ବାବୁସାନ୍ ଓ ଅମ୍ଳାନଙ୍କ ଅଭିନୀତ ଫିଲ୍ମରେ ଆଇଟମ୍ ଗାର୍ଲ ବନିଲେ ଓଲିଉଡର ଏହି ଲୋକପ୍ରିୟ ନାୟିକା – Utkal Mail
ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟିକାମାନଙ୍କ ମଧ୍ୟରୁ କେବଳ ଅନୁ ଚୌଧୁରୀ, ନମ୍ରତା ଥପ୍ପା, ଅନନ୍ୟା, ଜୀନା ଓ ଲଭ୍ଲିଙ୍କ ଭଳି କେତେକ ହାତଗଣତି ଯୁବତୀଙ୍କୁ ଦର୍ଶକ ବଡ଼ ପରଦାରେ ଆଇଟମ୍ ଗାର୍ଲ ଭାବେ ଦେଖିବାକୁ ପାଇଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ନାମ। ସେ ହେଲେ ଏଲିନା। ଆଗଧାଡ଼ିର ନାୟିକା ଏଲିନା ଆଗରୁ କେବେ ବି ଆଇଟମ୍ ଗାର୍ଲ ବନି ନଥିଲେ।
ସେ ‘ମାଲ୍ୟଗିରି କାହାଣୀର ଆରମ୍ଭ’ରେ ଆଇଟମ୍ ଗୀତରେ ନଜର ଆସିବେ। ତାଙ୍କ ଆଇଟମ୍ ଗୀତ ହେଲା ଧୂଳିଆ ଜନ୍ଦା। ଏହାର ସଙ୍ଗୀତକାର ହେଲେ ଦମନ୍ ଫେମ୍ ଗୌରବ ଆନନ୍ଦ। ଏହି ଆଇଟମ୍ ଗୀତ ସିନେମାର ଅନ୍ୟତମ ଆକର୍ଷଣ ହେବ ବୋଲି କୁହାଯାଉଛି।
ରେନଡ୍ରପ୍ ପିକଚର୍ସ ଓ ଗିରିଜାଶଙ୍କର ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ସିନେମାରେ ବାବୁସାନ୍, ଅମ୍ଳାନ, ଶିବାନୀ ଓ ସୂର୍ଯ୍ୟମୟୀ ପ୍ରମୁଖ ଅଭିନୟ କରିଛନ୍ତି। ‘ମାଲ୍ୟଗିରି କାହାଣୀର ଆରମ୍ଭ’ର ପ୍ରଯୋଜନା କରୁଛନ୍ତି ରିଙ୍କୁ ରିନୁ ଜେନା ଓ ଗିରିଜା ଶଙ୍କର। ଏହାର ନିର୍ଦେଶକ ହେଲେ ‘ଗୁପଚୁପ’ ଫେମ୍ ପୃଥ୍ବୀରାଜ ପଟ୍ଟନାୟକ। ଅମିତ କୁମାର ଦାସ ସିନେମାର କାହାଣୀକାର। ରୁଦ୍ରକାନ୍ତ ସିଂହ ଏହାର ସିନେମାଟୋଗ୍ରାଫର୍। ଏହା ଆଗାମୀ ଦଶହରାରେ ମୁକ୍ତିଲାଭ କରିବାର ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ବିଗତ ୮ ବର୍ଷ ହେଲା ଅଭିନୟ କ୍ଷେତ୍ରରେ ବେଶ୍ ସକ୍ରିୟ ଅଛନ୍ତି । ସେ ତରଙ୍ଗ ସିନେ ପ୍ରଡକସନ୍ସ ଦ୍ୱାରା ପ୍ରଯୋଜିତ ‘ଇଶ୍କ ତୁ ହି ତୁ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ‘କେହି ନୁହେଁ କାହାର’, ‘ଜଗା ହାତରେ ପଘା’, ‘ଅଭୟ’, ‘ଲଭ୍ ଷ୍ଟେସନ୍’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅଟା ବିଗିଡ଼ିଗଲା’, ‘ହାପି ଲକି’, ‘କାବୁଲା ବାରବୁଲା’, ‘ଫୋର୍ ଇଡିଅଟ୍ସ’, ଇଶ୍କ ପୁଣି ଥରେ, ‘ଟୋକାଟା ଫସିଗଲା’, ‘ଦିସ୍ ଇଜ୍ ସବୁ ମାୟାରେ ବାୟା’, ‘ମାଲ ମହୁ ଜୀବନ ମାଟି’ ଓ ପ୍ରିୟେ ତୁ ମୋ ସିଏ ଆଦି ଓଡ଼ିଆ ସିନେମାରେ ନାୟିକା ଭାବେ ଦେଖିବାକୁ ପାଇଛନ୍ତି ଦର୍ଶକ।