କ୍ରୀଡା

ଟେବୁଲ ଟେନିସ ନିଶାରେ ରିତମ୍‌: କଅଁଳ ବୟସରେ ସାଉଁଟୁଛନ୍ତି ସଫଳତା – Utkal Mail


ରାଉରକେଲା: ଟେବଲ୍‌ ଟେନିସ୍‌ ଜଗତରେ ଜଣେ ଉଦୀୟମାନ ଖେଳାଳିଙ୍କ ଆବିର୍ଭାବ ଘଟିଛି। ତାଙ୍କର ଉଚ୍ଚକୋଟୀର କ୍ରୀଡ଼ାକୌଶଳ ବିଶେଷଜ୍ଞ ବିମୋହିତ କରିଛି। ଏହି ତାରକା ହେଉଛନ୍ତି ରାଉରକେଲାର ରିତମ ଭୂୟାଁ। ମାତ୍ର ୩ ବର୍ଷ ପୂର୍ବେ ଟେବଲ ଟେନିସ ଖେଳିବା ଆରମ୍ଭ କରିଥିଲେ ରିତମ। କିନ୍ତୁ ସ୍ବଳ୍ପ ଅବଧି ଭିତରେ ଏହି କ୍ରୀଡ଼ାରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

୨୦୨୦ ମସିହାର କୋଭିଡ୍ ମହାମାରୀ ସମଗ୍ର ବିଶ୍ବକୁ ନିଶ୍ଚଳ କରିଦେଇଥିଲା। ଏହି ସମୟରେ ଶିକ୍ଷାଦାନ ବି ବନ୍ଦ ରହିଥିଲା। ତେବେ ସମୟ ନଷ୍ଟ ନକରିବା ସହ କ୍ରୀଡ଼ାରେ ମନୋନିବେଶ କରିବାକୁ ବାପାଙ୍କଠାରୁ ଉପଦେଶ ପାଇଥିଲେ। ପରେ ଟେବଲ୍‌ ଟେନିସକୁ ଆପଣେଇନେଇଥିଲେ ରିତମ। ପ୍ରଶିକ୍ଷକ ସନ୍ନି ସିଂହଙ୍କଠାରୁ କଳାକୌଶଳ ଶିଖିଥିଲେ। ସ୍ଥାନୀୟ ଇନ୍‌ଡୋର ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ। ୨୦୨୨ ଅଗଷ୍ଟ ମାସରେ ରିତମ୍ ପ୍ରଥମ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିଲେ। ପ୍ରଥମ ପ୍ରତିଯୋଗିତାରେ ସେ ସେମିଫାଇନାଲ ପ୍ରବେଶ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଯଦିଓ ଫାଇନାଲକୁ ପ୍ରବେଶ କରିପାରିନଥିଲେ; କିନ୍ତୁ ତାଙ୍କର ପ୍ରଦର୍ଶନ ସମସ୍ତଙ୍କୁ ଆକର୍ଷିତ କରିଥିଲା। ୨୦୨୩ ଜୁଲାଇରେ ଭୁବନେଶ୍ୱରରେ ଅନୁଷ୍ଠିତ ୧୩ ବର୍ଷରୁ କମ୍‌ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖି ଉପବିଜେତା ହୋଇଥିଲେ। ଗତ ୧୨ରୁ ୧୬ ତାରିଖଯାଏ କଟକସ୍ଥ ଜେ.ଏନ. ଇନଡୋର ଷ୍ଟାଡିୟମରେ ୨୮ ତମ ୟଙ୍ଗ୍‌ ଜେନେରେସନ୍ ଟେବଲ୍ ଟେନିସ୍ ଆସୋସିଏସନ୍(ୱାଇଜିଟିଟିଏ) ଆୟୋଜିତ ରୢାଙ୍କିଂ ପ୍ରତିଯୋଗିତାର ୧୧ ବର୍ଷରୁ କମ୍‌ ବର୍ଗର ଚାମ୍ପିଅନ ହୋଇଥିଲେ। ଏହି ସଫଳତା ତାକୁ ନୂଆ ଲୋକପ୍ରିୟତା ଆଣିଦେଇଛି। ରିତମ ହେଉଛନ୍ତି ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପାଇପ୍‌ ପ୍ଳାଣ୍ଟ୍‌ରେ କାର୍ଯ୍ୟରତ ମାଷ୍ଟର ଅପରେଟିଭ୍ ପ୍ରଶାନ୍ତ ଭୂୟାଁ ଓ ସସ୍ମିତା ଭୂୟାଁଙ୍କ ପୁଅ। ସେ ଦିଲ୍ଲୀ ପବ୍ଲିକ୍ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button