ଦେଶ ବିଦେଶ

ଅସଦ୍‌ଙ୍କ ପତନ ଭାରତକୁ ପ୍ରଭାବିତ କରିବ: ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ପାଇଁ ନୂଆଦିଲ୍ଲୀର ଆହ୍ୱାନ

ନୂଆଦିଲ୍ଲୀ: ଭାରତ ଓ ସିରିଆ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ରହିଥିବାରୁ ସିରିଆରେ ଇସଲାମିକ ବିଦ୍ରୋହୀଙ୍କ ଦ୍ୱାରା ବସର ଅଲ-ଅସଦ୍‌ଙ୍କୁ ହଟାଯିବାର ପ୍ରଭାବ ନୂଆଦିଲ୍ଲୀ ଉପରେ ପଡ଼ିବାର ସମ୍ଭାବନା ରହିଛି। ସୋମବାର ଭାରତ କହିଛି, ସିରିଆର ଏକତା, ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ବଜାୟ ରଖିବା ଦିଗରେ ସମସ୍ତ ପକ୍ଷ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
ଉଭୟ ଅସଦ୍ ସରକାର ଓ ବିଦ୍ରୋହୀଙ୍କ ହିଂସାକୁ ଭାରତ ନିନ୍ଦା କରିଆସିଛି। ପାଲେଷ୍ଟାଇନ ପ୍ରସଙ୍ଗ ଓ ଗୋଲାନ ହାଇଟ୍ସ ଉପରେ ସିରିଆର ଦାବି ସମେତ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗରେ ଭାରତ ଦମାସ୍କସକୁ ସମର୍ଥନ କରିଛି। ସେହିଭଳି ସିରିଆ କଶ୍ମୀର ବିବାଦକୁ ନେଇ ଭାରତର ଆଭିମୁଖ୍ୟକୁ ସମର୍ଥନ କରି କହିଛି ଯେ ଏହା ଭାରତର ଆଭ୍ୟନ୍ତରୀଣ ସମସ୍ୟା। ଜାତିସଂଘରେ ଭାରତ ସିରିଆ ବିରୋଧରେ କଟକଣାକୁ ସମର୍ଥନ କରିବାକୁ ମନା କରିଦେଇଥିଲା।

୨୦୧୧ ମସିହାରୁ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ସମୟରେ ଭାରତ ଏକ ଶାନ୍ତିପୂର୍ଣ୍ଣ ରାଜନୈତିକ ପ୍ରକ୍ରିୟା ମାଧ୍ୟମରେ ସଂଘର୍ଷର ସମାଧାନ ସପକ୍ଷରେ ଆଭିମୁଖ୍ୟ ଗ୍ରହଣ କରିଥିଲା। ଗୃହଯୁଦ୍ଧ ଶୀର୍ଷରେ ଥିବା ବେଳେ ମଧ୍ୟ ଯେତେବେଳେ ଅନେକ ଦେଶ ସିରିଆକୁ ଏକଘରିଆ କରିଦେଇଥିଲେ ସେତେବେଳେ ବି ଭାରତ ସମ୍ପର୍କ ଜାରି ରଖିଥିଲା ଏବଂ ଦମାସ୍କସରେ ନିଜର ଦୂତାବାସ ‌ଖୋଲା ରଖିଥିଲା। ଶକ୍ତି କାରଖାନା ପାଇଁ ୨୪୦ ନିୟୁତ ଡଲାର ଋଣ, ଆଇଟି ଭିତ୍ତିଭୂମିରେ ପୁଞ୍ଜିନିବେଶ, ଇସ୍ପାତ କାରଖାନାର ଆଧୁନିକୀକରଣ, ତୈଳ କ୍ଷେତ୍ର ଏବଂ ଚାଉଳ, ଔଷଧ ଓ ବୟନଶିଳ୍ପର ଉଲ୍ଲେଖନୀୟ ରପ୍ତାନି ସମେତ ବିଭିନ୍ନ ସ୍ଥାନରେ ସିରିଆର ବିକାଶରେ ନୂଆଦିଲ୍ଲୀ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜୁଲାଇ ୨୦୨୩ରେ ତତ୍କାଳୀନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଦମାସ୍କସକୁ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରିସ୍ତରୀୟ ଗସ୍ତରେ ଯାଇଥିଲେ। ଏବେ ଅସଦ୍‌ଙ୍କ ପତନ ଓ ପରବର୍ତ୍ତୀ ଅନିଶ୍ଚିତତା ଏହି ଅଞ୍ଚଳରେ ଭାରତର ରାଜନୈତିକ ଓ ଅର୍ଥନୈତିକ ସ୍ୱାର୍ଥ ପାଇଁ ଚିନ୍ତା ସୃଷ୍ଟି କରିଛି। ଦୁଇ ଦେଶ ମଧ୍ୟରେ ଥିବା ଉତ୍ତମ ଅର୍ଥନୈତିକ, କୂଟନୈତିକ ଏବଂ ସାଂସ୍କୃତିକ ସଂପର୍କ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ପାଇଁ ନୂଆଦିଲ୍ଲୀର ଆହ୍ୱାନ
ନୂଆଦିଲ୍ଲୀ: ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଦମାସ୍କସରେ ଥିବା ଭାରତୀୟ ଦୂତାବାସ ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗରେ ଅଛି। ସିରିଆ ରାଷ୍ଟ୍ରପତି ବସର ଅଲ-ଅସଦ୍‌ଙ୍କ ଶାସନର ଅନ୍ତ ଘଟିବା ଓ ବିଦ୍ରୋହୀମାନେ ରାଜଧାନୀ ଦମାସ୍କସକୁ ନିଜ ନିୟନ୍ତ୍ରଣକୁ ନେବା ପରେ ସେଠାରେ କ୍ଷମତା ହସ୍ତାନ୍ତର ପାଇଁ ଶାନ୍ତିପୂର୍ଣ୍ଣ ଓ ‘ସମାବେଶୀ’ ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରଣାଳୟ ଆହ୍ୱାନ ଦେଇଛି। ମନ୍ତ୍ରଣାଳୟ କହିଛି, ସିରିଆରେ ଚାଲିଥିବା ପରିସ୍ଥିତି ଉପରେ ଆମେ ନଜର ରଖିଛୁ। ସିରିଆର ଏକତା, ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ବଜାୟ ରଖିବା ଦିଗରେ ସମସ୍ତ ପକ୍ଷ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଦମାସ୍କସରେ ଥିବା ଭାରତୀୟ ଦୂତାବାସ ସିରିଆରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛି। ରାଷ୍ଟ୍ରପତି ବସର ଅଲ-ଅସଦ୍‌ ଏବେ ଯୁଦ୍ଧ ପ୍ରଭାବିତ ଦେଶ ଛାଡ଼ି ମସ୍କୋରେ ଶରଣ ନେଇଛନ୍ତି। ଇସଲାମିକ ସଙ୍ଗଠନ ହୟାତ୍ ତାହିର ଅଲ-ଶାମ୍ (ଏଚ୍‌ଟିଏସ୍) ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀ ଦୁଇ ସପ୍ତାହ ତଳେ ଘମାଘୋଟ ଆକ୍ରମଣ କରି ହମାର ଆଲେପ୍ପୋ, ହୋମ୍ସ, ହମାର ପ୍ରମୁଖ ସହରଗୁଡ଼ିକୁ ଦଖଲ କରିବା ପରେ ଶେଷରେ ସିରିଆର ରାଜଧାନୀକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ସରକାରୀ ବାହିନୀ ପଛକୁ ହଟିବାକୁ ବାଧ୍ୟ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button