କ୍ରୀଡା

ଚତୁଃରାଷ୍ଟ୍ରୀୟ କନିଷ୍ଠ ହକି: ଭାରତୀୟ ପୁରୁଷ ଉପବିଜେତା – Utkal Mail


ସ୍ପେନ୍‌କୁ ହରାଇଲେ ମହିଳା

ଡସଲଡର୍ଫ: ଜର୍ମାନି ଗସ୍ତରେ ଥିବା ଭାରତୀୟ କନିଷ୍ଠ ପୁରୁଷ ଦଳ ଚତୁଃରାଷ୍ଟ୍ରୀୟ ହକି ପ୍ରତିଯୋଗିତାରେ ଉପବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ଭାରତ ୧-୬ ଗୋଲ୍‌ରେ ଜର୍ମାନିଠୁ ହାରିଯାଇଛି। ପ୍ରଥମ କ୍ବାର୍ଟରର ଶେଷ ମିନିଟ୍‌ରେ ଫ୍ଲୋରିଆନ୍‌ ‌ସ୍ପେର୍ଲିଙ୍ଗ (୧୫ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୦ତମ ମିନିଟ୍‌ରେ ବେନ୍‌ ହାସବାକ ଫିଲ୍ଡ ଗୋଲ୍‌ ଦେଇ ୨-୦ କରିଥିଲେ। ଏହାର ଦୁଇ ମିନିଟ୍‌‌ ପରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ ଗୋଲ୍‌ରେ ପରିଣତ କରି ସ୍ଥିତି ୧-୨କୁ ଆଣିଥିଲେ। ଏହାପରେ ଭାରତ ଆଉ ଗୋଲ୍‌ ଦେଇପାରନିଥିଲା ବେଳେ ଜର୍ମାନି ୪ ଗୋଲ୍‌ ଦେଇ ବିଜୟୀ ହୋଇଥିଲା। ଜର୍ମାନି ପକ୍ଷରୁ ହୁଗୋ ଭନ ମଣ୍ଟଗେଲାସ (୨୩ ମିନିଟ୍‌), ଫାବିଓ ସେଇଜ (୩୮ ମିନିଟ୍‌), ନିକାସ ବେରେନଡଟ୍ସ (୪୧ ମିନିଟ୍‌) ଓ ପଲ ଗ୍ଲାଣ୍ଡର (୪୩ ମିନିଟ୍‌) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ଶେଷ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା।

ସ୍ପେନ୍‌କୁ ହରାଇଲେ ମହିଳା
ଏହି ଗସ୍ତରେ ଥିବା ଭାରତୀୟ କନିଷ୍ଠ ମହିଳା ଶେଷ ଲିଗ୍‌ ମ୍ୟାଚ୍‌ରେ ସ୍ପେନ୍‌କୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ବିଜୟ ସତ୍ବେ ଭାରତ ଏହି ଚତୁଃରାଷ୍ଟ୍ରୀୟ ପ୍ରତି‌ଯୋଗିତା ଫାଇନାଲ୍‌ରୁ ବଞ୍ଚିତ ହୋଇଛି। ତେବେ ପରାଜୟ ସତ୍ବେ ଭାରତ ସହ ସମାନ ପଏଣ୍ଟ ଥିଲେ ମଧ୍ୟ ସ୍ପେନ୍‌ ଗୋଲ୍‌ ବ୍ୟବଧାନରେ ଆଗରେ ରହି ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ତୃତୀୟ ସ୍ଥାନ ଲାଗି ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ବୁଧବାର ଭେଟିବ। ଏହି ଦିନ ସ୍ପେନ୍‌ ଓ ଜର୍ମାନି ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଜର୍ମାନି ୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହି ଫାଇନାଲ୍‌ରେ ପହଞ୍ଚିଛି।

ମଙ୍ଗଳବାର ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ଭାରତ ଫିଲ୍ଡ ଗୋଲ୍‌ ଦେଇ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହି ଗୋଲ୍‌ଟି ଅନୁ (୨୧ ମିନିଟ୍‌) ଦେଇଥିଲେ। ହେଲେ ଏହି ଖୁସି ଭାରତର ବେଶି ସମୟ ରହି ନଥିଲା। ଏହାର ଦୁଇ ମିନିଟ୍‌ ପ‌ରେ ଟେରେସା ଲିମା (୨୩ ମିନିଟ୍‌) ଗୋଲ୍‌ଟି ଶୁଝି ସ୍ଥିତି ସମାନ କରିଥିଲେ। ତୃତୀୟ କ୍ବାର୍ଟରରେ ଉଭୟ ଦଳ ଗୋଲ୍‌ କରିବାରେ ସଫଳ ହୋଇନଥିଲେ। ଚତୁର୍ଥ କ୍ବାର୍ଟରରେ ଭାରତର ସାକ୍ଷୀ ରାଣା (୪୭ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ୨-୧‌ରେ ଆଗୁଆ କରିଥିଲେ। ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ସ୍ପେନ୍‌ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ସଫଳ ନହୋଇ ପରାଜୟ ବରଣ କରିଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button