ମୋମୋ ବିକ୍ରି କରିବେ ବୋଲି ସଂକୋଚ କରୁଥିଲେ ବାପାମାଆ: ପୁଅ ବନିଗଲେ ୨୦୦୦ କୋଟି ଟଙ୍କାର ମାଲିକ – Utkal Mail
ନୂଆଦିଲ୍ଳୀ: ଗତ କିଛି ବର୍ଷ ମଧ୍ୟର ମୋମୋ ପ୍ରତି ଲୋକଙ୍କ ଭଲପାଇବା ଖୁବ୍ ବଢ଼ିଯାଇଛି। ବିଶେଷ କରି ଯୁବପିଢ଼ିମାନଙ୍କ କ୍ଷେତ୍ରରେ ମୋମୋ ଖାଇବାର ଇଚ୍ଛା ଖୁବ୍ ଅଧିକ ବଢ଼ିଯାଇଛି। ମୋମୋ ଏବେ ପିଜା, ବର୍ବର ପରି ଖାଦ୍ୟ ସହ ଟକ୍କର ଦେଉଛି। ରାସ୍ତାକଡ଼ର ମୋମୋ କଥା ଛାଡ଼ନ୍ତୁ, ଆପଣ ଅଧିକାଂଶ ସ୍ଥାନରେ ‘ୱାୱ ମୋମୋ’ର ହୋର୍ଡିଂ ଦେଖିଥିବେ କିମ୍ବା ଖାଇଥିବେ ମଧ୍ୟ। ଏହି ‘ୱାୱ ମୋମୋ’ର ପ୍ରତିଷ୍ଠାତାଙ୍କ କାହାଣୀ ବଡ଼ ପ୍ରେରଣାଦାୟକ। ଯିଏକି କେବଳ ମୋମୋ ବିକ୍ରି କରି ୨୦୦୦ କୋଟି ଟଙ୍କାର କମ୍ପାନି ଛିଡ଼ା କରି ଦେଇଛନ୍ତି।
ନିଜ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହ ସେମାନଙ୍କ କ୍ୟାରିୟର୍କୁ ନେଇ ବଡ଼ ବଡ଼ ସ୍ବପ୍ନ ଦେଖିବା ସବୁ ବାପାମାଆଙ୍କ ସ୍ବପ୍ନ ହୋଇଥାଏ। ସମସ୍ତେ ଭାବନ୍ତି ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ କିମ୍ବା ଅନ୍ୟ କୌଣସି ବଡ଼ ଚାକିରି କଲେ ସେମାନଙ୍କ ପିଲା ବଡ଼ଲୋକ ପାଲଟିଯିବେ। ମାତ୍ର ଜରୁରୀ ନୁହେଁ ଯେ ବଡ଼ଲୋକ ହେବା ପାଇଁ ଏକ ଚାକିରିର ସର୍ବଦା ଆବଶ୍ୟକତା ରହିଥାଏ। ବ୍ୟବସାୟ କରି ଅନେକ ଲୋକ ଛୋଟରୁ ବଡ଼ ହୋଇଛନ୍ତି। ‘ୱାୱ ମୋମୋ’ର ପ୍ରତିଷ୍ଠାତା ସାଗର ଦର୍ଯ୍ୟାନି ହେଉଛନ୍ତି ତାହାର ଏକ ଜ୍ବଳନ୍ତ ଉଦାହରଣ।
ସାଗର ଦର୍ଯ୍ୟାନିଙ୍କ ବାପାମାଆ ବି ଚାହୁଁଥିଲେ ଯେ ତାଙ୍କ ପୁଅ ପାଠ ପଢ଼ି ଭଲ ଚାକିରିଟେ କରି ବଡ଼ ମଣିଷ ହେଉ। ହେଲେ ତାଙ୍କ ମନରେ ଆଉ କିଛି ଚାଲୁଥିଲା। ସେ କୋଲକାତାର ସେଣ୍ଟ୍ ଜାଭିର୍ୟସ କଲେଜରେ ଗ୍ରାଜୁଏସନ୍ କରିବା ପରେ ମୋମୋ ବିକ୍ରି କରିବା କଥା ତାଙ୍କ ମୁଣ୍ଡରେ ପଶିଲା। ପ୍ରଥମେ ଏକ ଛୋଟିଆ ଷ୍ଟଲ୍ କରି ମୋମୋ ବିକ୍ରି କରୁ କରୁ ୨୦୦୮ ମସିହାରେ ସାଗର ଦର୍ଯ୍ୟାନି ‘ୱାୱ ମୋମୋ’ ପ୍ରତିଷ୍ଠା କରିଥିଲେ। ପ୍ରଥମରୁ ତ ସାଗରଙ୍କ ମୋମୋ ବିକିବା ନେଇ ତାଙ୍କ ବାପାମାଆ ସଂକୋଚ ଅନୁଭବ କରୁଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେ ୨୦୦୦ କୋଟି ଟଙ୍କାର ବ୍ୟବସାୟ ଛିଡ଼ା କରାଇବାରେ ସମର୍ଥ ହେଲେ।