ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ଦଙ୍ଗା: ଇଣ୍ଟରନେଟ୍ ବନ୍ଦ, ୩୪ ଗିରଫ, ରିପୋର୍ଟ ମାଗିଲେ ହାଇକୋର୍ଟ

ମାଲଦା/କୋଲକାତା: ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ମୋଥାବାରିରେ ଆଜି ଏକ ବଡ଼ଧରଣର ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ଏନେଇ ପୁଲିସ ପ୍ରଶାସନ ନିକଟରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ପୁଲିସ ଆଇଜି ରାଜେଶ ଯାଦବ କହିଛନ୍ତି, ଗତରାତିରେ ରାମ ନବମୀ ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଯିବା ବେଳେ ମସ୍ଜିଦ୍ ଉପରକୁ ବାଣ ଫିଙ୍ଗାଯାଇଥିବା ଅଭିଯୋଗ କରି ମୁସଲିମ ସମ୍ପ୍ରଦାୟର କେତେକ ଲୋକ ଶୋଭାଯାତ୍ରା ଉପରକୁ ଢେଲାପଥର ମାଡ଼ କରିଥିଲେ ଓ ରାସ୍ତା ଅବରୋଧ କରିଥିଲେ। ପୁଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସେମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ସହ ପୁଲିସ ଜିପ୍ ଭାଙ୍ଗି ଦେଇଥିଲେ।
ସେମାନଙ୍କୁ ଆୟତ୍ତ କରିବାକୁ ପୁଲିସ ଲୁହବୁହା ଗ୍ୟାସ୍ ଓ ଲାଠି ମାଡ଼ କରିଥିଲା। ଆଜି ପୂର୍ବାହ୍ଣରେ ଗତକାଲିର ଘଟଣାକୁ ନେଇ ପୁଣିଥରେ ଦୁଇ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ତେବେ ପୁଲିସ ହସ୍ତକ୍ଷେପ ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି। ପରିସ୍ଥିତିକୁ ଦେଖି ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଭିଡିଓ ଆଧାରରେ ଦଙ୍ଗାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ୩୪ଜଣଙ୍କୁ ଗିରଫ କରାଯାଇଛି। ଆଜି ରାତିରେ ଉଭୟ ପକ୍ଷର ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ସଫଳ ହୋଇଛି ଓ ସ୍ଥିତି ଖୁବ୍ଶୀଘ୍ର ଶାନ୍ତ ପଡ଼ିବା ଆଶା କରାଯାଉଛି। ଇଣ୍ଟରନେଟ୍ ବନ୍ଦ କରାଯାଇଥିଲେ ମଧ୍ୟ ରାମନବମୀ ଓ ଇଦ୍କୁ ଦୃଷ୍ଟିରେ ରଖି କେତେକ କୋହଳ ପଦକ୍ଷେପ ନିଆଯାଇଛି। ତେବେ ସ୍ଥିତି ନସୁଧୁରିବା ଯାଏଁ କୌଣସି ସଭାସମିତି ଓ ଶୋଭାଯାତ୍ରା ଆଦି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷରେ, ଆଜି ଏହି ଘଟଣାକୁ ନେଇ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟର ବିଚାରପତି ସୌମେନ୍ ସେନ୍ ଓ ସ୍ମିତା ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ଏପ୍ରିଲ୍ ୩ ତାରିଖ ସୁଦ୍ଧା ‘ଆକ୍ସନ ଟେକନ୍’ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।