ରୁଷୀୟ କ୍ଷେପଣାସ୍ତ୍ର ମାଡ଼ରେ ବିମାନ ଦୁର୍ଘଟଣା ମାମଲା: ଆଜରବାଇଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ ପୁଟିନ

ମସ୍କୋ: ଆଜରବାଇଜାନ ଏୟାରଲାଇନ୍ସର ବିମାନ ୮୪୩୨ ଖ୍ରୀଷ୍ଟମାସ ଦିନ ଦୁର୍ଘଟଣାଗ୍ରସ୍ତ ହେବା ଖବର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ବେଳେ ରୁଷ୍ର କ୍ଷେପଣାସ୍ତ୍ର ଆକ୍ରମଣରେ ହିଁ ବିମାନଟି କାଜାଖସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କ୍ଷମାପ୍ରାର୍ଥନା କରିଛନ୍ତି। ସେ ଆଜରବାଇଜାନ ରାଷ୍ଟ୍ରପତି ଇଲ୍ହାମ ଅଲିୟେଭଙ୍କୁ କ୍ଷମା ମାଗିବା ସହ ଯୁଦ୍ଧର ଘନଘଟା ଭିତରେ ଏକ ଭୁଲ୍ ହୋଇଗଲା ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଏହି ବିମାନ ଦୁର୍ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା। ବିମାନଟି ଆଜରବାଇଜାନର ରାଜଧାନୀ ବାକୁରୁ ଚେଚେନ୍ୟାର ରାଜଧାନୀ ଗ୍ରୋଜନି ଅଭିମୁଖେ ଯାତ୍ରା କରୁଥିଲା।
ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ରୋକାଯିବା ବେଳେ ଭୁଲ୍ରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା
ଉଡ଼ାଣ ସମୟରେ ରୁଷିଆର ନର୍ସ୍କି ଅଂଚଳର ପାଣ୍ଟସିର-ଏସ୍ ଏୟାର ଡିଫେନ୍ସ ସିଷ୍ଟମରୁ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ଏବଂ ଏହା ବିମାନରେ ମାଡ଼ ହୋଇଥିଲା। ଆଜି କ୍ରେମଲିନ୍ ପକ୍ଷରୁ ବିବୃତିରେ କୁହାଯାଇଛି ଯେ ରାଷ୍ଟ୍ରପତି ପୁଟିନ ଏହି ଦୁଃଖଦ ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବିବୃତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ବିମାନଟି ଗ୍ରୋଜନି ବିମାନବନ୍ଦରରେ ଅବତରଣ କରିବାକୁ ଅନେକ ଥର ଚେଷ୍ଟା କରିଥିଲା। ସେହି ସମୟରେ ଗ୍ରୋଜନି, ମୋଜଡୋକ୍ ଏବଂ ଭ୍ଲାଦିକାଭାକାଜ୍ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣର ସମ୍ମୁଖୀନ ହେଉଥିଲା। ଏଭଳି ପରିସ୍ଥିତିରେ ଭୁଲ୍ରେ ଏକ କ୍ଷେପଣାସ୍ତ୍ର ବିମାନକୁ ଟାର୍ଗେଟ୍ କରିଥିଲା।