କ୍ରୀଡା

ଆଜି ଅପରାଜେୟ ଭାରତ-ନ୍ୟୁଜିଲାଣ୍ଡ୍‌ ଭେଟ: ସୂର୍ଯ୍ୟକୁମାର ଆହତ, ଈଶାନଙ୍କୁ ମହୁମାଛି କାମୁଡ଼ିଲା – Utkal Mail


ଧର୍ମଶାଳା: ଚଳିତ ବିଶ୍ବକପ୍‌ରେ ପ୍ରଧାନ୍ୟ ବିସ୍ତାର କରିଥିବା ଦୁଇ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ରବିବାର ଦେଶର ସବୁଠୁ ଉଚ୍ଚତମ ସ୍ଥାନରେ ଥିବା ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ। ଭାରତ ପ୍ରଥମ ଥର ଆହତ ସମସ୍ୟାକୁ ସାମ୍ନା କରୁଛି। ଦଳର ପ୍ରମୁଖ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବିନା ଭାରତ ଧର୍ମଶାଳାରେ ପହଞ୍ଚି ଅଭ୍ୟାସ କରିଥିଲା। ତେଣୁ ପାଣ୍ଡ୍ୟାଙ୍କ ବିନା ନ୍ୟୁଜିଲାଣ୍ଡ ଭଳି ଏକ ଶକ୍ତିଶାଳୀ ଦଳକୁ ଟକ୍କର ଦେବା ଭାରତ ପାଇଁ ଆହ୍ବାନ ଭରା ରହିବ। ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ମ୍ୟାଚ୍‌ ହାରିନାହାନ୍ତି। ୪ ଲେଖାଏଁ ଖେଳି ସମସ୍ତ ମ୍ୟାଚ୍ ଜିତିଛନ୍ତି। ତେଣୁ ଏହି ମ୍ୟାଚ୍‌କୁ ଯିଏ ଜିତିବ ସେହି ଦଳ ସେମିଫାଇନାଲ୍‌ ଦ୍ବାରର ସବୁଠୁ ନିକଟତର ହୋଇଯିବ। ପାଣ୍ଡ୍ୟାଙ୍କ ଆହତ ଭାରତୀୟ ଦଳର ସନ୍ତୁଳନକୁ ବିଗାଡ଼ି ଦେଇଛି। କାରଣ ପାଣ୍ଡ୍ୟାଙ୍କ ଅନୁପସ୍ଥିତିକୁ ଭରଣା କରିବା ଭଳି ଖେଳାଳି ମଧ୍ୟ ଦଳରେ ନାହାନ୍ତି। ତଥାପି ଏଭଳି ସ୍ଥିତିରେ ମହମ୍ମଦ ସାମି ଚଳିତ ବିଶ୍ବକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିବା ସମ୍ଭାବନା ରହିଛି। ଗତ ସଂସ୍କରଣରେ ଏକମାତ୍ର ଭାରତୀୟ ଭାବେ ହ୍ୟାଟ୍ରିକ ଅର୍ଜନ କରିଥିବା ସାମି ଏଥର ଗୋଟିଏ ବି ମ୍ୟାଚ୍‌ ଖେଳିପାରିନାହାନ୍ତି। ସେହିପରି ଧର୍ମଶାଳା ପିଚ୍‌ ବୋଲରଙ୍କୁ କିଛିଟା ସୁହାଉଛି। ତେଣୁ ସାମିଙ୍କ ପାଇଁ ଏହା ଭଲ ସୁଯୋଗ ହୋଇପାରିବ।

ଏହାଛଡ଼ା ସୂର୍ଯ୍ୟକୁମାର ଯାଦବ ମଧ୍ୟ ପାଣ୍ଡ୍ୟାଙ୍କ ସ୍ଥାନ ନେବାକୁ ଅନ୍ୟତମ ଦାବିଦାର ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପରେ ଦ୍ବିତୀୟ ସୁଯୋଗ ଅପେକ୍ଷାରେ ଥିବା ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଭଲ ଖେଳିପାରିବେ। କିନ୍ତୁ ଧର୍ମଶାଳାରେ ଦ୍ରୁତ ବୋଲିଂ ଅପେକ୍ଷା ଅଫସ୍ପିନ୍‌ ସେତେଟା କାମ କରିବନି। ତଥାପି ରବିବାର ସକାଳର ପରିସ୍ଥିତିକୁ ପରଖିବା ପରେ ଅଧିନାୟକ ଓ ପ୍ରଶିକ୍ଷକ ଶେଷ ନିଷ୍ପତ୍ତି ନେବେ। ରୋହିତ, କୋହଲି, ରାହୁଲ ଓ ଗିଲ୍‌ ନିୟମିତ ରନ୍‌ କରୁଥିଲା ବେଳେ ଶ୍ରେୟସ ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି। ତେଣୁ ବ୍ୟାଟିଂକୁ ନେଇ ଦଳ ଆଦୌ ଚିନ୍ତିତ ହେ‌ବନି। ତଥାପି ଶନିବାର ଅଭ୍ୟାସ ବେଳେ ସୂର୍ଯ୍ୟଙ୍କ ହାତରେ ବଲ୍‌ ବାଜିବାରୁ ସେ ଆହତ ଥିବା ବେଳେ ଈଶାନଙ୍କୁ ବ୍ୟାଟିଂ ବେଳେ ମହୁମାଛି କାମୁଡ଼ିଥିଲା। ଉଭୟ ଅଧିକ ଅଭ୍ୟାସ କରିନଥିବାରୁ ସେମାନଙ୍କ ଆଘାତ କେତେ ଗୁରୁତର ତାହା ସ୍ପଷ୍ଟ ହୋଇନାହିଁ। ବୋଲିଂରେ ମଧ୍ୟ ବୁମ୍‌ରାଙ୍କ ନେତୃତ୍ବରେ ସିରାଜ, କୁଲଦୀପ ଆଶାନୁଯାୟୀ ପ୍ରଦର୍ଶନ ଦେଉଛନ୍ତି। ତେଣୁ ନ୍ୟୁଜିଲାଣ୍ଡ ଆହ୍ବାନକୁ ସାମ୍ନା କରିବାରେ ଭାରତୀୟ ଖେଳାଳିଙ୍କୁ ସେତେଟା ବଡ଼ ସମସ୍ୟା ହୋଇନପାରେ।

ଅପରପକ୍ଷେ ନିୟମିତ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ ବିନା ନ୍ୟୁଜିଲାଣ୍ଡ ଭାରତ ଭଳି ବଡ଼ ଦଳ ବିପକ୍ଷରେ ଖେଳିବାକୁ ଯାଉଛି। କିନ୍ତୁ ବର୍ତ୍ତମାନସୁଦ୍ଧା ନ୍ୟୁଜିଲାଣ୍ଡ ଖେଳିଥିବା ୪ରୁ ୩ ମ୍ୟାଚ୍‌ରେ ୱିଲିୟମସନ ଖେଳିନାହାନ୍ତି। ଏହାସତ୍ତ୍ବେ ଟମ ଲଥାମଙ୍କ ନେତୃତ୍ବରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେଇଚାଲିଛି। ଡେଭନ କନୱେ, ରାଚିନ ରବୀନ୍ଦ୍ର, ୱିଲ ୟଙ୍ଗ, ଡାରେଲ ମିଚେଲ ବ୍ୟାଟିଂ ଦାୟିତ୍ବକୁ ନିଖୁଣ ଭାବେ ନିଭାଉଛନ୍ତି। ସେହିପରି ଟିମ୍‌ ସାଉଦିଙ୍କ ବିନା ମଧ୍ୟ ବୋଲିଂ ବିଭାଗ ଆଦୌ ଦୁର୍ବଳ ହୋଇନାହିଁ। ମିଚେଲ ସାଣ୍ଟନର ପ୍ରଥମ ଖେଳାଳି ଭାବେ ଚଳିତ ସଂସ୍କରଣରେ ୫ ୱିକେଟ୍‌ ନେବା ସହ ମୋଟ୍‌ ୧୧ ୱିକେଟ୍‌ ନେଇ ଆଗରେ ଅଛନ୍ତି। ତାଙ୍କ ଛଡ଼ା ମ୍ୟାଟ୍‌ ହେନରି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ ଯେ କୌଣସି ବ୍ୟାଟିଂ କ୍ରମକୁ ଭାଙ୍ଗିବାର ଦକ୍ଷତା ରଖୁଛନ୍ତି। ଯଦିଓ ବୋଲ୍ଟ ଏବେ ତାଙ୍କର ଶ୍ରେଷ୍ଠ ସମୟ ଦେଇ ଗତି କରୁନାହାନ୍ତି, ତଥାପି ଭାରତ ବିପକ୍ଷରେ ସେ ଏହି ଲୟକୁ ଫେରିବେ ବୋଲି ଦଳ ଆଶା ରଖିଛି।

ପ୍ରଥମେ ବ୍ୟାଟିଂ ଦଳ ଅଧିକ ଜିତିଛି
ହିମାଚଳ ପ୍ରଦେଶ କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ଚଳିତ ବିଶ୍ବକପ୍‌ରେ ବର୍ତ୍ତମାନ ସୁଦ୍ଧା ୩ ମ୍ୟାଚ୍ ଖେଳାଯାଇଛି। ଏଗୁଡ଼ିକ ମଧ୍ୟରୁ ଗୋଟିଏ ଦିବାରାତ୍ର ଖେଳାଯାଇଥିଲା ବେଳେ ଦୁଇଟି ଦିନ ବେଳା ଅନୁଷ୍ଠିତ ହୋଇଥିଲା। ଦିବାରାତ୍ର ମ୍ୟାଚ୍‌ରେ ସନ୍ଧ୍ୟା ବେଳକୁ ଦ୍ରୁତ ବୋଲରଙ୍କୁ ଭଲ ସୁଇଂ ମିଳୁଥିବା ଦେଖାଯାଇଛି। ପଡ଼ିଆ ଆକାର ମଧ୍ୟ ଛୋଟ ହୋଇଥିବାରୁ ଭଲ ରନ୍‌ ସଂଗ୍ରହ ହୋଇପାରିବ। ତେଣୁ ସ୍ଥିତିକୁ ଦେଖି ଅଧିନାୟକମାନେ ଟସ୍‌ ଜିତି ବୋଲିଂ କରିବାକୁ ପସନ୍ଦ କରୁଛନ୍ତି, କିନ୍ତୁ ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ସପକ୍ଷରେ ଅଧିକାଂଶ ଫଳାଫଳ ଯାଇଛି। ଗତ ୩ ମ୍ୟାଚ୍‌ ମଧ୍ୟରେ ଯେଉଁ ଦଳ ପ୍ରଥମେ ବ୍ୟାଟିଂ କରିଛି ସେ ଜିତିଛି। ନ୍ୟୁଜିଲାଣ୍ଡ ୪ ମ୍ୟାଚ୍‌ ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ଦ୍ବିତୀୟ ପାଳିରେ ପଶ୍ଚାତଧାବନ ମଧ୍ୟ କରି ସଫଳ ହୋଇଛି। ଅନ୍ୟପକ୍ଷରେ ଭାରତ ତାହାର ସମସ୍ତ ୪ ମ୍ୟାଚ୍‌ରେ ଦ୍ବିତୀୟ ପାଳିରେ ବ୍ୟାଟିଂ କରି ଜିତିଛି। ଯଦି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନିଏ, ତାହେଲେ ମଧ୍ୟ ଭାରତ ପାଇଁ ସେଭଳି କିଛି ଅସୁବିଧା ହୋଇନପ‌ାରେ।

ମେଘୁଆ ଆକାଶ
ବିଶ୍ବକପ୍‌ର ଏହି ବଡ଼ ମୁକାବିଲାରେ ବର୍ଷା ବାଧା ଦେଇପାରେ। ପାଣିପାଗ ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ୧୯ ପ୍ରତିଶତରୁ ରାତି ୧୦ଟା ପର୍ଯ୍ୟନ୍ତ ୪୭ ପ୍ରତିଶତ ସମ୍ଭାବନା ରହିଛି। ଅପରାହ୍ନ ସମୟରେ ଆକାଶ ମେଘୁଆ ରହିବ। ଯାହାକି ଦ୍ରୁତ ବୋଲରଙ୍କୁ ‌ଅଧିକ ସହାୟତା ଦେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଖେଳାଯାଇଥିବା କୌଣସି ମ୍ୟାଚ୍‌ରେ ପୂର୍ଣ୍ଣାଙ୍ଗ ୫୦ ଓଭର ଖେଳାଯାଇନି। ପ୍ରଥମ ଦୁଇ ମ୍ୟାଚ୍‌ ୫୦ ଓଭର ପୂର୍ବରୁ ଶେଷ ହୋଇଯାଇଥିଲା। କିନ୍ତୁ ନେଦରଲାଣ୍ଡ୍‌ସ-ଦକ୍ଷିଣ ଆଫ୍ରିକା ମୁକାବିଲା ଆରମ୍ଭରୁ ବର୍ଷା ହେବାରୁ ମ୍ୟାଚ୍‌କୁ ୪୩ ଓଭରକୁ ହ୍ରାସ କରାଯାଇଥିଲା। ଯେଉଁଥିରେ ନେଦରଲାଣ୍ଡ୍‌ସ ବିଜୟୀ ହୋଇ ବିପର୍ଯ୍ୟୟ କରିଥିଲା। ରବିବାର ମ୍ୟାଚ୍‌ରେ ଯଦି ବର୍ଷା ହୁଏ, ତାହେଲେ ଅନ୍ୟୁନ ୨୦ ଓଭରର ମ୍ୟାଚ୍‌ କରିବା ପାଇଁ ନିୟମ ରହିଛି।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ/ଈଶାନ କିଶନ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସାମି/ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଦଳ: ଡେଭନ କନୱେ, ରାଚିନ ରବୀନ୍ଦ୍ର, ଟମ ଲଥାମ, ୱିଲ ୟଙ୍ଗ, ଡାରେଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମ୍ୟାନ, ମିଚେଲ ସାଣ୍ଟନର, ମ୍ୟାଟ ହେନରି, ଲୋକି ଫୁର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button