୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ଦୁଃଖର କାରଣ ପାଲଟିଛି ଡୁବୁଡୁବି ନଦୀ, ସରୁନି ବ୍ରିଜ ନିର୍ମାଣ କାର୍ଯ୍ୟ

ସବୁ ସ୍ଥାନକୁ ଯୋଗାଯୋଗ ସୁଗମ ଏବଂ ଜନସାଧାରଣ ଙ୍କ ସୁରୁଖୁର ରେ ଯାତାୟତ ପାଂଇ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ମାଧ୍ଯମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଅନେକ କ୍ଷେତ୍ରରେ ଏହି ଜନକଲ୍ଯାଣକାରୀ ଯୋଜନା ର ସଫଳ ରୂପାୟନ ହୋଇ ପାରୁନି । ପ୍ରଶାସନିକ ଅବହେଳା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଦୀର୍ଘ ବର୍ଷ ଧରି ଅଧପନ୍ତରିଆ ହୋଇ ପଡି ରହିଛି ବ୍ରିଜ ନିର୍ମାଣ କାର୍ଯ୍ୟ । ଯାହା ଫଳରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ବିପଦ ଶଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ ଯାତାୟତ କରିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କଷାଫଳ ଏବଂ ଆଳୁମେଦା ପଞ୍ଚାୟତ ଦେଇ ପ୍ରବାହିତ ହେଉଛି ଡୁବୁଡୁବି ନଦୀ । ଦୁଇ ପଞ୍ଚାୟତକୁ ଭାଗ କରି ଦେଇଥିବା ଏହି ନଦୀ ଅଞ୍ଚଳବାସୀଙ୍କ ସମସ୍ୟାର କାରଣ ପାଲଟିଛି । ଉତ୍ତର ବାଲେଶ୍ବରର ଲକ୍ଷାଧିକ ଲୋକଙ୍କ ଦୁଃଖର କାରଣ ପାଲଟିଛି ଏହି ନଦୀ । ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ଏହି ନଦୀ ଉପରେ ବ୍ରିଜ ନିର୍ମାଣ ହୋଇ ନଥିବାରୁ ସ୍ଥାନୀୟ ଅଞ୍ଚଳର ଲକ୍ଷାଧିକ ଲୋକେ ମାତ୍ର ଦୁଇଶହ ମିଟର ରାସ୍ତା ପାଇଁ ୪୦ କିଲୋମିଟର ରାସ୍ତା ବୁଲି କରି ଯାଇଥାନ୍ତି । ତେବେ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଦାବି ପରେ ୨୦୧୭ ମସିହାରେ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ନିର୍ମାଣର ଅବଧି ଶେଷ ହେବାର ୮ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଧପନ୍ତରିଆ ହୋଇ ପଡିରହିଛି ବ୍ରିଜ୍ ନିର୍ମାଣ କାର୍ଯ୍ୟ ।
ଡୁବୁଡୁବି ନଦୀ ଉପରେ ବାଲିଆପାଳ ଏବଂ ସଦର ବ୍ଲକର ସମୂଦ୍ର ଉପକୂଳବର୍ତ୍ତୀ ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତର ଲୋକେ ଯାତାୟତ କରିଥାନ୍ତି । ବ୍ରିଜ ନଥିବାରୁ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବିପଦ ଶଙ୍କୁଳ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହୋଇ ଯାଇଥାନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ବ୍ରିଜ ନିର୍ମାଣ କାର୍ଯ୍ୟ ଦୀର୍ଘ ୮ ବର୍ଷ ପୂର୍ବରୁ ଆରମ୍ଭ ହୋଇ ଥିଲେ ମଧ୍ୟ ଏବେ ବି ଅଧପନ୍ତରିଆ ହୋଇ ପଡି ରହିଛି । ବ୍ରିଜ ନିର୍ମାଣ ପାଇଁ ଆସିଥିବା ଲୁହା ଛଡ ଏବଂ ଅନ୍ୟାନ୍ୟ ସାମଗ୍ରୀରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି । ୮ ବର୍ଷ ମଧ୍ୟରେ ନଦୀର ଦୁଇ ପାର୍ଶ୍ବରେ ଦୁଇଟି ପିଲାର୍ ନିର୍ମାଣ କାର୍ଯ୍ୟ ବି ସମ୍ପୂର୍ଣ୍ଣ ହୋଇ ପାରିନି । ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ପୁଣି ଅନିଶ୍ଚିତତା ଦେଖା ଦେଇଛି ।
ଏନେଇ ବାଲେଶ୍ବର ସାଂସଦ ଏବଂ ସଦର ବିଧାୟକ କହିଛନ୍ତି ବ୍ରିଜ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରିବା ଯୋଗୁ ବ୍ରିଜ ନିର୍ମାଣକାରୀ ଠିକାସଂସ୍ଥାର ଚୁକ୍ତିକୁ ରଦ୍ଦ କରିବା ସହିତ ସରକାରଙ୍କ ପକ୍ଷରୁ ଉକ୍ତ ସଂସ୍ଥାକୁ କଳା ତାଲିକାଭୂକ୍ତ କରା ଯାଇଛି ଏବଂ ନୂଆ ଟେଣ୍ତର କରି ତୁରନ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ।
ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗା ସାହାଯ୍ୟରେ ନଦୀ ପାର ହୋଇ ଯାଉଥିବା ବେଳେ ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସବୁ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି ।