ଦେଶ ବିଦେଶରାଜନୀତି

ହିମାଚଳ ପ୍ରଦେଶରେ ମତଦାନ ଆରମ୍ଭ, ୪୧୨ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ଶିମଲା: ଆଜି ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ । ୬୮ଟି ଆସନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ୫୫ ଲକ୍ଷରୁ ଊର୍ଦ୍ଧ୍ବ ଭୋଟର ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପୂର୍ବାହ୍ନ ୮ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ। ଏଥିପାଇଁ ୩ଟି ସହାୟକ ଭୋଟକେନ୍ଦ୍ର ସମେତ ମୋଟ ୭,୮୮୪ଟି ବୁଥ୍ କରାଯାଇଛି। ୭୮୯ଟି ବୁଥ୍ ସମ୍ବେଦନଶୀଳ ହୋଇଥିବାବେଳେ ୩୯୭ଟି ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଭୋଟ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିସେମ୍ବର ୮ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ ।

ଶାସକ ଭାଜପା ଏହାର ବିକାଶ ଏଜେଣ୍ଡାକୁ ନେଇ ପୁଣିଥରେ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ବିରୋଧୀ ଦଳ କଂଗ୍ରେସ ୪ ଦଶନ୍ଧିର ଭୋଟିଂ ପରମ୍ପରା ଅନୁଯାୟୀ ବର୍ତ୍ତମାନର ସରକାରଙ୍କୁ କ୍ଷମତାରୁ ହଟାଇବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛି।
ପ୍ରତିଦ୍ବନ୍ଦ୍ବତାରେ ଥିବା ହେଭିୱେଟ ନେତାଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ବିକ୍ରମାଦିତ୍ୟ ସିଂ, ଭାଜପାର ପୂର୍ବତନ ରାଜ୍ୟ ସଭାପତି ସଲ ସିଂ ସେଙ୍ଗୀ ପ୍ରମୁଖ। ଭାଜପା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାରର ନେତୃତ୍ଵ ନେଇଥିଲେ। ତାଙ୍କ ହାତମୁଠାକୁ ଟାଣ କରିବା ଲାଗି ପ୍ରତ୍ୟେକ ଭୋଟ ପଦ୍ମ ଚିହ୍ନରେ ଦେବା ଲାଗି ସେ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା,ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରମୁଖ ଏକାଧୂକ ନିର୍ବାଚନୀ ରାଲି କରି ଗୈରିକ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ନିବେଦନ କରିଥିଲେ। ଭାଜପା ସମାନ ନାଗରିକ ସଂହିତା ଲାଗୁ କରିବା ସହ ରାଜ୍ୟରେ ୮ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରତିଶ୍ରୁତି ଦେଇଥିବାବେଳେ କଂଗ୍ରେସ କ୍ଷମତାକୁ ଫେରିଲେ ପୁରୁଣା ପେନ୍‌ସନ ଯୋଜନା ପୁନର୍ବାର ଲାଗୁ କରିବା ସହ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି । କଂଗ୍ରେସ ପକ୍ଷରୁ ପ୍ରଚାରର ମଙ୍ଗ ଧରିଥିଲେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ୨୪ ବର୍ଷ ପରେ କଂଗ୍ରେସ ଅଣଗାନ୍ଧୀ ଅଧ୍ୟକ୍ଷ ପାଇଥିବାବେଳେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଚାରରେ ସାମିଲ ହୋଇ ନାହାନ୍ତି। ଆମ୍‌ ଆଦ୍‌ମୀ ପାର୍ଟି ପ୍ରଥମ ଥର ପାଇଁ ହିମାଚଳପ୍ରଦେଶରେ ନିର୍ବାଚନ ଲଢ଼ୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button