ଡାଲି ଦାମ୍ ବେଲଗାମ୍: ୩ ମାସରେ ହରଡ଼ ୫୦ ଟଙ୍କା ମହଙ୍ଗା – Utkal Mail
ଭୁବନେଶ୍ବର: ରାଜ୍ୟରେ ଡାଲି ଦାମ୍ ଦିନକୁ ଦିନ ବେଲଗାମ ହେବାରେ ଲାଗିଛି। ଗତ ପ୍ରାୟ ୩ ମାସ ମଧ୍ୟରେ ହରଡ଼ ଡାଲି ମୂଲ୍ୟ କିଲୋଗ୍ରାମ୍ ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଗତ ଜୁଲାଇ ବେଳକୁ ରାଜ୍ୟରେ ହରଡ ଡାଲି ମୂଲ୍ୟ କିଲୋପିଛା ୧୨୦ରୁ ୧୩୦ ଟଙ୍କା ସ୍ତରରେ ଥିଲା। କିନ୍ତୁ ଇତିମଧ୍ୟରେ ଏହା ୧୭୦ରୁ ୧୮୦ ଟଙ୍କାରେ ପହଞ୍ଚିଲାଣି। କେବଳ ହରଡ଼ ଡାଲି ନୁହେଁ ମୁଗ, ବିରି ଏବଂ ବୁଟ ଡାଲି ଆଦି ଦର ମଧ୍ୟ ବଢ଼ିଯାଇଛି। ମୁଗ ଦାମ୍ କିଲୋଗ୍ରାମ ପିଛା ପ୍ରାୟ ୨୦ ଟଙ୍କା ବୃଦ୍ଧି ଘଟି ୧୧୫ ଟଙ୍କା ସ୍ତରରେ ପହଞ୍ଚିଛି। ବିରି ଡାଲି ମୂଲ୍ୟ କିଲୋପିଛା ୨୦ ଟଙ୍କା ବୃଦ୍ଧି ଘଟି ୧୧୦ରୁ ୧୨୫ ଟଙ୍କା ସ୍ତରରେ ବିକ୍ରି ହେଉଛି। ବୁଟ ଡାଲି ମୂଲ୍ୟ ମଧ୍ୟ ୨୦ ଟଙ୍କା ବୃଦ୍ଧି ଘଟି ୭୫ରୁ ୮୫ ଟଙ୍କା ଛୁଇଁଲାଣି। ପୂର୍ବରୁ ଚାଉଳ, ପନିପରିବା ଆଦି ଦାମ ଅଧିକ ରହିଛି। ଏଭଳି ସ୍ଥଳେ ଡାଲି ମୂଲ୍ୟବୃଦ୍ଧି ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ବର୍ଷକୁ ପ୍ରାୟ ୯.୩ ଲକ୍ଷ ଟନରୁ ୯.୪ ଲକ୍ଷ ଟନ୍ ଡାଲି ଆବଶ୍ୟକ। ଅନ୍ୟପକ୍ଷରେ ରାଜ୍ୟରେ ପ୍ରାୟ ୮୦ ହଜାରରୁ ୯୦ ହଜାର ଟନ ଡାଲି ଉତ୍ପାଦନ ହେଉଛି। ସେଥିରୁ ୫୦ ହଜାରରୁ ୬୦ ହଜାର ଟନ୍ ଡାଲି ବଜାରକୁ ଆସୁଛି। ଅବଶିଷ୍ଟ ଡାଲି ଚାଷୀ ସେମାନଙ୍କ ଘରେ ରଖୁଛନ୍ତି। ପୂର୍ବରୁ ରାଜ୍ୟରେ ମୋଟ ଆବଶ୍ୟକତାର ପ୍ରାୟ ୨୫ ପ୍ରତିଶତ ଡାଲି ଉତ୍ପାଦନ ହେଉଥିବାବେଳେ ଏହା ଏବେ ୧୫ ପ୍ରତିଶତ ଭିତରେ ରହିଛି। ତେଣୁ ବାହାର ବଜାର ଉପରେ ରାଜ୍ୟକୁ ଡାଲି ପାଇଁ ଅତ୍ୟଧିକ ମାତ୍ରାରେ ନିର୍ଭରଶୀଳ ହେବାକୁ ପଡ଼ୁଛି। ଡାଲି ଦାମ୍ ବଢ଼ିବା ପଛରେ ଅନେକଗୁଡ଼ିଏ କାରଣ ରହିଛି। ପ୍ରଥମତଃ ଡାଲିଜାତୀୟ ଫସଲ ଉତ୍ପାଦନ ପାଇଁ ସରକାର ଆବଶ୍ୟକ ପ୍ରୋତ୍ସାହନ ଦେଉନାହାନ୍ତି। ଏହି କାରଣରୁ ଡାଲି ଚାଷ ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଅଧିକରୁ ଅଧିକ ଲୋକଙ୍କୁ ବଜାର ଉପରେ ଡାଲି ପାଇଁ ନିର୍ଭର କରିବାକୁ ପଡ଼ୁଛି।
ଯୋଗାଣ ଏବଂ ଚାହିଦା ମଧ୍ୟରେ ପାର୍ଥ୍ୟକ ବଢ଼ି ବଢ଼ି ଯାଉଛି। ତେବେ ସବୁଠୁ ବଡ଼ ଯୁକ୍ତି ହେଲା ସରକାର ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। କାରଣ ଦେଶରେ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକ ବିପୁଳ ପରିମାଣରେ ଡାଲି ମହଜୁଦ କରି ରଖୁଛନ୍ତି। ତାହା ଉପରେ କାହାର ନଜର ନାହିଁ। ସେମାନେ ମନଇଚ୍ଛା ଦର ବଢ଼ାଉଛନ୍ତି ଏବଂ କମାଉଛନ୍ତି। ଏଥିସହିତ ମୂଲ୍ୟବୃଦ୍ଧି ସମୟରେ ଏଫସିଆଇ ଓ ନାଫେଡ ଭଳି ସଂସ୍ଥା ଯେଉଁ ଭୂମିକା ଗ୍ରହଣ କରିବା କଥା ତାହା କରୁନାହାନ୍ତି। ଫଳରେ ଡାଲିର କୃତ୍ରିମ ଅଭାବ ସୃଷ୍ଟି କରାଯାଇ ମୂଲ୍ୟ ବୃଦ୍ଧି କରାଯାଉଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି। ରାଜଧାନୀର ଅନ୍ୟଜଣେ ବ୍ୟବସାୟୀ କହିଛନ୍ତି, ଡାଲି ମୂଲ୍ୟବୃଦ୍ଧି ଜାରି ରହିଛି। ଆଗାମୀ ଦିନରେ ମଧ୍ୟ ଏହା ଆହୁରି ବଢ଼ିବ। କାରଣ ବର୍ଷା ଠିକ୍ ଭାବରେ ନହେଉଥିବାରୁ ଡାଲି ଚାଷ ପ୍ରଭାବିତ ହୋଇଛି। ଡାଲିମୂଲ୍ୟ ବଢ଼ିଯାଇଥିବାରୁ ଅନେକ ଗ୍ରାହକ ପୂର୍ବାପେକ୍ଷା କମ୍ ଡାଲି କିଣୁଛନ୍ତି। ସେହିଭଳି ଆମକୁ ଡାଲି କିଣି ବିକ୍ରି କରିବା ବାବଦରେ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତୁରନ୍ତ ଡାଲି ମୂଲ୍ୟ ନିୟନ୍ତ୍ରଣ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।