ଦେଶ ବିଦେଶ

ଗାଜା ହସ୍ପିଟାଲ ବିସ୍ଫୋରଣ ନେଇ ପ୍ରମାଣ ଦେଲା ଇସ୍ରାଏଲ: ଆକ୍ରମଣ ପଛରେ ‘ଇସ୍‌ଲାମିକ ଜିହାଦ୍‌’ – Utkal Mail


୪୭୧ ଶବ ଉଦ୍ଧାର, ଧ୍ବଂସସ୍ତୂପ ତଳେ ରହିଛି ଅନେକ ଶବ, ୧୨ ଦିନର ଯୁଦ୍ଧରେ ୧୫ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲାଣି

ଗାଜା: ଗାଜାରେ ଗତକାଲି ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ବିସ୍ଫୋରଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଥିଲା ଏବଂ ଏହାକୁ ନେଇ ବିଭିନ୍ନ ମୁସ୍‌ଲିମ ରାଷ୍ଟ୍ରରେ ଇସ୍ରାଏଲ ବିରୋଧୀ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଥିଲା। ତେବେ ଏହି ଆକ୍ରମଣରେ ଇସ୍ରାଏଲର କୌଣସି ସମ୍ପୃକ୍ତି ନାହିଁ ବୋଲି ଇସ୍ରାଏଲ ସ୍ପଷ୍ଟ କରିଛି। ଆକ୍ରମଣ ପାଇଁ ଇସ୍ରାଏଲୀ ସେନା ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠି ‘ଇସଲାମିକ ଜିହାଦ’ କୁ ଦାୟୀ କରିବା ସହ ବଳିଷ୍ଠ ପ୍ରମାଣ ଜାରି କରିଛି। ଇସଲାମିକ ଜିହାଦ୍‌ ଦ୍ବାରା ଛଡ଼ାଯାଇଥିବା ରକେଟ୍‌ ଅନିୟନ୍ତ୍ରିତ ହୋଇଯିବାରୁ ଗାଜା ହସ୍ପିଟାଲ ଏହାର ଶିକାର ହୋଇଛି ବୋଲି ଇସ୍ରାଏଲ ଦାବି କରିଛି। ଏନେଇ ଇସ୍ରାଏଲ ପ୍ରମାଣ ସ୍ବରୂପ କେତେକ ଭିଡିଓ ମଧ୍ୟ ଜାରି କରିଛି। ଇସ୍ରାଏଲ ଉଭୟ ବିସ୍ଫୋରଣ ପୂର୍ବର ଏବଂ ବିସ୍ଫୋରଣ ପରବର୍ତ୍ତୀ ଭିଡିଓ ଜାରି କରିଛି। ଇସ୍ରାଏଲ ବାୟୁସେନା ପକ୍ଷରୁ ଜାରି ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ହସ୍ପିଟାଲ୍‌ ପାର୍କିଂ ସ୍ଥଳରେ ରକେଟ୍‌ ମାଡ଼ ହେବାପରେ ହସ୍ପିଟାଲ୍‌ କୋଠାଟି ଜଳୁଛି।

୪୭୧ ଶବ ଉଦ୍ଧାର, ଧ୍ବଂସସ୍ତୂପ ତଳେ ରହିଛି ଅନେକ ଶବ
୧୨ ଦିନର ଯୁଦ୍ଧରେ ୧୫ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲାଣି
ଆକ୍ରମଣ ସଂକ୍ରାନ୍ତ ଅଡିଓ-ଭିଡିଓ ପ୍ରମାଣ ଦେଲା ଇସ୍ରାଏଲ

ଇସ୍ରାଏଲ ସେନା ଦାବି କରିଛି ଯେ ସେମାନଙ୍କ ଯୁଦ୍ଧାସ୍ତ୍ର ଏବଂ ବିଶେଷ କରି ସେମାନଙ୍କ ରକେଟ୍‌ର ଅତି ଉଚ୍ଚ ପ୍ରଭାବ ରହିଛି ଏବଂ ରକେଟ୍‌ ମାଡ଼ ହେବା ସ୍ଥଳରେ ବଡ଼ ଧରଣର ଗର୍ତ୍ତ ହୋଇଯାଏ। କିନ୍ତୁ ବିସ୍ଫୋରଣ ହୋଇଥିବା ହସ୍ପିଟାଲ ନିକଟରେ କୌଣସି ପ୍ରକାରର ବଡ଼ ଧରଣର ଗର୍ତ୍ତ ହୋଇନାହିଁ କି ହସ୍ପିଟାଲ୍‌ ସେଭଳି ଭାବେ କ୍ଷତିଗ୍ରସ୍ତ ହୋଇନାହିଁ। ଇସ୍ରାଏଲୀ ସାମରିକ ମୁଖପାତ୍ର ରିଅର ଆଡମିରାଲ୍‌ ଡାନିଏଲ ହାଗାରି ଏହି ଦାବି କରିଛନ୍ତି। ଇସ୍ରାଏଲ ସେନା ମଧ୍ୟ ଏକ ଅଡିଓ ରେକର୍ଡିଂ ଜାରି କରିଛି। ଏହି ଅଡିଓ ରେକର୍ଡିଂରେ ଶୁଣିବାକୁ ମିଳିଛି ଯେ ଇସଲାମିକ ଜିହାଦର ଭୁଲ୍‌ ରକେଟ୍‌ ମାଡ଼ ନେଇ ହମାସ ଆତଙ୍କବାଦୀମାନେ ଆଲୋଚନା କରୁଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ମଧ୍ୟ ଦାବି କରିଛନ୍ତି ଯେ ଗତ ୧୧ ଦିନ ମଧ୍ୟରେ ଗାଜାରୁ ଇସ୍ରାଏଲ ଆଡ଼କୁ ନିକ୍ଷେପ କରାଯାଇଥିବା ରକେଟ୍‌ ମଧ୍ୟରୁ ୪୫୦ଟି ରକେଟ୍‌ ଗାଜା ଷ୍ଟ୍ରିପ୍‌ରେ ହିଁ ପଡ଼ିଛି।

ଆଜି ସନ୍ଧ୍ୟା ସୁଦ୍ଧା ହସ୍ପିଟାଲ ପରିସରରୁ ୪୭୧ ଶବ ଉଦ୍ଧାର ହୋଇଥିବା ଗାଜା କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ଅନେକ ଶବ ଏବେ ବି ଧ୍ବଂସସ୍ତୂପ ତଳେ ରହିଥିବା କୁହାଯାଉଛି। ୩୦୦ରୁ ଅଧିକ ଆହତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହସ୍ପିଟାଲ ମୃତ୍ୟୁ ସଂଖ୍ୟା ୫୫୦ ଟପିବ ବୋଲି ଆଶଙ୍କା କରାଯାଉଛି। ଗାଜାରେ ଚଳିତ ଯୁଦ୍ଧରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଉପରେ ୫୧ ଥର ଆକ୍ରମଣ ହେଲାଣି ଏବଂ ଏଥିରେ ୧୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ଜଣାପଡ଼ିଛି।




Related Articles

Leave a Reply

Your email address will not be published. Required fields are marked *

Back to top button