ଦେଶ ବିଦେଶ

ମୋଦୀ-ଟ୍ରମ୍ପ ରାଜି: ବାଣିଜ୍ୟ ଆଲୋଚନା ଆଗକୁ ବଢ଼ିବ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସଂପର୍କିତ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଜି ହୋଇଛନ୍ତି। ଏକ ସୂତ୍ରକୁ ଉଦ୍ଧାର କରି ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଆଜି ଏହା କହିଛି। ଶୁଳ୍କର ଉଦାରୀକରଣ ଉପରେ ଭାରତ ବିଚାର କରିପାରେ ବୋଲି ବିଦେଶ ସଚିବ ବିକ୍ରମ ମିସ୍ରି ଆଭାସ ଦେବାର କିଛି ସମୟ ପରେ ଏଭଳି ସୂଚନା ଆସିଛି।
ଉଭୟ ଦେଶକୁ ଲାଭ ପହଞ୍ଚାଉଥିବା ରାଜିନାମା ୨୦୨୫ ଫେବ୍ରୁଆରିରେ ଚୂଡ଼ାନ୍ତ ହୋଇଥିଲା। ଏଥିରେ ବଜାର ସୁବିଧାକୁ ବଢ଼ାଇବା, ଶୁଳ୍କ ହ୍ରାସ କରିବା ଏବଂ ଅଣଶୁଳ୍କ ପ୍ରତିବନ୍ଧକୁ କମାଇବା, ଯୋଗାଣ ଶୃଙ୍ଖଳକୁ ଅଧିକ ବ୍ୟବସ୍ଥିତ କରିବା ନେଇ ବ୍ୟବସ୍ଥା ରହିଛି। ଏହି ରାଜିନାମାର ଲକ୍ଷ୍ୟ ହାସଲ ପାଇଁ ଉଭୟ ନେତା ବରିଷ୍ଠ ପ୍ରତିନିଧିଙ୍କୁ ନିଯୁକ୍ତ କରିବା ପାଇଁ ରାଜି ହୋଇଛନ୍ତି।

ବରିଷ୍ଠ ପ୍ରତିନିଧି ନିଯୁକ୍ତ ହେବେ
ଶୁଳ୍କ କମାଇବ ଭାରତ!

ସେମାନେ ବାଣିଜ୍ୟ ଆଲୋଚନାକୁ ଆଗକୁ ନେବେ, ବାଣିଜ୍ୟିକ ସଂପର୍କକୁ ବଢ଼ାଇବେ ଏବଂ ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହିତ କରିବେ। ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସାମଗ୍ରୀ ଓ ସେବା ସମେତ ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିବ। ଭାରତ ଶୁଳ୍କ ହ୍ରାସ କରିବା ପାଇଁ ରାଜି ହୋଇଛି ବୋଲି ଗତକାଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଥିଲେ। ତେବେ ଏହା ଉପରେ ମନ୍ତବ୍ୟ ରଖିବାକୁ ବିଦେଶ ସଚିବ ଶ୍ରୀ ମିସ୍ରି ମନା କରିଦେଇଛନ୍ତି। ତେବେ ସେ କହିଛନ୍ତି ବିଗତ ବର୍ଷଗୁଡ଼ିକରେ ଶୁଳ୍କ ଉଦାରୀକରଣ ଭିତ୍ତିରେ ଭାରତ ଅନେକ ବାଣିଜ୍ୟ ରାଜିନାମା ସ୍ବାକ୍ଷର କରିଛି। ସେ କହିଛନ୍ତି, ଆମେରିକାରୁ ଅନେକ ମନ୍ତବ୍ୟ ଆସୁଛି। ମୁଁ ତାହା ଭିତରେ ବର୍ତ୍ତମାନ ପଶିବି ନାହିଁ, କାରଣ ଏସବୁ ଉପରେ ଆଲୋଚନା ଚାଲିଛି। କିନ୍ତୁ ମୁଁ ଏତିକି କହିବି ଯେ ନିକଟ ଅତୀତରେ ଆମେ ଅନେକ ସହଯୋଗୀ ଦେଶଙ୍କ ସହିତ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା କରିଛୁ। ସେଗୁଡ଼ିକ ଶୁଳ୍କ ଉଦାରୀକରଣ ଉପରେ ପର୍ଯ୍ୟବସିତ। ତେବେ ସୂତ୍ରରୁ ସୂଚନା ମିଳିଛି ଯେ ଆମେରିକା ସହିତ ଶୁଳ୍କ ସଂପର୍କିତ ସମସ୍ୟା ଆଗାମୀ ସପ୍ତାହଗୁଡ଼ିକରେ, ବିଶେଷକରି ଏପ୍ରିଲ ୨ ପୂର୍ବରୁ ହେବା ନେଇ ନୂଆଦିଲ୍ଲୀ ଆଶାବାଦୀ ରହିଛି।  ଭାରତ ପୂର୍ବରୁ ଅନେକ ବିକଶିତ ଦେଶ ହାରାହାରି ଶୁଳ୍କ ହ୍ରାସ କରିଛି। ସେହି ଦେଶଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆ, ସ୍ବିଜରଲ୍ୟାଣ୍ଡ୍‌ ଏବଂ ନରୱେ ଆଦି ରହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଚଳିତମାସ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ୱାସିଂଟନ ଗସ୍ତରେ ଥିଲେ। ଆମେରିକା ସହିତ ସେମାନେ ବାଣିଜ୍ୟ ରାଜିନାମା ଉପରେ ଆଲୋଚନା କରିଥିଲେ।

ଆମେରିକା ସହ ଭାରତ ସବୁ କଥାବାର୍ତ୍ତା ବନ୍ଦ କରିବା ଉଚିତ

ନୂଆଦିଲ୍ଲୀ: ଆମେରିକା ସହିତ ଭାରତ କରୁଥିବା ସମସ୍ତ କଥାବାର୍ତ୍ତା ଏବଂ ମୂଲଚାଲରୁ ଓହରି ଆସିବା ଉଚିତ। ଚୀନ ଏବଂ କାନାଡା ଭଳି ଦେଶ ଯେଉଁଭଳି ଭାବରେ ଟ୍ରମ୍ପ ପ୍ରଶାସନର ମୁକାବିଲା କରୁଛନ୍ତି ଭାରତ ତାହା କରିବା ଆବଶ୍ୟକ। ଗ୍ଲୋବାଲ ଟ୍ରେଡ ରିସର୍ଚ୍ଚ ଇନିସିଏଟିଭ (ଜିଟିଆର୍‌ଆଇ) ନାମକ ସଂସ୍ଥା ପକ୍ଷରୁ ଏଭଳି ଯୁକ୍ତି ରଖାଯାଇଛି। ଜିଟିଆରଆଇର ସଭାପତି ଅଜୟ ଶ୍ରୀବାସ୍ତବ କହିଛନ୍ତି ମୁଖ୍ୟତଃ ନିଜର ସ୍ବାର୍ଥକୁ ଦୃଷ୍ଟିରେ ରଖି ବାଣିଜ୍ୟ ଦାବିଗୁଡ଼ିକୁ ଗ୍ରହଣ କରିବା ପାଇଁ ଭାରତ ଉପରେ ଆମେରିକା ଅତ୍ୟଧିକ ଚାପ ସୃଷ୍ଟି କରୁଛି। ଭୁଲ୍‌ ତଥ୍ୟକୁ ବ୍ୟବହାର କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଅଧିକାରୀମାନେ ଭାରତକୁ ସମାଲୋଚନା କରୁଛନ୍ତି। ଶ୍ରୀବାସ୍ତବଙ୍କ ମତରେ ଟ୍ରମ୍ପ ଭୁଲ୍‌ ତଥ୍ୟକୁ ବ୍ୟବହାର କରି ଭାରତକୁ ଅପମାନିତ କରୁଛନ୍ତି।

ଏହାଦ୍ବାରା କୌଣସି ସନ୍ତୁଳିତ ଫଳ ଆସିବା ସମ୍ଭବ ନୁହେଁ। ତେଣୁ ଭାରତ ସମସ୍ତ କଥାବାର୍ତ୍ତାରୁ ଓହରି ଆସିବା ଉଚିତ ଏବଂ ଅନ୍ୟ ଦେଶଗୁଡ଼ିକ ଆମେରିକାର ମୁକାବଳିଲ ଯେଉଁଭଳି ଭାଗରେ କରୁଛନ୍ତି ଆମ ଦେଶ ତାହା କରିବା ଉଚିତ। ଶୁକ୍ରବାର ଟ୍ରମ୍ପ ଦାବି କରିଥିଲେ ଯେ ତାଙ୍କ ଦେଶ ଭାରତ ଅସମତୁଲ ବାଣିଜ୍ୟ କାରବାରକୁ ପଦାରେ ପକାଇବା ପରେ ଆମେରିକାର ଆମଦାନି ଉପରେ ଶୁଳ୍କ ହ୍ରାସ କରିବା ଲାଗି ଭାରତ ରାଜି ହୋଇଛି। ଏହା ଠିକ୍ ନୁହେଁ। ଭାରତକୁ ଚାପରେ ରଖିବା ପାଇଁ ତାଙ୍କର ଏହି ମନ୍ତବ୍ୟ ଉଦ୍ଦିଷ୍ଟ। ଭାରତର ନିରବତା ଚକିତ କରିଛି। ଭାରତ ତଥ୍ୟ ସହ ଏହାର ପ୍ରତିବାଦ କରିବା ଉଚିତ ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button