ବିଚାର

ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଫଳରେ ଡିପ୍ରେସନ୍ ବା ଉଦାଶୀନତାର ଆଶଙ୍କା ବୃଦ୍ଧି

ବର୍ତ୍ତମାନ ସମୟରେ ଚାପ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଅଧିକାଂଶ ଲୋକେ ଏହାର ସମ୍ମୁଖୀନ ହେଉଛନ୍ତି। ଆମ ଦୈନନ୍ଦିନ ଜୀବନପେ ବିଭିନ୍ନ କାରଣ ଚାପ ସୃଷ୍ଟି କରେ ବୋଲି ଆମେ ଭାବନ୍ତି, କିନ୍ତୁ ଆମେ ଗ୍ରହଣ କରୁଥିବା ଖାଦ୍ୟ ମଧ୍ୟ ଚାପ ସୃଷ୍ଟି କରିପାରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ବୈଜ୍ଞାନିକଙ୍କ ଅନୁଧ୍ୟାନରୁ ଏହାର ଖୁଲାସା ହୋଇଛି। ଅନୁଧ୍ୟାନରୁ ଜଣାଯାଇଛି ଯେ, ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ଫଳରେ ଡିପ୍ରେସନ୍ ବା ଉଦାଶୀନତାର ଆଶଙ୍କା ବୃଦ୍ଧି ପାଇଥାଏ।

ଅଲ୍ଟ୍ରା ପ୍ରୋସେସ୍ଡ ଫୁଡ୍ ବା ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହି ପ୍ରକାର ଖାଦ୍ୟ ହଜମ ହେବାକୁ ଅଧିକ ସମୟ ନେଇଥାଏ, ଏହା ଶରୀରରେ ଅମ୍ଳତା ଏବଂ ମୋଟାପଣ ସୃଷ୍ଟି କରେ ବୋଲି ଜାଣିଥିଲେ। କିନ୍ତୁ ଏହା ମଧ୍ୟ ଆମ ମାନସିକ ସ୍ୱାସ୍ଥ୍ୟକୁ ବିଗାଡିପାରେ।

ଆମେରିକାନ ଏନଜିଓ ସାପିଏନ୍ ଲ୍ୟାବ୍ସ ବିଶ୍ୱ ସ୍ତରରେ କରିଥିବା ଏକ ସର୍ଭେରୁ ଏହା ଜଣାପଡିଛି। ଏଥିରେ 26 ଟି ଦେଶର ପ୍ରତ୍ୟେକ ବୟସ ବର୍ଗର 3 ଲକ୍ଷ ଲୋକ ଅନ୍ତର୍ଭୁକ୍ତ ହୋଇଥିଲେ। ଏହି ସର୍ଭେରେ ଭାରତର ପ୍ରାୟ 30 ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରୁ ଜଣାଗଲା ଯେ, ଯେଉଁମାନେ ଦିନକୁ ଅଧିକ ଥର ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟ ଖାଉଛନ୍ତି, ସେମାନଙ୍କର ମାନସିକ ସମସ୍ୟା ହେବାର ସମ୍ଭାବନା ଅଧିକ ରହୁଛି।

ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଅଲ୍ଟ୍ରା ପ୍ରୋସେସ୍ଡ ଖାଦ୍ୟ ଉଦାସୀନତା ବଢାଇଥାଏ। ଏହି ଖାଦ୍ୟ ଆମ ମସ୍ତିଷ୍କ ଏବଂ ଶରୀରକୁ କ୍ଷତି ପହଞ୍ଚାଏ। ଏହା ମୁଡ୍ ସୁଇଙ୍ଗ୍ ଏବଂ ଡିପ୍ରେସନ୍ ଭଳି ମାନସିକ ସମସ୍ୟା ସୃଷ୍ଟି କରିପାରେ। ତେଣୁ ସତେଜ ଫଳ, ପନିପରିବା, ଡାଲି, ବାଦାମ ଏବଂ ବିଭିନ୍ନ ପ୍ରକାର ସିଡ୍ସ ଖାଇବା ଉଚିତ୍। ଏହି ସବୁ ଖାଦ୍ୟରେ ଓମେଗା ଫ୍ୟାଟି-3 ଏସିଡ୍ ଏବଂ ଭିଟାମିନ୍-ଇ ପରି ଉପାଦାନ ରହିଥାଏ, ଯାହା ମସ୍ତିଷ୍କକୁ ଚାପରୁ ରକ୍ଷା କରିବାରେ ସାହାଯ୍ୟ କରେ।

ଅଲଟ୍ରା ପ୍ରୋସେସ୍ଡ ଖାଦ୍ୟ କଣ
ଅତ୍ୟଧିକ ପ୍ରକ୍ରିୟାକୃତ ଢଙ୍ଗରେ ପ୍ରସ୍ତୁତ ଖାଦ୍ୟକୁ ଅଲଟ୍ରା ପ୍ରକ୍ରିୟାକୃତ ଖାଦ୍ୟ କୁହାଯାଏ। ଏହି ସବୁ ଖାଦ୍ୟ ମଧ୍ୟରେ ବ୍ରେଡ୍, ବିସ୍କୁଟ, କାର୍ବୋନେଟେଡ୍ ଡ୍ରିଙ୍କ୍ସ, ପ୍ୟାକେଜ୍ ଚିପ୍ସ, ସ୍ନାକ୍ସ, ମିଠା ଏବଂ ବିଭିନ୍ନ ଜଙ୍କ୍ ଫୁଡ୍ ରହିଛି। ର୍ତ୍ତମାନର ଜୀବନଶୈଳୀରେ ଏହି ସବୁ ଖାଦ୍ୟ ଏକ ପ୍ରକାର ସାମିଲ ହୋଇଗଲାଣି। ତେଣୁ ଏପରି ପରିସ୍ଥିତିରେ ଯଥାସମ୍ଭବ ଅତ୍ୟଧିକ ପ୍ରକ୍ରିୟାକୃତ ଖାଦ୍ୟଠୁ ଦୂରେଇ ରହିବାକୁ ଅଭ୍ୟାସ କରିବା ଉଚିତ୍। ନଚେତ୍ ଧୀରେ ଧୀରେ ଆମ ମାନସିକ ସ୍ୱାସ୍ଥ୍ୟ ବିଗିଡି ଯିବାର ଯଥେଷ୍ଟ ସମ୍ଭାବନା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button