ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ,ସମ୍ଭାବନା, ୨୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଗୁରୁବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ।ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ପ୍ରକାଶ ପାଇଛି । ଏହା ସହିତ ୨୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି।
ଶୁକ୍ରବାର ସୁଦ୍ଧା ଏହା ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଛତିଶଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ସୋନପୁର ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରତିବଳ ବର୍ଷା ହୋଇପାରେ । ଏ ସବୁ ସ୍ଥାନରେ ୭୦ରୁ ୨୦୦ ମିମିବର୍ଷା ହେବାର ସମ୍ଭାବନା ଅଛି । ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ନୂଆପଡ଼ା , ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ କଳାହାଣ୍ଡିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
୨ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗକୁ ବର୍ଷା ସମ୍ଭାବନା ଥିବା ଜିଲ୍ଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ନିର୍ଦ୍ଦେଶ ଦେଇଛନ୍ତି।