ଦେଶ ବିଦେଶ

ଇଡି ଅଧିକାରୀ ବେଶରେ ଲୁଟ୍‌: ୩ କୋଟିରୁ କୋଟିଏ ଜବତ, ୪ ଗିରଫ – Utkal Mail


ନୂଆଦିଲ୍ଲୀ: ‘ଇଡି’ର ଚଢ଼ଉ ଏକ ଫିଲ୍ମ ସ୍କ୍ରିପ୍ଟ ଭଳି ସାମ୍ନାକୁ ଆସିଛି। ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବୋଲି ଦାବି କରୁଥିବା ନକଲି ଅଧିକାରୀମାନେ ଶନିବାର ମଧ୍ୟରାତ୍ରରେ ଦ୍ୱାରକାସ୍ଥିତ ବାବା ହରିଦାସ ନଗରରେ ଥିବା ଏକ ଘରେ ପହଞ୍ଚି ସେମାନେ ହାୱଲା ଟଙ୍କା ଲୁଚାଇ ରଖିଥିବା ଅଭିଯୋଗ କରିଥିଲେ। ସେମାନେ ନଗଦ ୩ କୋଟି ଟଙ୍କା ଜବତ କରି ୩୦-୪୦ ମିନିଟ୍ ପରେ ପରିବାର ଲୋକଙ୍କୁ ପଚରାଉଚରା ପାଇଁ ଆସିବାକୁ କହି ପଳାଇଥିଲେ। ସେମାନେ ଯିବା ପରେ ରାତି ପ୍ରାୟ ୧ଟା ୧୫ରେ ପୀଡ଼ିତ ବ୍ୟକ୍ତି ପିସିଆରକୁ ଫୋନ୍ କରିଥିଲେ। ଏହାପରେ ଦୁର୍ବୃତ୍ତମାନଙ୍କୁ ଖୋଜାଖୋଜି କରି ଶନିବାର ବିଳମ୍ବିତ ରାତିରେ ପୁଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧ କୋଟି ଟଙ୍କା ଜବତ କରିଛି।

ଅଭିଯୁକ୍ତମାନେ ପୀଡ଼ିତଙ୍କୁ ହାୱଲା ଟଙ୍କା ରଖିଥିବା ଅଭିଯୋଗ କରି ଘରେ ଖୋଜାଖୋଜି କରିଥିଲେ। ସେମାନେ ପରିବାର ଲୋକଙ୍କୁ କାହାକୁ ଫୋନ କରି ଡାକିବାକୁ ସୁଯୋଗ ଦେଇନଥିଲେ। ଟଙ୍କା ମିଳିବା ପରେ ସେମାନେ ପରିବାର ଲୋକଙ୍କୁ ତଦନ୍ତ ପାଇଁ ପରବର୍ତ୍ତୀ ସମୟରେ ହାଜର ହେବାକୁ କହି ଚାଲିଯାଇଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ପିସିଆର୍ ପୁଲିସ ଦଳ ପହଞ୍ଚିବା ପରେ ପୀଡ଼ିତ ପରିବାର କହିଥିଲେ ଯେ, ଟଙ୍କା ନେଇ ନକଲି ‘ଇଡି’ ଟିମ୍ ମିତ୍ରାଓଁ ଗାଁ ଆଡ଼କୁ ଯାଇଛନ୍ତି। ଏହାପରେ ପୁଲିସ ଦ୍ବାରକା ଅଞ୍ଚଳରେ କାର୍ଯ୍ୟରତ ସବୁ ପୁଲିସଙ୍କୁ ଏ ବିଷୟରେ ସତର୍କ କରାଇଦେଇଥିଲା।

ପିସିଆର୍ ଦଳ ଏକ କାର୍‌କୁ ଦେଖି ତାକୁ ଅଟକିବାକୁ କହିବା ପରେ କାର୍ ଅଟକି ନ ଥିଲା। ଏହାପରେ ପୁଲିସ ଦଳ ଉକ୍ତ କାର୍‌କୁ ପିଛା କରି ୨ କିମି ଦୂର ନରେଲା ଅଞ୍ଚଳରେ ତାକୁ ଅଟକାଇଥିଲା। ଜଣେ ସନ୍ଦିଗ୍ଧ ପିସ୍ତଲ ବାହାର କରି ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୪ ଜଣ ପିସିଆର କର୍ମଚାରୀ ତାକୁ କାବୁ କରି ନେଇଥିଲେ। କାର୍‌ରୁ ପୁଲିସ ୭୦ ଲକ୍ଷ ଟଙ୍କା ଜବତ କରିଥିଲା। ଅଭିଯୁକ୍ତ ଜଣକ ହେଉଛି ସୋନିପତର ଅମିତ ଓରଫ ଭିକି (୩୭)। ପୂର୍ବରୁ ସେ ବିନ୍ଦାପୁରରେ ହତ୍ୟା ସମେତ ଦୁଇଟି ଆପରାଧିକ ମାମଲାରେ ସମ୍ପୃକ୍ତ ଥିଲା। ଡିସିପି ଆନନ୍ଦ ମିଶ୍ର କହିଛନ୍ତି, ଅମିତକୁ ସ୍ଥାନୀୟ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏହାପରେ ଚଢ଼ଉ କରାଯାଇ ଆଉ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ବୋଲି ଡିସିପି (ଦ୍ୱାରକା) ଏମ୍ ହର୍ଷବର୍ଦ୍ଧନ କହିଛନ୍ତି। ପୁଲିସ କହିଛି ଯେ ନକଲି ଇଡି ଚଢ଼ଉର ଶିକାର ହୋଇଥିବା ବ୍ୟକ୍ତି ଜଣକ ନିକଟରେ ଦ୍ୱାରକାରେ ଥିବା ତାଙ୍କର ପ୍ଲଟ୍ ଦକ୍ଷିଣଦିଲ୍ଲୀର କିଛି ବାସିନ୍ଦାଙ୍କୁ ବିକ୍ରି କରିଥିଲେ। ତାଙ୍କୁ ଚିହ୍ନିଥିବା କିଛି ବ୍ୟକ୍ତି ଇଡି ଚଢ଼ଉ ନାଁରେ ଏହି ଟଙ୍କା ଲୁଟିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧ କୋଟି ଟଙ୍କା ଆଦାୟ ହୋଇଛି। ଏହି ମାମଲାରେ ଅନ୍ୟ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button