ମନେ ପଡ଼ିଗଲା ‘ହାକିମ ବାବୁ’: ବାପା ଅମୀୟ ପଟ୍ଟନାୟକଙ୍କ ପ୍ରଥମ ଚଳଚ୍ଚିତ୍ର ବି ପାଇଥିଲା ଜାତୀୟ ପୁରସ୍କାର – Utkal Mail
ଭୁବନେଶ୍ବର: ଆଜି ଘୋଷଣା ହୋଇଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କର ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର। ଠିକ୍ ୩୮ ବର୍ଷ ପୂର୍ବରୁ ଅର୍ଥାତ ୧୯୮୫ରେ ଅନୁପମ ପଟ୍ଟନାୟକଙ୍କ ବାପା ସ୍ବର୍ଗତ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ପ୍ରଥମ ଚଳଚ୍ଚିତ୍ର ‘ହାକିମବାବୁ’କୁ ମଧ୍ୟ ଜାତୀୟ ଚଳଚ୍ଚିତ୍ର ସମାରୋହରେ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ କରାଯାଇଥିଲା। ଇଷ୍ଟର୍ଣ୍ଣ ମିଡିଆ ବ୍ୟାନର୍ରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ପ୍ରଣବ ଦାସ ସମ୍ଭାଳିଥିବା ବେଳେ ଅଜିତ ଦାସ, ବିଜୟ ମହାନ୍ତି, ହେମନ୍ତ ଦାସ, ଦୁଃଖୀରାମ ସ୍ବାଇଁ, ସାମୁଏଲ୍ ସାହୁ ବାବି, ଜୟା, ଡଲି ଜେନା, ଜୟୀ ଓ ସୁଜାତା ଆନନ୍ଦ ପ୍ରମୁଖ ଅଭିନୟ କରିଥିଲେ। ଓଡ଼ିଶାର ଜଣେ ଆଗଧାଡ଼ିର ପ୍ରଯୋଜକ ଭାବେ ସ୍ବର୍ଗତ ଅମୀୟ ପଟ୍ଟନାୟକ ବେଶ୍ ସୁନାମ ଅର୍ଜନ କରିଥିଲେ। ତାଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ବେଶ୍ ଦର୍ଶକୀୟ ଆଦୃତି ହାସଲ କରିଥିଲା।
ନିଜ ପ୍ରତିକ୍ରିୟାରେ ଅନୁପମ କହିଛନ୍ତି ଯେ ବାପାଙ୍କ ପରି ମୋର ପ୍ରଥମ ଚଳଚ୍ଚିତ୍ର ଏପରି ସଫଳତା ପାଇବା ନିଶ୍ଚିତ ଖୁସିର ବିଷୟ। ମହାପ୍ରଭୁ ଜଗନ୍ନାଥ ଓ ବାପାଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇପାରିଛି। ଏହି ଚଳଚ୍ଚିତ୍ର ପ୍ରମାଣ କରିଦେଲା ଯେ ମୌଳିକ କଥାବସ୍ତୁକୁ ନେଇ ଚଳଚ୍ଚିତ୍ର କଲେ ଏହା ଆଦୃତି ଲାଭ କରେ। ଆଗକୁ ଏପରି ଭଲ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର କରିବାକୁ ଲକ୍ଷ୍ୟ ରଖିଛି।