍ଜନ ବା ଟୁଥ୍‌ପେଷ୍ଟ ସଂଗ୍ରହ କରି ଗିନିସ ବିଶ୍ବ ରେକର୍ଡରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ଜର୍ଜିଆର ଆଲଫାରେଟ୍ଟାରେ ଦନ୍ତଚିକିତ୍ସା କରୁଥିବା ଡାକ୍ତର ବାଲ କୋଲପାକୋଭ୍‌ ଜାପାନ, କୋରିଆ, ଚୀନ୍‌, ଭାରତ ଓ ରୁଷିଆ ଆଦି ଦେଶରୁ ଏହି ଟୁଥ୍‌ପେଷ୍ଟ୍‌ଗୁଡ଼ିକ ସଂଗ୍ରହ କରିଛନ୍ତି। ଜଣେ ଦନ୍ତ ବିଶେଷଜ୍ଞ ଭାବରେ ବିଭିନ୍ନ ଟୁଥ୍‌ପେଷ୍ଟ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଜାଣିବା ପାଇଁ ସେ ୨୦୦୧ ମସିହାରୁ ବଜାରରେ ଉପଲବ୍‌ଧ ପେଷ୍ଟ୍‌ଗୁଡ଼ିକୁ ସଂଗ୍ରହ କରିବା ଆରମ୍ଭ କରିଥିଲେ। ତେବେ ତାହା କ୍ରମେ ଏକ ନିଶାରେ ପରିଣତ ହୋଇଥିଲା ଏବଂ ସେ ଅନ୍ୟ ଦେଶରୁ କିଛି ପୁରୁଣା ଟୁଥ୍‌ପେଷ୍ଟ୍‌ ସଂଗ୍ରହ କରିଥିଲେ। ତାଙ୍କ ସଂଗ୍ରହ ମଧ୍ୟରେ ଉପରୋକ୍ତ ଦେଶମାନଙ୍କର ପ୍ରାୟ ସବୁ ପ୍ରକାରର ଲୋକପ୍ରିୟ ପେଷ୍ଟ୍‌ ସହ ଵାସାବି ଓ ହ୍ବିସ୍କି ପରି ଅସ୍ବାଭାବିକ ସ୍ବାଦର ଦନ୍ତମଞ୍ଜନ ମଧ୍ୟ ରହିଛି। ତାଙ୍କ ଚିକିତ୍ସାଳୟର ‘ଦନ୍ତମଞ୍ଜନ ସଂଗ୍ରହାଳୟ’ରେ ବିଶେଷ କରି ରାଇ, ସ୍କଚ୍‌ ଓ ବର୍ବନ୍‌ ପରି ହ୍ବିସ୍କିର ତିନି ପ୍ରକାର ସ୍ବାଦର ବିରଳ ଦନ୍ତମଞ୍ଜନ ରହିଛି। ୧୯୫୦ ଦଶକରେ ପ୍ରସ୍ତୁତ ହୋଇଥିବା ଏହି ପେଷ୍ଟ୍‌ରେ ୩ ପ୍ରତିଶତ ଆଲ୍‌କୋହୋଲ ରହିଥିବା ସେ କହିଛନ୍ତି।

ଅପରପକ୍ଷେ, ତାଙ୍କ ପାଖରେ ଵାସାବି ସ୍ବାଦର ପେଷ୍ଟ୍‌ ରହିଥିଲେ ହେଁ ସେ କେବେ ତାହାର ସ୍ବାଦ ପରୀକ୍ଷା କରିନାହାନ୍ତି। ସେହିପରି ତାଙ୍କର ଏହି ବିରଳ ସଂଗ୍ରହ ମଧ୍ୟରେ ଦୋରାମାଡ୍‌ ଟୁଥ୍‌ପେଷ୍ଟ ରହିଛି ଯେଉଁଥିରେ ତେଜସ୍କ୍ରିୟ ଯୌଗିକ ଥୋରିଅମ୍‌ ରହିଛି। ଏପରି ବିବିଧ ପ୍ରକାରର ଟୁଥ୍‌ପେଷ୍ଟ ସଂଗ୍ରହ କରିବାରେ ନିଆରା ମଜା ରହିଛି ଏବଂ ବଜାରକୁ ଆସୁଥିବା ନୂଆ ନୂଆ ପେଷ୍ଟ୍‌ ଉପରେ ସେ ନଜର ରଖିଥାନ୍ତି ବୋଲି ଡାକ୍ତର କୋଲପାକୋଭ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button