ଦେଶ ବିଦେଶ

ସୋମାଲିଆ, ତାଞ୍ଜାନିଆ, ସୁଦାନରୁ ଅଣାଯିବ ଚିତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶକ୍ରମେ ଭାରତରେ ଚିତା ବଂଶ ବୃଦ୍ଧି ନିମନ୍ତେ ଆଫ୍ରିକାରୁ ମୋଟ ୨୦ଟି ଚିତା ଭାରତ ଅଣାଯାଇ ସେମାନଙ୍କୁ ମଧ୍ୟପ୍ରଦେଶସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିଲା। ଭାରତୀୟ ପାଣିପାଗ ସହ ଖାପ ଖୁଆଇବାରେ ବିଫଳ ହୋଇଥିବା ଏବଂ ଅନ୍ୟ କାରଣରୁ କେତେକ ଚିତା ପ୍ରାଣ ହରାଇଥିବାବେଳେ ସେମାନଙ୍କର ବଂଶବୃଦ୍ଧି ମଧ୍ୟ ଘଟିଛି।

ଏହି ପରିପ୍ରେକ୍ଷୀରେ ସୋମାଲିଆ, ତାଞ୍ଜାନିଆ, ସୁଦାନ ଓ କେନିୟା ଭଳି ଅନ୍ୟ ଆଫ୍ରିକୀୟ ରାଷ୍ଟ୍ରରୁ ଚିତା ଆଣିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ଯୋଜନା କରୁଛନ୍ତି। ପୂର୍ବରୁ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ମୋଟ ୨୦ଟି ଚିତା ଅଣାଯାଇଥିଲା। ତେବେ ଗତ ଗ୍ରୀଷ୍ମ ଓ ବର୍ଷାଋତୁରେ ଏହି ଚିତାଙ୍କ ଚମଡା ମୋଟା ହେବାସହିତ ସଂକ୍ରମଣ ଯୋଗୁଁ କେତେକ ଚିତାଙ୍କର ମୃତ୍ୟୁ ଘଟିଥିଲା। ତେଣୁ ଆଫ୍ରିକା ମହାଦେଶର ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ଦେଶରୁ ଚିତା ଆଣିବା ପରିବର୍ତ୍ତେ ବିଷୁବରେଖା କିମ୍ବା ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ କୌଣସି ଆଫ୍ରିକୀୟ ରାଷ୍ଟ୍ରରୁ ଚିତା ଆଣିବାକୁ ଷ୍ଟିୟରିଂ କମିଟି ସରକାରଙ୍କୁ ସୁପାରିସ କରିଛି। ଏହି ପରିପ୍ରେକ୍ଷୀରେ ସୋମାଲିଆ, ତାଞ୍ଜାନିଆ ଏବଂ ସୁଦାନ ଭଳି ଦେଶରୁ ଚିତା ଅଣାଗଲେ ସେମାନେ ଭାରତୀୟ ପାଣିପାଗ ସହ ଖାପ୍‌ ଖୁଆଇପାରିବେ ବୋଲି ଆଶା କରାଯାଉଛି। ଭାରତକୁ ଆସିଥିବା ଚିତାଙ୍କ ତୃତୀୟ ପିଢି ଭାରତୀୟ ପାଣିପାଗ ସହ ଅଧିକ ଖାପ ଖୁଆଇପାରିବେ ବୋଲି କମିଟି ମତବ୍ୟକ୍ତ କରିଛି।
୨୦୨୨ ସେପ୍ଟେମ୍ବରରେ ପ୍ରଥମ ଦଫାରେ ନାମ୍ବିଆରୁ ୮ ଏବଂ ଦ୍ବିତୀୟ ପର‌୍ୟ୍ୟାୟ (୨୦୨୩ ଫେବୃଆରୀ)ରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। ପ୍ରଥମେ ଏମାନଙ୍କୁ ଏନକ୍ଲୋଜରରେ ରଖାଯାଇ ପରବର୍ତ୍ତୀ ସମୟରେ ଜଙ୍ଗଲରେ ଛଡାଯାଇଥିଲା। ତେବେ ସେପ୍ଟିସେମିଆ ଯୋଗୁଁ ୩ଟି ଚିତା ପ୍ରାଣ ହରାଇବାରୁ ସେମାନଙ୍କୁ ପୁଣି ଏନ୍‌କ୍ଲୋଜରକୁ ଫେରାଇ ଅଣାଯାଇଥିଲା। ଇତିମଧ୍ୟରେ କୁନୋ ପାର୍କରେ ଚିତାଙ୍କ ବଂଶବୃଦ୍ଧି ଘଟିଥିବାବେଳେ ସେମାନଙ୍କୁ ପୁଣି ଜଙ୍ଗଲରେ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button