ଦେଶ ବିଦେଶ

ଶାହଙ୍କ ବିରୋଧରେ ସ୍ବାଧିକାର ନୋଟିସ୍‌ ଖାରଜ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୁରୁବାର  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆସିଥିବା ସ୍ବାଧିକାର ଭଙ୍ଗ ନୋଟିସ୍‌ ପ୍ରତ୍ୟାଖ୍ୟାନ କରିଛନ୍ତି।  ଶାହ ନିଜ ଟିପ୍ପଣୀକୁ ସତ୍ୟ ପ୍ରମାଣିତ କରିବାପାଇଁ ୧୯୪୮ ମସିହାର ଏକ ସରକାରୀ ପ୍ରେସ୍‌ ରିଲିଜ୍‌ ଦର୍ଶାଇବାପରେ ଧନଖଡ଼ ତାଙ୍କ ବିରୋଧରେ ଆସିଥିବା ସ୍ବାଧିକାର ନୋଟିସ୍‌କୁ ରଦ୍ଦ କରିଦେଇଛନ୍ତି। ପ୍ରେସ ରିଲିଜ୍‌ରେ ଏହା ଦର୍ଶାଯାଇଛି ଯେ ଜଣେ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ପାଣ୍ଠି ପରିଚାଳନାର ଏକ ଅଂଶ ଥିଲେ।  ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଧନଖଡ଼ କହିଛନ୍ତି,  ଅମିତ ଶାହ ତାଙ୍କର ମନ୍ତବ୍ୟ ଦ୍ବାରା କାହାରି ଅଧିକାର କ୍ଷୁଣ୍ଣ କରିନାହାନ୍ତି କି କାହାର ମାନହାନି କରିନାହାନ୍ତି। ସେ ଯାହା କହିଛନ୍ତି ସତ୍ୟ ଆଧାରିତ। ୧୯୪୮ ମସିହାର ଏକ ସରକାରୀ ପ୍ରେସ୍‌ ରିଲିଜ୍‌ ଦର୍ଶାଇ ଶାହ ତାଙ୍କ ଟିପ୍ପଣୀକୁ ସତ୍ୟ ପ୍ରମାଣିତ କରିଥିବା ଧନଖଡ଼ କହିଛନ୍ତି।  ଶାହ ଦର୍ଶାଇଥିବା ରିଲିଜ୍‌ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍‌ ନେହରୁଙ୍କ ଅଧୀନରେ ପିଏମ୍‌ଏନଆରଏଫ୍‌ ଗଠନ କଥା ଦର୍ଶାଯାଇଥିଲା। ସେହିପରି କଂଗ୍ରେସର ସଭାପତିଙ୍କୁ ଏହାର ଏକ ଅଂଶ କରାଯାଇଥିବା ଦର୍ଶାଯାଇଛି।

ବୟାନ କାହାର ଅଧିକାର କ୍ଷୁଣ୍ଣ କରିନାହିଁ: ରାଜ୍ୟସଭା ଅଧ୍ୟକ୍ଷ

ଧନଖଡ଼ ମଧ୍ୟ ସ୍ବାଧିକାର ନୋଟିସ୍‌କୁ କଡ଼ା ସମା‌ଲୋଚନା କରିଛନ୍ତି। ଏହା କେବଳ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାପାଇଁ ବୋଲି ସେ କହିଛନ୍ତି।  ସାଂସଦଙ୍କ ଆଚରଣ ପାଇଁ ସଦ୍ୟ ନିୟମାବଳି ପ୍ରସ୍ତୁତ କରିବାପାଇଁ ସେ ହାଉସ୍‌ ଏଥିକ୍ସ କମିଟିକୁ ଦାୟିତ୍ବ ଦେଇଛନ୍ତି।   ଉ‌ଲ୍ଲେଖଯୋଗ୍ୟ, ରାଜ୍ୟସଭାରେ ବିପର୍ଯ୍ୟୟ ପରିଚାଳନା ବିଲ୍‌, ୨୦୨୪ ଉପରେ ଆଲୋଚନା ସମୟରେ ଶାହ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମାନହାନି କଲାଭଳି ଟିପ୍ପଣୀ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିଥିଲେ ଏବଂ ଏଥିପାଇଁ ଶାହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଥିଲେ। ରମେଶ କହିଥିଲେ ଯେ ଶାହ ସୋନିଆ ଗାନ୍ଧୀଙ୍କ ନାଁ ନନେଇ ତାଙ୍କୁ ଅପମାନିତ କଲାଭଳି ଉଦ୍ଦେଶ୍ୟମୂଳକ ଟିପ୍ପଣୀ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button