ଇହଲୋକ ଓ ପରଲୋକର ସେତୁ ପବନ ଫୋନ୍ – Utkal Mail
ମୋବାଇଲ ଫୋନ୍ର ଆବିର୍ଭାବ ପରେ ଲ୍ୟାଣ୍ଡଲାଇନ୍ ଫୋନ୍ ପ୍ରାୟ ଅଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ଫୋନ୍ ନମ୍ବର ଡାଏଲ କରିବା ପାଇଁ ବହୁ ଆଗରୁ ପ୍ରଚଳିତ ରୋଟାରି ଫୋନ୍ ସଂପୂର୍ଣ୍ଣ ଅକାମୀ ହୋଇ ତ୍ୟାଜ୍ୟ ସାମଗ୍ରୀ ପାଲଟିଛି। ହେଲେ ଜାପାନର ଓତ୍ସୁଚି ସହରର ଇତାରୁ ସାସାକି ନାମକ ଚାଷୀ ସେପରି ଏକ ବର୍ଜ୍ୟବସ୍ତୁକୁ ଏକ ନିଆରା କାର୍ଯ୍ୟରେ ବିନିଯୋଗ କରି ଚର୍ଚ୍ଚିତ ହୋଇଛନ୍ତି। ପାହାଡ଼ ଉପରେ ଥିବା ନିଜ ବଗିଚାରେ ସେ ଏକ ଫୋନ୍ ବୁଥ୍ ଖୋଲି ରୋଟାରି ଫୋନ୍ ମାଧ୍ୟମରେ ପରଲୋକଗତ ସମ୍ପର୍କୀୟମାନଙ୍କ ସହ କଥା ହୋଇ ମନର ଦୁଃଖ ଓ କ୍ଷୋଭ ବ୍ୟକ୍ତ କରିବାର ବ୍ୟବସ୍ଥା କରିଛନ୍ତି। ସୂଚନାନୁଯାୟୀ, ୨୦୧୦ରେ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁରେ ସେ ଏଭଳି ଆତ୍ମହରା ହୋଇପଡ଼ିଥିଲେ ଯେ ନିଜ ଦୁଃଖକୁ ଭୁଲିବା ପାଇଁ ସେ ‘କାଜେ ନୋ ଦେନଵା’ ବା ‘ପବନ ଫୋନ୍’ ନାମକ କାଚ ଫୋନ୍ ବୁଥ୍ ଗଢ଼ି ମୃତ ଭାଇଙ୍କ ପାଖକୁ ଫୋନ୍ କରି କଥା ହେବାର ଅଭିନୟ କରିବାକୁ ଲାଗିଲେ।
ଏହା ତାଙ୍କ ଦୁଃଖ ଲାଘବ କରିବାରେ ସହାୟକ ହେଲା। ତାହାର ବର୍ଷକ ପରେ ୨୦୧୧ରେ ଜାପାନରେ ହୋଇଥିବା ଭୂମିକମ୍ପ, ସୁନାମି ଓ ଆଣବିକ ବିକିରଣ ପରି ତିନି ତିନିଟି ଦୁର୍ବିପାକରେ ହଜାର ହଜାର ଲୋକଙ୍କର ପ୍ରାଣହାନି ଘଟିଥିଲା। ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ସମ୍ପର୍କୀୟମାନେ ଆରପାରିରେ ଥିବା ଆତ୍ମୀୟ ସ୍ବଜନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମନର ଦୁଃଖ ଜଣାଇବା ଲାଗି ଇତାରୁଙ୍କ ‘ପବନ ଫୋନ୍’ ଏକ ମାଧ୍ୟମ ହୋଇଛି ବୋଲି ଖବର ପ୍ରଚାରିତ ହୋଇଗଲା। ତିନି ବର୍ଷ ଭିତରେ ‘ପବନ ଫୋନ୍’ ଥିବା ପାହାଡ଼ ଏକ ତୀର୍ଥସ୍ଥଳୀ ପାଲଟିଗଲା। ନିଜର ସମ୍ପର୍କୀୟଙ୍କୁ ହରାଇଥିବା ପ୍ରାୟ ୧୦,୦୦୦ରୁ ଅଧିକ ଲୋକ ସେଠାକୁ ଯାଇ ଫୋନ୍ କରିସାରିଥିବା ଜଣାଯାଇଛି। ସେମାନେ ପରଲୋକଗତ ସମ୍ପର୍କୀୟଙ୍କ ଫୋନ୍ ନମ୍ବରକୁ ଡାଏଲ କରି ଏକତରଫା ଭାବେ ନିଜର ଅଭିବ୍ୟକ୍ତି ପ୍ରକାଶ କରୁଛନ୍ତି। ସେମାନଙ୍କ କଥା ପରଲୋକଗତ ଆତ୍ମା ପାଖରେ ନିଶ୍ଚିତ ପହଞ୍ଚୁଥିବ ବୋଲି ସେମାନଙ୍କର ବିଶ୍ବାସ।