୫ଲକ୍ଷ ଟଙ୍କା ଦାବି ପୂରଣ ନହେବାରୁ ସ୍ତ୍ରୀକୁ କୂଅ ଭିତରେ ଟାଙ୍ଗି ଦେଇଥିଲା ସ୍ବାମୀ – Utkal Mail
ପ୍ରତାପଗଡ଼: ରାଜସ୍ଥାନର ଆଦିବାସୀ ବହୁଳ ପ୍ରତାପଗଡ଼ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୌତୁକ ଦାବି ପୁରଣ ନହେବାରୁ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ କୂଅ ଭିତରେ ଟାଙ୍ଗି ଦେଇଥିଲେ। ଏହାପରେ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଭାଇଙ୍କ ପାଖକୁ ପଠାଇ ଦେଇଥିଲେ।
ମହିଳାଙ୍କ ଭାଇ ଏହି ଭିଡିଓ ଦେଖିବା ପରେ ସେ ଏହାକୁ ସୋସିଆଲ ମିଡିଆ ପୋଷ୍ଟ କରି ପୁଲିସକୁ ଖବର ଦେଇଥିଲେ। ରାଜସ୍ଥାନର ପ୍ରତାପଗଡ଼ ପୁଲିସ ଘଟଣାର ଯାଞ୍ଚ କରି ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।
ପ୍ରତାପଗଡ଼ ଏସପି ଅମିତ କୁମାରଙ୍କ ନିର୍ଦ୍ଦେଶରେ ପୀଡିତାଙ୍କ ପାଖରେ ପୁଲିସ ପହଞ୍ଚି ଘଟଣା ସମ୍ପର୍କରେ ପଚାରଉଚରା କରିଥିଲା। ଏହି ଘଟଣାକୁ ନେଇ ପୀଡ଼ିତା କହିଛନ୍ତି,‘ମୋର ବିବାହାକୁ ତିନିବର୍ଷ ପୁରିବ। ବିବାହ ପରଦିନରୁ ସ୍ବାମୀ ରାକେଶ କିର ଓ ତାଙ୍କ ପରିବାର ମୋତେ ଯୌତୁକଜନିତ ନିର୍ଯାତନା ଦେଇ ଆସୁଛନ୍ତି। ବାପାଙ୍କ ଆର୍ଥିକସ୍ଥିତି ଠିକ ନାହିଁ। ବହୁତ କଷ୍ଟରେ ସେ ମୋର ବାହାଘର ସାରିଥିଲେ। ଏବେ ଶାଶୁଘର ଲୋକ ଅଧିକରୁ ଅଧିକ ଯୌତୁକ ଦାବି କରୁଛନ୍ତି। ବାପା କେଉଁଠୁ ଆଣିବେ। ଯେତିକି ତାଙ୍କ ଦ୍ବାରା ସମ୍ଭବ ହୋଇଥିଲା ସେ କରିଥିଲେ।
ନିକଟରେ ସ୍ବାମୀ ୫ଲକ୍ଷ ଟଙ୍କା ଦାବି କରି ମୋତେ କୁଅ ଭିତରେ ଝୁଲାଇ ଦେଇଥିଲେ। ଆଉ କହିଥିଲେ ଯେପର୍ଯ୍ୟନ୍ତ ମୋ ବାପା ଓ ଭାଇ ୫ଲକ୍ଷ ଟଙ୍କା ଦେଇ ନାହାନ୍ତି ମୁଁ ସେପରି ଭାବେ ସେଠାରେ ରହିବି। । ପରେ ଗ୍ରାମବାସୀମାନେ ଏହି ଘଟଣା ସମ୍ପର୍କରେ ଖବର ପାଇଁ ମୋତେ କୂଅ ଭିତରୁ ଉଦ୍ଧାର କରିଥିଲେ।’