ବ୍ୟବସାୟ

ଚାଉଳ କଟକଣା ବଢ଼ିଲା: ଉଷୁନା ଚାଉଳ ରପ୍ତାନି ଉପରେ ୨୦% ଶୁଳ୍କ – Utkal Mail


ମୁମ୍ବାଇ: ଭାରତ ସରକାର ଦେଶରେ ଚାଉଳ ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ଆଜି ଆଉ ଏକ ପଦକ୍ଷେପ ନେଇଛନ୍ତି। ଉଷୁନା ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ଏହାକୁ ତତ୍କାଳ କାର୍ଯ୍ୟକାରୀ କରାଯାଇଛି। ବିଶ୍ବର ସର୍ବବୃହତ ଚାଉଳ ରପ୍ତାନିକାରୀ ଦେଶରୁ କଟକଣା ବଢ଼ିବା ଫଳରେ ବିଶ୍ବ ବଜାରରେ ଚାଉଳ ଦର ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ସଂପ୍ରତି ଚାଉଳ ଦର ବିଶ୍ବ ବଜାରରେ ୧୨ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି।
ଗତମାସରେ ଭାରତ ସରକାର ଅଣ ବାସମତୀ ଧଳା ଚାଉଳ ରପ୍ତାନି ନିଷିଦ୍ଧ କରିଥିଲେ। ସେହିଭଳି ତାହା ପୂର୍ବରୁ ଗତବର୍ଷ ଚାଉଳ ଖୁଦ ରପ୍ତାନିକୁ ମଧ୍ୟ ନିଷିଦ୍ଧ କରାଯାଇଥିଲା। ଆଜିର ଏହି ନିଷ୍ପତ୍ତି ଫଳରେ ଦେଶରେ କିଛି ବ୍ୟକ୍ତି ଅଧିକ ମାତ୍ରାରେ ଉଷୁନା ଚାଉଳ କିଣିବାକୁ ପ୍ରୟାସ କରିଛନ୍ତି। ଫଳରେ ଏହାର ଦାମ ରେକର୍ଡ ଉଚ୍ଚସ୍ତରକୁ ଚାଲିଯାଇଛି ବୋଲି ମୁମ୍ବାଇଭିତ୍ତିକ ଅନ୍ତର୍ଜାତୀୟ ସ୍ତରର ଜଣେ ବ୍ୟବସାୟୀ କହିଛନ୍ତି।

୨୦୨୨ରେ ଭାରତ ୭.୪ ନିୟୁତ ଟନ ଉଷୁନା ଚାଉଳ ରପ୍ତାନି କରିଥିଲା। ଭାରତ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ପରେ ବିଶ୍ବର ପ୍ରମୁଖ ଚାଉଳ ରପ୍ତାନିକାରୀ ଦେଶଗୁଡ଼ିକରେ ଏହାର ଦରବୃଦ୍ଧି ଘଟିଥିଲା। ଫଳରେ ଜାତିସଂଘ ଖାଦ୍ୟ ଏଜେନ୍ସିର ଚାଉଳ ମୂଲ୍ୟ ସୂଚୀ ୧୨ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ବିଶ୍ବର ମୋଟ ଚାଉଳ ରପ୍ତାନିରେ ଭାରତର ଅଂଶ ୪୦ ପ୍ରତିଶତ। ତେଣୁ ଚାଉଳ ଉପରେ ଯେକୌଣସି ପ୍ରକାର କଟକଣା ଲଗାଇବା ଫଳରେ ବିଶ୍ବ ବଜାରରେ ଏହାର ମୂଲ୍ୟ ବୃଦ୍ଧି ପାଇବା ସ୍ବାଭାବିକ। ଅନ୍ୟପଟେ ୟୁକ୍ରେନ ଉପରେ ରୁଷ୍‌ର ସାମରିକ କାର୍ଯ୍ୟାନୁଷ୍ଠାନ ସହିତ ପାଣିପାଗର ଅନିୟମିତତା ପାଇଁ ପୂର୍ବରୁ ଚାଉଳ ସମେତ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ମୂଲ୍ୟ ଉଚ୍ଚା ରହିଛି।

ନୂଆଦିଲ୍ଲୀର ଜଣେ ଅନ୍ତର୍ଜାତୀୟ ସ୍ତରର ବ୍ୟବସାୟୀଙ୍କ କହିବାନୁଯାୟୀ, ଭାରତ ବର୍ତ୍ତମାନ ସମସ୍ତ ପ୍ରକାର ଅଣ ବାସମତୀ ଚାଉଳ ଉପରେ କଟକଣା ଲଗାଇ ଦେଲା। ଏସବୁ ଚାଉଳକୁ ସାଧାରଣତଃ ଏସିଆ ଓ ଆଫ୍ରିକା ମହାଦେଶର ଗରିବ ଖାଉଟିମାନେ ପସନ୍ଦ କରିଥାନ୍ତି। ଗତମାସରେ ଭାରତ ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ଫଳରେ ହଠାତ୍‌ ଏହାର ମୂଲ୍ୟରେ ୨୫ ପ୍ରତିଶତ ବୃଦ୍ଧି ଘଟିଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଗତ କିଛିଦିନ ହେଲା ଏହାର ଦାମ୍‌ କମିଛି। କିନ୍ତୁ ଏବେ ସାନି କଟକଣା ଲାଗିବା ଫଳରେ ଅନ୍ତର୍ଜାତୀୟ ବଜାରରେ ଚାଉଳ ଦାମ ପୁଣି ବୃଦ୍ଧି ପାଇବା ଆଶଙ୍କା ରହିଛି। ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବ। ଏହା ପୂର୍ବରୁ ଦରଦାମ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ନରେନ୍ଦ୍ର ମୋଦୀ ସରକାର ଚାଉଳ ରପ୍ତାନି ଉପରେ କଟକଣା ଲଗାଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button