ଜାନୁଆରିରେ ଆର୍ସେଲର ମିତ୍ତଲ କାରଖାନା ଶିଳାନ୍ୟାସ: ପାରାଦୀପରେ ବସାଇବ ଇସ୍ପାତ କାରଖାନା – Utkal Mail
୩୮,୦୦୦ କୋଟି ନିବେଶ କରିବ
ଭୁବନଶ୍ବେର: ଶିଳ୍ପପତି ଏଲ୍ ଏନ୍ ମିତ୍ତଲଙ୍କ ଆର୍ସେଲର ମିତ୍ତଲ ଓ ଜାପାନର ନିପନ ଷ୍ଟିଲ୍ର ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ପାରାଦୀପଠାରେ ସ୍ଥାପନ କରିବାକୁ ଥିବା ବାର୍ଷିକ ୭ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାର ଶିଳାନ୍ୟାସ ୨୦୨୪ ଜାନୁଆରି ସୁଦ୍ଧା ହୋଇଯିବ। ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। କଂପାନି ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ଅଧିଗ୍ରହଣ ଜରିଆରେ ସମ୍ପ୍ରସାରଣ ପସନ୍ଦ କରୁଥିବା ଆର୍ସେଲର ମିତ୍ତଲର ଏହା ହେଉଛି ଭାରତରେ ପ୍ରଥମ ନୂଆ କାରଖାନା ଯାହାକୁ କଂପାନି ନିଜେ ସ୍ଥାପନ କରିବ। ଏଏମ୍ଏନ୍ଏସ୍ରେ ଆର୍ସେଲର ମିତ୍ତଲର ୬୦ ପ୍ରତିଶତ ଅଂଶଧନ ଥିବା ବେଳେ ବଳକା ଅଂଶଧନ ନିପନ ଷ୍ଟିଲ୍ ପାଖରେ ରହିଛି।
ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ପାରାଦୀପ କାରଖାନା ଲାଗି ଏଏମ୍ଏନ୍ଏସ୍କୁ ୧୪୮୫ ଏକର ଜମି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଡିସେମ୍ବର କିମ୍ବା ଆସନ୍ତା ବର୍ଷ ଜାନୁଆରି ସୁଦ୍ଧା ଏହି ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପରେ ୩୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ସେ କହିଛନ୍ତି। ପାରାଦୀପ କାରଖାନାର ପରିବେଶ ମଞ୍ଜୁରି ପାଇଁ ଟର୍ମ ଅଫ୍ ରେଫରେନ୍ସ ଜାରି କରାଯାଇଛି ବୋଲି ସେ କହିଛନ୍ତି।
ଓଡ଼ିଶାରେ ଏଏମ୍ଏନ୍ଏସ୍ର ଏକ ଲୁହାପଥର ଖଣି, ପାରାଦୀପରେ ଏକ ପାଇପ୍ଲାଇନ୍ ଓ ପେଲେଟ୍ କାରଖାନା ରହିଛି। ପାରାଦୀପ ବ୍ୟତୀତ କଂପାନି କେନ୍ଦ୍ରାପଡ଼ାରେ ଏକ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। ତେବେ ସେହି କାରଖାନା ଲାଗି ଅଧିକ ସମୟ ଲାଗିପାରେ ବୋଲି କୁହାଯାଉଛି। ଯେଉଁ ଜମିରେ ଏଏମ୍ଏନ୍ଏସ୍ ଏହାର କାରଖାନା ସ୍ଥାପନ କରିବ ତାହାର କିଛି ଅଂଶ ଏବେବି ଜବରଦଖଲରେ ରହିଛି। ସେଠାରୁ ଜବରଦଖଲ ହଟାଇ ସ୍ତାନୀୟ ପ୍ରଶାସନ ଯେତେଶୀଘ୍ର କଂପାନିକୁ ଜମି ହସ୍ତାନ୍ତର କରିବେ, ସେଠାରେ ସେତେ ଶୀଘ୍ର କାମ ଆରମ୍ଭ ହେବ ବୋଲି କୁହାଯାଉଛି।
ଇଇପିସି ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କୋଲକାତା ଯାଇଥିବା ଶିଳ୍ପର ବିଭାଗର ପ୍ରମୁଖ ସଚିବ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ଯେ ୨୦୨୨ ନଭେମ୍ବରରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ରାଜ୍ୟ ସରକାର ୧୦.୩ ଲକ୍ଷ କୋଟି ଟଙ୍କାର ୭୪୧ ନିବେଶ ପ୍ରସ୍ତାବ ପାଇଥିଲେ। ସେଥିରୁ କିଛି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ରାଜ୍ୟ ସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ କର୍ତ୍ତୃପକ୍ଷ ୧୫୦ ପାଖାପାଖି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ପକଳ୍ପଗୁଡ଼ିକରେ ୪-୪.୫ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ସେ କହିଛନ୍ତି।
ପୂର୍ବ ପ୍ରକଳ୍ପ ବାତିଲ କରିଥିଲା, ଜମି, ଖଣି ପାଇବାରେ ବିଳମ୍ବକୁ ଦୋଷ ଦେଇଥିଲା
ଓଡ଼ିଶାରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ଆର୍ସେଲର ମିତ୍ତଲ ପୂର୍ବରୁ ମଧ୍ୟ ଉଦ୍ୟମ କରିଥିଲା। ମାତ୍ର ଜମି ଓ ଲୁହାପଥର ଖଣି ପାଇବାରେ ବିଫଳ ହେବାରୁ ୨୦୧୩ ବେଳକୁ କଂପାନି ଏହାର ପ୍ରସ୍ତାବିତ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା। କଂପାନି ରାଜ୍ୟରେ ଏକ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ବିଶାଳ ଇସ୍ପାତ କାରଖାନା ବସାଇବାକୁ ଚାହୁଥିଲା। ପ୍ରକଳ୍ପ ବନ୍ଦ କରିବା ପଛର କାରଣ ବିଷୟରେ କଂପାନି ଜମି ଅଧିଗ୍ରହଣ ଓ ଖଣି ପାଇବାରେ ବିଳମ୍ବକୁ ଦୋଷ ଦେଇଥିଲା। ମାତ୍ର ରାଜ୍ୟ ସରକାର ଅଭିଯୋଗ କରିଥିଲେ ଯେ ପ୍ରକଳ୍ପ ପାଇଁ ଦରକାର ୮୦୦୦ ଏକର ଜମି ନେବା ଲାଗି କଂପାନି ଯେଉଁ ୧୦ ପ୍ରତିଶତ ମୂଲ୍ୟ ଜମା କରିବାର ଥିଲା ତାହା ଦାଖଲ କରିନଥିଲା। ବାରମ୍ବାର ମନେ ପକାଇବା ସତ୍ତ୍ବେ କଂପାନି ସେହି ରାଶି ଜମା କରିନଥିଲା। ସେଥିପାଇଁ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରକଳ୍ପ ଲଟକି ରହିଥିଲା।