ନୀତି

ଶିକ୍ଷାର ଦୀପ ଜଳାଉଛନ୍ତି ‘ରାସ୍ତାର ମାଷ୍ଟର’ ଦୀପ ନାରାୟଣ – Utkal Mail


ପଶ୍ଚିମବଙ୍ଗର ଶିକ୍ଷକ ଦୀପ ନାରାୟଣ ନାୟକ (୩୭)ଙ୍କର ଏକ ନିଆରା ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆସନସୋଲ ଅନ୍ତର୍ଗତ ଜାମୁରିଆ ବ୍ଲକ୍‌ର ନନ୍ଦିଗାଓଁର ଏକ ଯୌଥ ପରିବାରରେ ଜନ୍ମିତ ଦୀପ ବିଦ୍ୟାଳୟକୁ ଯିବାର ପ୍ରଥମ ଦିନ ଠାରୁ ଶେଷ ଯାଏ ନା କେବେ ୟୁନିଫର୍ମ ପୋଷାକ ପିନ୍ଧି ପାରିଥିଲେ ନା ଖଣ୍ଡେ ନୂଆ ବହିରୁ ପାଠ ପଢ଼ିପାରିଥିଲେ। ଦୀପ ଓ ତାଙ୍କଠୁ ଚାରି ବଡ଼ ଭଉଣୀଙ୍କ ପଢ଼ିବା ଲାଗି ତାଙ୍କ ମାଆ ଅନ୍ୟମାନଙ୍କ ଠାରୁ ଚିରାଫଟା ପୋଷାକ ଓ ପୁରୁଣା ବହି ଯୋଗାଡ଼ କରୁଥିଲେ। ଭୀଷଣ ଅନଟନ ଯୋଗୁଁ ତାଙ୍କ ଭଉଣୀମାନେ ହାଇସ୍କୁଲ ଶିକ୍ଷା ଅଧାରୁ ପାଠପଢ଼ା ଛାଡ଼ିଥିବା ବେଳେ ଦୀପ କୌଣସିମତେ ଉଦ୍ଭିଦ ବିଜ୍ଞାନରେ ସ୍ନାତକ କରିଥିଲେ। ୨୦୧୦ ମସିହାରେ ସେ ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ହୋଇଥିଲେ। ଶୈଶବରେ ସେ ନିଜେ ଭୋଗିଥିବା ଦାରିଦ୍ର୍ୟକୁ ଅନ୍ୟ ପିଲାଙ୍କ ଠାରେ ଦେଖି ସେ କିନ୍ତୁ ନିରବ ହୋଇ ରହିପାରିନଥିଲେ। ତାଙ୍କ ଭଉଣୀମାନେ ଯେପରି ଦୁର୍ଦ୍ଦିନର ସାମନା କରିଥିଲେ, ତାହାକୁ ଅନ୍ୟ ଝିଅମାନଙ୍କ ଠାରୁ ଦୂର କରିବା ପାଇଁ ସେ ଦୃଢ଼ମନା ହୋଇଥିଲେ।

ପ୍ରଥମେ ସେ ତାଙ୍କ ବିଦ୍ୟାଳୟର ଦୁଇଟି ପିଲାଙ୍କୁ ନୂଆ ବହି, ସିଲଟ ଓ ଅନ୍ୟାନ୍ୟ ପଠନ ସାମଗ୍ରୀ ଯୋଗାଇବା ଆରମ୍ଭ କଲେ। ଦାରିଦ୍ର୍ୟର ଚକ୍ରବ୍ୟୂହକୁ ଭାଙ୍ଗି ଗରିବ ନିଷ୍ପେଷିତ ପିଲାଙ୍କୁ ପଢ଼ାଇବାର ତାଙ୍କର ଏହି ଛୋଟିଆ ଉଦ୍ୟମ ଏବେ ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇପାରିଛି। ଫଳସ୍ବରୂପ ଜାମୁରିଆରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଅଭିଯାନ ଏବେ ପଶ୍ଚିମବଙ୍ଗର ସାତଟି ଜିଲ୍ଲା ସମେତ ଝାଡ଼ଖଣ୍ଡ ଓ ଏପରିକି ବାଂଲାଦେଶ ଯାଏ ବ୍ୟାପିଛି ଏବଂ ଏଥିରେ ୧୦ ହଜାର ପିଲା ଉପକୃତ ହେଲେଣି।

ଲୋକଙ୍କ ଗହଣରେ ଦୀପ ‘ରାସ୍ତାର ମାଷ୍ଟର’ ନାମରେ ସୁପରିଚିତ। ସେ ତାଙ୍କ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ପିତାମାତା ଓ ଜେଜେମା’ ଜେଜେବାପାଙ୍କୁ ମଧ୍ୟ ପାଠ ପଢ଼ାଉଛନ୍ତି। ସେମାନଙ୍କ ଘରର ମାଟିକାନ୍ଥକୁ କଳାପଟାରେ ପରିଣତ କରି ସେ ତିନିପିଢ଼ିକୁ ଏକାଠି ପଢ଼ାଇବାରେ ସକ୍ଷମ ହୋଇଛନ୍ତି। ସକାଳ ୧୦ଟାରୁ ୪ଟା ଯାଏ ସରକାରୀ ଶିକ୍ଷକ ଭାବରେ ନିଜର କର୍ତ୍ତବ୍ୟ ସାରି ସେ ବାକି ସମୟକୁ ଏହି କାମରେ ଉତ୍ସର୍ଗ କରିଛନ୍ତି। ଦୀପଙ୍କ ଶିକ୍ଷାଦାନ ପାଇ ଅନେକ ଛାତ୍ର ଏବେ ଡାକ୍ତର ଓ ଇଞ୍ଜିନିଅର ସମେତ ବିଭିନ୍ନ ପେସାରେ ପ୍ରତିଷ୍ଠିତ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button