ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି ‘ଚନ୍ଦ୍ରଯାନ-୩’ ଅବତରଣ ସମୟର ଜାଲ୍ ଭିଡିଓ – Utkal Mail
ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ପରେ ‘ହ୍ବାଟ୍ସ୍ଆପ୍’ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରେ ଲୋକେ ଚନ୍ଦ୍ରପୃଷ୍ଠରେ ୨ଟି ‘ପ୍ଲେଲୋଡ୍’ ଥିବା ଫଟୋ ସେୟାର୍ କରିଥିଲେ।
ପ୍ରକୃତ କଥା ହେଲା ସେତେବେଳେ ‘ଲାଣ୍ଡର୍ ବିକ୍ରମ’ ଭିତରୁ ‘ରୋଭର୍ ପ୍ରଜ୍ଞାନ’ ବାହାରକୁ ବାହାରି ନ ଥିଲା। ‘ପ୍ରଜ୍ଞାନ’କୁ ବାହାର କରାଯିବାର ଉଚିତ ସମୟକୁ ‘ଇସ୍ରୋ’ ବୈଜ୍ଞାନିକମାନେ ଅପେକ୍ଷା କରିଥିଲେ। ତେଣୁ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଫଟୋଗୁଡ଼ିକ ଥିଲା ‘ଫେକ୍’ ବା ଜାଲ୍ ଫଟୋ।
ସେହିପରି, ପୃଷ୍ଠଭୂମିରେ ନୀଳରଙ୍ଗର ପୃଥିବୀ ଉଦୟକାଳୀନ ଦୃଶ୍ୟ ଥାଇ ଚନ୍ଦ୍ରପୃଷ୍ଠରେ ‘ଲାଣ୍ଡର୍ ବିକ୍ରମ’ ଠିଆ ହୋଇଥିବାର ଆଉ ଏକ ଜାଲ୍ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା। ଏହାର ‘କ୍ୟାପ୍ସନ୍’ରେ କେତେକ ବ୍ୟବହାରକାରୀ ଲେଖିଥିଲେ ଯେ, ‘ନାସା’ର ଏକ ସାଟେଲାଇଟ୍ଏହି ଭିଡିଓ ଉତ୍ତୋଳନ କରିଛି।
କିନ୍ତୁ, ଯାଞ୍ଚ କରିବା ପରେ ଜଣାପଡ଼ିଲା ଯେ, ପ୍ରକୃତରେ ସେ ଭିଡିଓଟି ହେଉଛି ଅନେକ ବର୍ଷ ତଳେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ‘ଆପୋଲୋ-୧୧’ର ଭିଡିଓ।
ଏହାଛଡ଼ା, ଭାରତ ସରକାରଙ୍କ ଜାତୀୟ ସଙ୍କେତ ଅଶୋକସ୍ତମ୍ଭ ଓ ‘ଇସ୍ରୋ’ ଲୋଗୋ ଥିବା ଆଉ ଏକ ଭିଡିଓ ବି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ବ୍ୟବହାରକାରୀ ଦାବି କରିଥିଲେ ଯେ, ତାହା ‘ରୋଭର୍’ଦ୍ବାରା ଚିହ୍ନିତ ହୋଇଛି।
କେବଳ ଏତିକି ନୁହେଁ, ଚନ୍ଦ୍ରଯାନ-୩ ଚନ୍ଦ୍ରାବତରଣ କରିବା ଆଗରୁ ମଧ୍ୟ କେତେକ ଏହାର ଅବତରଣକାଳୀନ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଥିଲେ।
‘ଫ୍ୟାକ୍ଟ୍ ଚେକ୍’ କରାଯିବା ପରେ ଉପରୋକ୍ତ ସମସ୍ତ ଭିଡିଓ ଜାଲ୍ ବୋଲି ଜଣାପଡ଼ିଲା।