ନୀତି

ପରିବେଶ ଅନୁକୂଳ ମଶା ଯନ୍ତା : ବିଶ୍ବର ପ୍ରଥମ ୧୦୦% ଜୈବ ବିଘଟନଶୀଳ ଯନ୍ତା – Utkal Mail


ନୂଆଦିଲ୍ଲୀ: କିଛି ସପ୍ତାହ ହେଲା ଦେଶର ବିଭିନ୍ନ ରାଜ୍ୟରେ ଡେଙ୍ଗୁ ବ୍ୟାପୁଥିବା ବେଳେ ପ୍ରତ୍ୟହ ଶହ ଶହ ଲୋକ ଏହା ଦ୍ବାରା ଆକ୍ରାନ୍ତ ହେଉଛନ୍ତି। ଡେଙ୍ଗୁ ସାଧାରଣତଃ ଏଡିସ୍‌ ଏଜିପ୍ଟ ମଶା କାମୁଡ଼ିବା ଦ୍ବାରା ବ୍ୟାପିଥାଏ। ଚଳିତବର୍ଷର ଅନିୟମିତ ମୌସୁମି ଯୋଗୁଁ ବହୁ ସଂଖ୍ୟାରେ ମଶା ବଂଶ ବିସ୍ତାର କରିଛନ୍ତି, ସୁତରାଂ ଡେଙ୍ଗୁର ବ୍ୟାପକତା ଦେଖାଦେଇଛି। ତେଣୁ ଡେଙ୍ଗୁ ରୋକିବା ପାଇଁ ସବୁଠୁ ପ୍ରଭାବଶାଳୀ ଉପାୟ ହେଉଛି ମଶାର ପ୍ରଜନନକୁ ନିୟନ୍ତ୍ରଣ କରିବା। କିନ୍ତୁ ଏହା ଏକ କଷ୍ଟକର ବ୍ୟାପାର।

ପୁନେର ‘ଇକୋ ବାୟୋ ଟ୍ରାପ’ ନାମକ ଏକ ଷ୍ଟାର୍ଟଅପ୍‌ କମ୍ପାନି ମଶାବୃଦ୍ଧି ରୋକିବାକୁ ଏକ ଅଭିନବ ତଥା ପରିବେଶ ଅନୁକୂଳ ଉପାୟ ଅବଲମ୍ବନ କରିଛି, ଯାହା ଡେଙ୍ଗୁ-ମ୍ୟାଲେରିଆର ସଫଳ ମୁକାବିଲା ପାଇଁ ଆଶା ସଂଚାର କରିଛି। ଏହା ବିଶ୍ବର ପ୍ରଥମ ୧୦୦% ଜୈବ ବିଘଟନଶୀଳ ମଶା ଯନ୍ତା ଯାହା ମଶା ପ୍ରଜନନ ଶୃଙ୍ଖଳାକୁ ଭାଙ୍ଗିଥାଏ। ପ୍ରକ୍ରିୟାକୃତ ସାମଗ୍ରୀରୁ ନିର୍ମିତ ଏହି ମଶା ଯନ୍ତାର ତିନିଟି ମୁଖ୍ୟ ଉପାଦାନ ରହିଛି। ସେଗୁଡ଼ିକ ହେଲା ମଶାଧାରଣ ପାଇଁ ଏକ ପାତ୍ର, ଏକ ଆକର୍ଷକ ସାମଗ୍ରୀ ଓ ମଶାମରା ରାସାୟନିକ ଯାହା ମନୁଷ୍ୟ ପାଇଁ ନିରାପଦ। ଉକ୍ତ ପାତ୍ରଟି ମଶାର ପ୍ରଜନନ କ୍ଷେତ୍ରର ଭ୍ରମ ସୃଷ୍ଟି କରିଥାଏ।

ମଶାମାନେ ସେଠାରେ ଆସି ଅଣ୍ଡା ଦିଅନ୍ତି। କିନ୍ତୁ ରସାୟନ ସଂସ୍ପର୍ଶରେ ଆସି ଅଣ୍ଡା ନଷ୍ଟ ହୋଇଯାଏ। ଏପରି ଭାବେ ମଶାଙ୍କ ପ୍ରଜନନ ଶୃଙ୍ଖଳାକୁ ଭଙ୍ଗାଯାଇପାରିବ ବୋଲି ‘ଇକୋ ବାୟୋ ଟ୍ରାପ୍‌’ର ସିଇଓ ପ୍ରସାଦ ଫାଡ଼କେ ଦାବି କରିଛନ୍ତି। ଗତବର୍ଷ ମୁମ୍ବାଇ ଅନ୍ତର୍ଗତ ବିଶ୍ବର ବୃହତ୍ତମ ବସ୍ତି ଧରାବିରେ ଏହି ମଶା ଯନ୍ତାର ଉପଯୋଗ କରାଯାଇ ଆଶାନୁରୂପ ସଫଳତା ହାସଲ କରାଯାଇଛି। ଦେଶବ୍ୟାପୀ ଏହି ପ୍ରକ୍ରିୟା ଅନୁସରଣ କଲେ ମଶା ଉପଦ୍ରବ ରୋକିବାରେ ଅନୁରୂପ ସଫଳତା ମିଳିପାରିବ ବୋଲି ଆଶା କରାଯାଉଛି।




Related Articles

Leave a Reply

Your email address will not be published. Required fields are marked *

Back to top button