ଦ୍ରୁତଗାମୀ କାର୍ ଧକ୍କାରେ ଆହତ ୨ ବର୍ଷୀୟ ବାଘୁଣୀ ମୃତ – Utkal Mail
ଗୋନ୍ଦିଆ: ଗୁରୁବାର ରାତିରେ ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରେ ଏକ ଦ୍ରୁତଗାମୀ କାର୍ ଚଢ଼ିଯିବାରୁ ଆହତ ହୋଇଥିବା ଗୋଟାଏ ୨ ବର୍ଷୀୟ ବାଘୁଣୀ ପ୍ରାଣ ହରାଇଥିବା କଥା ବନ ବିଭାଗ ଅଧିକାରୀମାନେ କହିଛନ୍ତି।
ମୃତା ୨ ବର୍ଷର ବାଘୁଣୀଟି ମହାରାଷ୍ଟ୍ରର ନାଗଜିରା ଜାତୀୟ ଉଦ୍ୟାନରେ ରହୁଥିବା ‘ଟି-୧୪’ ନାମକ ବାଘୁଣୀର ଛୁଆ ବୋଲି ଜଣାପଡ଼ିଛି।
ବନ ବିଭାଗ ଅଧିକାରୀମାନେ କହିଛନ୍ତି, ଘଟଣାଟି ଗୁରୁବାର ରାତି ପ୍ରାୟ ୧୦.୩୦ରେ ଘଟିଥିଲା। ମୁର୍ଦୋଲି ଅରଣ୍ୟାଞ୍ଚଳ ଦେଇ ଯାଇଥିବା ଗୋନ୍ଦିଆ-କୋହମାରା ରାଜପଥ ଅତିକ୍ରମ କରୁଥିବା ବାଘଛୁଆଟିକୁ ଦ୍ରୁତଗତିରେ ଚାଲୁଥିବା ଗୋଟାଏ ‘କ୍ରେଟା’ କାର୍ ଧକ୍କା ଦେଇ ଚଢ଼ିଯାଇଥିଲା।
ଦୁର୍ଘଟଣା ପରେ ପରେ ଗୋନ୍ଦିଆ ଡିଭିଜନ୍ର ଉପ ବନସଂରକ୍ଷକ ପ୍ରମୋଦ ପଞ୍ଚଭାଇଙ୍କ ନେତୃତ୍ବରେ ‘ଫରେଷ୍ଟ୍ ଟିମ୍’ ଆହତ ଛୁଆବାଘୁଣୀକୁ ଉଦ୍ଧାର କରିବା ଲାଗି ଅଭିଯାନ ଆରମ୍ଭ କରିଥିଲା। ଶୁକ୍ରବାର ସକାଳ ପ୍ରାୟ ୭.୩୦ରେ ସେମାନେ ତାକୁ ଉଦ୍ଧାର କରିଥିଲେ।

କିନ୍ତୁ, ଚିକିତ୍ସା ନିମନ୍ତେ ନାଗପୁର ନିଆଯାଉଥିବା ବେଳେ ଆହତ ଛୁଆବାଘୁଣୀର ମୃତ୍ୟୁ ଘଟିଥିଲା। ପରେ ନାଗପୁରସ୍ଥିତ ବନ୍ୟ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ତା’ର ଶବ ବ୍ୟବଚ୍ଛେଦ କରାଯାଇଥିଲା।
ସୂଚନାଯୋଗ୍ୟ, ସେ ବାଟେ ଅନ୍ୟ ଏକ କାର୍ରେ ଯାଉଥିବା ଜଣେ ବ୍ୟକ୍ତି ଉତ୍ତୋଳନ କରିଥିବା ଭିଡିଓରେ ଦେଖାଯାଉଛି ଧକ୍କା ଦେଇ ଅଟକିଥିବା ଧଳା ରଙ୍ଗର ‘କ୍ରେଟା’ କାର୍ ପାଖରେ ଆହତ ଛୁଆବାଘୁଣୀ ରାସ୍ତା ପାଖରେ ପଡ଼ିରହିଛି। ତା’ପରେ ସେ ବଡ଼ କଷ୍ଟରେ ରାସ୍ତା ପାରି ହୋଇ ବଣ ଭିତରେ ଅଦୃଶ୍ୟ ହୋଇଯାଉଛି।
ସେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣା ସଂକ୍ରାନ୍ତରେ ବନ ବିଭାଗକୁ ଖବର ଦେବା ପରେ ଆହତ ବାଘଛୁଆ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା।